Latest Odisha News

BREAKING NEWS

ଉପକୂଳରେ ଛୋଟ ଧରଣର ବାତ୍ୟା ଆଶଙ୍କା: ୨୩ ତାରିଖ ସକାଳେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର: ଉପକୂଳକୁ  ଛୋଟ ଧରଣର ବାତ୍ୟା ମାଡ଼ି ଆସିବାର ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସକ୍ରିୟ ଲଘୁଚାପ ଆଜି ଏକ ଅବପାତ ରୂପ ନେବାକୁ ଯାଉଛି । ଭାରତୀୟ ପାଣିପାଗ ବିଭାଗ ଏବଂ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତାଜା ସୂଚନା ଅନୁଯାୟୀ, ଏହି ସିଷ୍ଟମ କ୍ରମାଗତ ଭାବେ ଘନୀଭୂତ ହୋଇ ଆସନ୍ତା ୨୩ ତାରିଖ ସକାଳ ସୁଦ୍ଧା ଓଡ଼ିଶା ଉପକୂଳରେ ପହଞ୍ଚିବ। ଏହାର ପ୍ରଭାବରେ ରାଜ୍ୟରେ, ବିଶେଷ କରି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବ୍ୟାପକ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି ।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖରୁ ରାଜ୍ୟର ପାଗରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ପ୍ରାରମ୍ଭିକ ସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୨୨ ତାରିଖ ପାଇଁ ୫ଟି ଜିଲ୍ଲାକୁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଏବଂ ଗଜପତି। ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ଝୋଡ଼ ପବନ ବହିବାର ଆଶଙ୍କା ଥିବାରୁ ପ୍ରଶାସନିକ ସ୍ତରରେ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ତେବେ ଅବପାତଟି ଉପକୂଳର ନିକଟବର୍ତ୍ତୀ ହେବା ବେଳକୁ ଅର୍ଥାତ୍ ସେପ୍ଟେମ୍ବର ୨୩ ତାରିଖ ଦିନ ରାଜ୍ୟରେ ବର୍ଷାର ପରିମାଣ ସର୍ବାଧିକ ରହିବ। ଏହି ଦିନ ବିପଦର ମାତ୍ରା ଅଧିକ ଥିବାରୁ ୪ଟି ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ ଏବଂ କନ୍ଧମାଳ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ‘ରେଡ୍ ଆଲର୍ଟ’ ବା ସର୍ବୋଚ୍ଚ ସତର୍କ ସୂଚନା ଜାରି କରାଯାଇଛି । ରେଡ୍ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ଲଘୁଚାପ ସମୟରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ ଏବଂ ଉଚ୍ଚ ଜୁଆର ଆସିବ। ତେଣୁ ସୁରକ୍ଷା ଦୃଷ୍ଟିରୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଗଭୀର ସମୁଦ୍ର ମଧ୍ୟକୁ ଯିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ଏକ ଛୋଟ ଧରଣର ବାତ୍ୟା ଆଶଙ୍କା ରହିଥିବାରୁ ରାଜ୍ୟ ସରକାର ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.