Latest Odisha News

BREAKING NEWS

ପୂର୍ବତନ ଓଡିଶା ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ଦେହାନ୍ତ

କଟକ: ପୂର୍ବତନ ଓଡିଶା ଡିଜିପି ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ବିଜୁ ପଟ୍ଟନାୟକ ଛକ ସ୍ଥିତ ବାସଭବନରେ ମଙ୍ଗଳବାର ଦିନ ୧ଟା ବେଳେ ଦେହାନ୍ତ ହୋଇଛି ।

ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା ଏବଂ ତାଙ୍କର ଶେଷ ଶଯ୍ୟା ନିକଟରେ ଧର୍ମପତ୍ନୀ କୃଷ୍ଣା, ପୁଅ ସତ୍ୟବ୍ରତ, ସୁବ୍ରତ ଏବଂ ଝିଅ ସାବିତ୍ରୀ ଉପସ୍ଥିତ ରହିଥିବା ବେଳେ ଗାୟତ୍ରୀ ଖୁବଶୀଘ୍ର ଆସି ପହଞ୍ଚିବେ ବୋଲି ସୂଚନା ମିଳିଛି ।

ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ନେଇ ପରିବାର ସୁତ୍ରରୁ ପ୍ରକାଶ ।

୧୯୩୪ ମସିହା ଅକ୍ଟୋବର ୨୧ ତାରିଖରେ ଆନ୍ଧ୍ରପ୍ରଦେଶ ଠାରେ ରମେଶ ଚନ୍ଦ୍ର ରଥ ଓ ରୋମା ରଥଙ୍କ କୋଳମଣ୍ଡନ କରିଥିଲେ ପ୍ରଫୁଲ୍ଲ । ସେ କଟକର ରେଭେନ୍ସା କଲେଜ ଓ ମାଡ୍ରାସର ପ୍ରେସିଡେନ୍ସି କଲେଜରୁ ଶିକ୍ଷାପ୍ରାପ୍ତ କରିଥିଲେ । ସେ ମାତ୍ର ୨୦ ବର୍ଷ ବୟସରେ ଆଇପିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ପ୍ରାୟ ୩୮ ବର୍ଷ ପୋଲିସ ସେବାରେ ନିୟୋଜିତ ଥିଲେ।

ଆହୁରି ମଧ୍ୟ ସ୍ୱର୍ଗତଃ ରଥ ଦୀର୍ଘ ବର୍ଷ ଧରି ପୋଲିସ ଡିଜି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୮୬ରୁ ୧୯୯୨ ମଧ୍ୟରେ ଜେବି ପଟ୍ଟନାୟକ ନେତୃତ୍ୱାଧିନ କଂଗ୍ରେସ ସରକାର ଏବଂ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଜନତା ଦଳ ସମୟରେ ଡିଜିପି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଅବସର ଗ୍ରହଣ କରିବା ପରେ ସେ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଓଡିଶା ପୋଲିସ ମାନୁଆଲ୍ (ଖଣ୍ଡ ୧ ଓ ୨), ଓଡିଶା ଅପରାଧିକ ଲଘୁ ଅଧିନିୟମ ଓ ନିୟମ, ଓଡିଶା ଜେଲ୍ ମାନୁଆଲ୍‌, ଓଡିଶା ନାରକୋଟିସ୍ ଆଇନ ଏବଂ ଓଡିଶା ଅବକାରୀ ଆଇନ ସମେତ ଅନେକ ବହି ରଚନା କରିଥିଲେ ।

ତାଙ୍କର ଦେହାନ୍ତରେ ଅନେକ ବରିଷ୍ଠ ପୋଲିସ ଅଧିକାରୀମାନେ ଶୋକ ବ୍ୟକ୍ତ କରିଥିବା ବେଳେ ସ୍ୱର୍ଗତଃ ରଥଙ୍କ ଶେଷକୃତ୍ୟ ସତୀଚୌରା ଠାରେ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.