Nepal Flood: ବନ୍ୟା ସବୁକିଛି ଛଡ଼ାଇନେଲା, ତଥାପି ଆଶା ଛାଡ଼ିନି ନେପାଳ… ମାଟି ତଳୁ ଖୋଜୁଛନ୍ତି ଜୀବନର ସ୍ମୃତି, କନ୍ଦାଇ ଦେବ ଦୃଶ୍ୟ…
କାଠମାଣ୍ଡୁ: ନେପାଳରେ ଭୟଙ୍କର ବନ୍ୟା ଓ ଫ୍ଲାସ୍ ଫ୍ଲଡ୍ ପରେ ଚାରିଆଡ଼େ ଧ୍ବଂସ ବିଧ୍ବଂସରର ଚିତ୍ର। ଜୁଆଡେ ଚାହିଁଲେ ଖାଲି ମାଡି ଯାଇଛି ମାଟିର ଆସ୍ତର । ହଜାର ହଜାର ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି। ଦେଖିଲେ ଲାଗୁଛି ନେପାଳର ସର୍ବାନାଶ ହୋଇଯାଇଛି । ତଥାପି ହାର ମାନିନି ମଣିଷ । ପାଣି ହ୍ରାସ ପାଇବା ପରେ ଏବେ ଲୋକେ ନିଜ ଘର ଓ ସ୍କୁଲ୍କୁ ଫେରି ମାଟି ଓ କୁଢ କୁଢ କାଦୁଅ ଭିତରୁ ବଞ୍ଚିଥିବା ଆଶା ଆଉ ନିଜର ଜିନିଷ ଖୋଜୁଛନ୍ତି। କିଏ ବାସ ହରାଇଛି କିଏ ନିଜ ପରିବାର, ଆଉ ଅନେକ ଲୋକ ସର୍ବସାନ୍ତ୍ଵ ହୋଇଯାଇଛନ୍ତି, ତଥାପି ସବୁ ପରେ ବି ସତେକି ଯେପରି ଉଜୁଡା ସଂସାରକୁ ସଜାଡିବା ପାଇଁ ପୁଣି ଅଣ୍ଟା ଭିଡିଛି ନେପାଳ ।

ଧାଦିଙ୍ଗର ଶ୍ରୀ ବାଗେଶ୍ୱରୀ ମାଧ୍ୟମିକ ବିଦ୍ୟାଳୟରେ ଫ୍ଲାସ୍ ଫ୍ଲଡ୍ର ମାଟିରେ ପୋତି ହୋଇଯାଇଛି ସ୍କୁଲ୍ ସାମଗ୍ରୀ। ଛାତ୍ରଛାତ୍ରୀମାନେ ନିଜ ବ୍ୟାଗ୍ ଓ ବହି ଖୋଜୁଛନ୍ତି। ଜଣେ ଛାତ୍ରୀ ମାଟି ଭିତରୁ ନିଜ ବ୍ୟାଗ୍ ପାଇବା ପରେ ତାଙ୍କ ମୁହଁର ଖୁସି ଏହି ବିପର୍ଯ୍ୟୟ ମଧ୍ୟରେ ଆଶାର ଏକ ଛୋଟ ଝଲକ ଦେଇଛି।

ଜଣେ ମାଆ ମଧ୍ୟ ମଲବାରେ ଭରିଯାଇଥିବା ଶ୍ରେଣୀଗୃହରୁ ନିଜ ପିଲାର ସାମଗ୍ରୀ ଖୋଜୁଥିବା ଦେଖାଯାଇଛି।

ନୁୱାକୋଟର ଦେବୀଘାଟରେ ଲୋକେ ଘର ଭିତରୁ ଟଙ୍କା, ପାଣି ବୋତଲ, ଏୟାର କୁଲର ଭଳି ବଞ୍ଚିଥିବା ସାମଗ୍ରୀ ବାହାର କରୁଛନ୍ତି।


ଜଣେ ବ୍ୟକ୍ତି ମଲବା ଭିତରୁ ଏକ ପବିତ୍ର ଧାର୍ମିକ ପୁସ୍ତକ ମଧ୍ୟ ଉଦ୍ଧାର କରିଛନ୍ତି।

ଏହି ବିନାଶ ମଧ୍ୟରେ ଏକ ଭାବପ୍ରବଣ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଫ୍ଲାସ୍ ଫ୍ଲଡ୍ ପରେ ୪ ଦିନ ଧରି ଅଲଗା ରହିଥିବା ପୋଷା କୁକୁର ‘ସ୍ୱିଟି’ ଘରକୁ ଫେରିବା ପରେ ତାର ମାଲିକା ଶୋଭା ଶ୍ରେଷ୍ଠ ତାକୁ ପାଣି ପିଆଉଥିବା ଦୃଶ୍ୟ ମନକୁ ଛୁଇଁଯାଉଛି।

ଧାଦିଙ୍ଗର କାଦୁଅ ଓ ମାଟିରେ ଭିତରୁ ଫୁଟିଥିବା ଗୋଟିଏ ମନ୍ଦାର ଫୁଲ ମଧ୍ୟ ଯେମିତି କହୁଛି, ବିନାଶ ଯେତେ ବଡ଼ ହେଉ, ଜୀବନ ପୁଣି ଫେରିବ।

ତ୍ରିଶୂଳୀ ନଦୀ କୂଳର କାଦୁଅ ରାସ୍ତାରେ ନେପାଳର ଜାତୀୟ ପତାକା ପଡ଼ିଥିବା ଦୃଶ୍ୟ ଏହି ବିପର୍ଯ୍ୟୟର ଗଭୀରତାକୁ ଆହୁରି ସ୍ପଷ୍ଟ କରୁଛି।

ଘର ଭାଙ୍ଗିଛି, ସ୍କୁଲ୍ ମାଟିରେ ପୋତିଯାଇଛି, ଅନେକ ସ୍ମୃତି ହଜିଯାଇଛି… ହେଲେ ଲୋକଙ୍କ ମନରେ ଆଶା ଏବେ ବି ବଞ୍ଚିଛି।

