ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ଗୁରୁଦିବସ। ଗୁରୁ ନଥିଲେ ଶିଷ୍ୟ ନାହିଁ ଏବଂ ଶିଷ୍ୟ ନଥିଲେ ଗୁରୁ ନାହିଁ। ଗୋଟିଏ ପଟେ ସାରା ଦେଶ ଗୁରୁଦିବସ ପାଳନ ପାଇଁ ସଜେଇ ହେଉଛି, ଅନ୍ୟପଟେ ନିଜ ହକ୍ ପାଇଁ ରାଜଧାନୀ ରାଜରାସ୍ତାରେ ବସିଛନ୍ତି ଶିକ୍ଷକ। ଭୁବନେଶ୍ୱର ଗାନ୍ଧୀମାର୍ଗରେ ଦୀର୍ଘଦିନ ଧରି ଚାଲିଛି ଶିକ୍ଷକଙ୍କ ଧାରଣା । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଶତାଧିକ ଶିକ୍ଷକ ଓ କର୍ମଚାରୀ ଦାବି ପୂରଣ ପାଇଁ ରାସ୍ତାରେ ରାତି କାଟୁଛନ୍ତି। ବିଭିନ୍ନ ଦାବି ନେଇ ୨୧ ଦିନରେ ପହଞ୍ଚିଛି ହକ୍ ପାଇଁ ଲଢେଇ। ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଆଇନମନ୍ତ୍ରୀ ପହଞ୍ଚି ଶିକ୍ଷକଙ୍କୁ ଆଶ୍ବାସନା ଦେଇଥିଲେ। ହେଲେ ଜିଦ୍ରେ ଅଟଳ ଶିକ୍ଷକ ଶିକ୍ଷୟିତ୍ରୀ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି କହିଛନ୍ତି ।
ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଆଇନ ମନ୍ତ୍ରୀ କହିଥିଲେ ଖୁବ୍ କମ୍ ସମୟରେ ସମସ୍ୟାର ସମାଧାନ ହେବ। ଏନେଇ କମିଟି ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇସାରିଛି। କମ୍ ସମୟ ଭିତରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ସରକାରଙ୍କ କଥାକୁ ବିଶ୍ବାସକୁ ନେଇ ଆନ୍ଦୋଳନ ବନ୍ଦ କରି ଘରକୁ ଫେରିବାକୁ ଅନୁରୋଧ କରିଥିଲେ ଆଇନମନ୍ତ୍ରୀ। ହେଲେ ଶିକ୍ଷକଙ୍କ ଗୋଟିଏ ଜିଦ୍ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ।
ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି। ୨୦୦୪ ପରଠାରୁ ଅବସର ନେଇଥିବା ଓ ଅବସର ନେବାକୁ ଥିବା କର୍ମଚାରୀଙ୍କୁ ପେନ୍ସନ୍ ସୁବିଧା ସହ ଅବସରକାଳୀନ ସୁବିଧା ପାଇଁ ସ୍ପଷ୍ଟ ଚାକିରି ସର୍ତ୍ତାବଳୀ ଲାଗୁ କରିବାକୁ ଦାବି ହୋଇଛି। ଶିକ୍ଷକ ଓ କର୍ମଚାରୀଙ୍କ ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ମଧ୍ୟ ଦାବି କରାଯାଇଛି। ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।
ଆଜି ଗୁରୁଦିବସ ଅବସରରେ ଗାନ୍ଧୀମାର୍ଗରେ ବଡ଼ଧରଣର ଗୁରୁ ମହାସମାବେଶ ଆୟୋଜନ କରିବାକୁ ଶିକ୍ଷକ ସଂଗଠନ ଘୋଷଣା କରିଛି । ଏହି ସମାବେଶରେ ହଜାର ହଜାର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ କମିଟି ସଦସ୍ୟ ସାମିଲ ହେବେ ବୋଲି କୁହାଯାଇଛି । ଗୁରୁଦିବସରେ ଶିକ୍ଷକଙ୍କ ଏହି ଆନ୍ଦୋଳନ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

