Latest Odisha News

BREAKING NEWS

Belgian PM’s Tariff Dig: ଟ୍ରମ୍ପଙ୍କ ନାଁ ନନେଇ କଲେ ତାତ୍ସଲ୍ୟ…ଭାରତ ମାଟିରେ ବେଲଜିୟମ PMଙ୍କ ଟାରିଫ ଟିପ୍ପଣୀରେ ଗୁଞ୍ଜିଲା ତାଳି

ମୁମ୍ବାଇ: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର ମୁମ୍ବାଇରେ ଏମିତି ଏକ ଟିପ୍ପଣୀ ଦେଇଛନ୍ତି, ଯାହାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଦଳୁଥିବା ଟାରିଫ ନୀତି ଉପରେ ପରୋକ୍ଷ କଟାକ୍ଷ ଭାବେ ଦେଖାଯାଉଛି । ରୋଚକ କଥା ହେଉଛି, ଡି ୱେଭର ଟ୍ରମ୍ପଙ୍କ ନାଁ ନନେଇଥିଲେ ମଧ୍ୟ, ତାଙ୍କ କଥା ଶୁଣି ଉପସ୍ଥିତ ଲୋକେ ଜୋରଦାର ତାଳି ବଜାଇଥିଲେ। ଏହା ଟ୍ରମ୍ପଙ୍କ ବଦଳୁଥିବା ନିଷ୍ପତ୍ତିକୁ ଇଙ୍ଗିତ କରି ଏକ ତାତ୍ସଲ୍ୟ ଥିଲା ।

ଭାରତ-ବେଲଜିୟମ ହାଇ-ଲେଭଲ୍ ଡାଏଲଗ୍‌ରେ ଡି ୱେଭର ବିଶ୍ୱରେ ବଢ଼ୁଥିବା ସଂରକ୍ଷଣବାଦ ଏବଂ ବାଣିଜ୍ୟିକ ପ୍ରତିବନ୍ଧକକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ସେ କହିଥିଲେ, ଆଜିକାଲି ଅନେକ ସ୍ୱର ବଜାରକୁ ବନ୍ଦ କରିବା, ବାଣିଜ୍ୟିକ ବାଧା ବଢ଼ାଇବା ଏବଂ ଟାରିଫ ଲଗାଇବା ସପକ୍ଷରେ ଉଠୁଛି। ଡି ୱେଭର କହିଥିଲେ, କିଛି ଦେଶ ବାଣିଜ୍ୟ ନୀତିରେ ଏଭଳି ନିଷ୍ପତ୍ତି ନେଉଛନ୍ତି, ଯାହାର କୌଣସି ସ୍ଥିରତା ନାହିଁ। ତାଙ୍କ କହିବା ଅନୁସାରେ, କେହି ସୋମବାର ଗୋଟିଏ ନିଷ୍ପତ୍ତି ନେଉଛନ୍ତି, ବୁଧବାର ତାହାକୁ ପ୍ରତ୍ୟାହାର କରୁଛନ୍ତି ଏବଂ ଶନିବାର ପୁଣି ସେହି ନୀତିକୁ ଲାଗୁ କରୁଛନ୍ତି।

ଏହି କଥା ଶୁଣି କାର୍ଯ୍ୟକ୍ରମରେ ଜୋରଦାର ତାଳି ବାଜିଥିଲା। ତା’ପରେ ଡି ୱେଭର ହସି କହିଥିଲେ ଯେ, “ଆପଣମାନଙ୍କ ତାଳି ମୋତେ କହିଦେଉଛି ଯେ ମୁଁ କାହା କଥା କହୁଛି।”ସେ ସିଧାସଳଖ ଟ୍ରମ୍ପଙ୍କ ନାଁ ନେଇନଥିଲେ ମଧ୍ୟ, ତାଙ୍କ ଏହି ଟିପ୍ପଣୀକୁ ଆମେରିକାର ବଦଳୁଥିବା ଟାରିଫ ଏବଂ ବାଣିଜ୍ୟ ନୀତି ସହ ଯୋଡ଼ି ଦେଖାଯାଉଛି।

ବେଲଜିୟମ ପ୍ରଧାନମନ୍ତ୍ରୀ କହିଥିଲେ, ସବୁ ପ୍ରକାରର ବାଣିଜ୍ୟିକ ପ୍ରତିବନ୍ଧକକୁ ଏକାଭଳି ଦେଖାଯାଇପାରିବ ନାହିଁ। କିଛି ଦେଶ ଯୋଜନାବଦ୍ଧ ଭାବରେ ବଜାରକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ବେଳେ ଆଉ କିଛି ଦେଶ ମନଇଚ୍ଛା ନୀତି ବଦଳାଉଛନ୍ତି। ତାଙ୍କ ମତରେ, ବର୍ତ୍ତମାନ ବିଶ୍ୱ ଭୂ-ରାଜନୈତିକ ଏବଂ ଆର୍ଥିକ ଅନିଶ୍ଚିତତା ଦେଇ ଗତି କରୁଥିବାରୁ ବିଶ୍ୱ ବାଣିଜ୍ୟ ବ୍ୟବସ୍ଥା ସ୍ଥିର, ଅନୁମାନଯୋଗ୍ୟ ଏବଂ ନିୟମ ଆଧାରିତ ହେବା ଆବଶ୍ୟକ।

ଟାରିଫ ନୀତିକୁ ନେଇ ତାଙ୍କ ଟିପ୍ପଣୀ ଯେତିକି ଚର୍ଚ୍ଚାରେ ରହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ତାଙ୍କ ପ୍ରଶଂସା ମଧ୍ୟ ସେତିକି ଆକର୍ଷଣୀୟ ହୋଇଛି। ଡି ୱେଭର କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ତାଙ୍କ ପାଇଁ ସମ୍ମାନର ବିଷୟ। ସେ ମୋଦୀଙ୍କୁ ବିଶ୍ୱର ଅନ୍ୟତମ ପ୍ରେରଣାଦାୟକ ଏବଂ ବୁଦ୍ଧିମାନ ନେତା ବୋଲି ବର୍ଣ୍ଣନା କରିଥିଲେ। ବିଶ୍ୱର ବର୍ତ୍ତମାନର ପରିସ୍ଥିତିକୁ ନେଇ ସେ କହିଥିଲେ ଯେ ସାରା ବିଶ୍ୱ ଏକ ଅନିଶ୍ଚିତ ଏବଂ ଅଶାନ୍ତ ସମୟ ଦେଇ ଗତି କରୁଛି। ଅନେକ ବିଶ୍ୱ ନେତାଙ୍କ କଥା ଶୁଣିଲେ ଭୟ, ଚିନ୍ତା ଏବଂ ବିପଦର ଅନୁଭବ ହୁଏ। କିନ୍ତୁ ମୋଦୀ କଥା କହିଲେ ଆଶ୍ୱସ୍ତି ମିଳେ ବୋଲି ସେ ମତ ଦେଇଥିଲେ।

ଭାରତ ଏବଂ ବେଲଜିୟମ ଏବେ କେବଳ ବାଣିଜ୍ୟ ନୁହେଁ, ରକ୍ଷା, କ୍ଲିନ୍ ଏନର୍ଜି, ଟେକ୍ନୋଲୋଜି ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ମଧ୍ୟ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ଉଭୟ ଦେଶ ଆଗାମୀ ପାଞ୍ଚ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦୁଇଗୁଣ କରିବାର ଲକ୍ଷ୍ୟ ମଧ୍ୟ ରଖିଛନ୍ତି। ଏହି ଗସ୍ତରେ ଭାରତ ଓ ବେଲଜିୟମ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ MoU ମଧ୍ୟ ସ୍ୱାକ୍ଷରିତ ହୋଇଛି। ଫେବ୍ରୁଆରୀ ୨୦୨୫ରେ ବେଲଜିୟମର ପ୍ରଧାନମନ୍ତ୍ରୀ ହୋଇଥିବା ବାର୍ଟ ଡି ୱେଭରଙ୍କ ଏହା ପ୍ରଥମ ଭାରତ ଗସ୍ତ।

Leave A Reply

Your email address will not be published.