ଭୁବନେଶ୍ୱର: ଏକାସାଙ୍ଗରେ ପୁରୀ ସ୍ବର୍ଗଦ୍ବାରରେ ଜଳିଲା ୭ଟି ଜୁଇ । ମଧ୍ୟପ୍ରଦେଶରେ ମୃତ ୭ ଓଡ଼ିଆଙ୍କ ଶେଷକୃତ୍ୟ ସମ୍ପନ୍ନ । ବିଳମ୍ବିତ ରାତିରେ ଭୁନେଶ୍ବରରେ ପହଞ୍ଚିଥିଲା ମରଶରୀର । ମଧ୍ୟପ୍ରଦେଶରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ ପାର୍ଥିବ ଶରୀର ରବିବାର ବିଳମ୍ବିତ ରାତି ପ୍ରାୟ ୧୨.୩୫ ମିନିଟରେ ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାରଠାରେ ପହଞ୍ଚିଥିଲା । ମରଶରୀର ପହଞ୍ଚିବା କ୍ଷଣି ସମଗ୍ର ଅଞ୍ଚଳରେ ଏକ ହୃଦୟ ବିଦାରକ ଏବଂ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଜୟଦେବ ବିହାରରୁ ଗାଢ଼କଣ ଦେଇ ଶେଷକୃତ୍ୟ ପାଇଁ ମୃତଦେହଗୁଡ଼ିକୁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଛି, ଯେଉଁଠାରେ ବୈଦିକ ରୀତିନୀତି ଅନୁଯାୟୀ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ମଧ୍ୟପ୍ରଦେଶରୁ ୩ଟି ଆମ୍ବୁଲାନ୍ସ ଯୋଗେ ମରଶରୀର ଗାଁରେ ପହଞ୍ଚିବା ମାତ୍ରେ ପରିବାରବର୍ଗ ଏବଂ ଆତ୍ମୀୟସ୍ୱଜନଙ୍କ କାନ୍ଦ ବୋବାଳିରେ ପୂରା ପରିବେଶ ଫାଟି ପଡ଼ିଥିଲା । ପଡ଼ୋଶୀ ଏବଂ ସମ୍ପର୍କୀୟମାନେ ବି ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଶିବଙ୍କ ପତ୍ନୀ ସ୍ୱାମୀଙ୍କୁ ହରାଇ ସମ୍ପୂର୍ଣ୍ଣ ନିର୍ବାକ ତଥା ପଥର ପାଲଟି ଯାଇଥିବା ବେଳେ, ବାପାଙ୍କୁ ହରାଇଥି ଝିଅ, ଭାଣେଜୀ କାନ୍ଦି କାନ୍ଦି ଅଚେତ ହୋଇପଡ଼ିଥିଲେ । ଆମ୍ବୁଲାନ୍ସରୁ ଗୋଟିଏ ପରେ ଗୋଟିଏ ମୃତଦେହ ସ୍ଥାନୀୟ ଅଞ୍ଚଳର ୪ଟି ସ୍ୱତନ୍ତ୍ର ଆମ୍ବୁଲାନ୍ସକୁ ସ୍ଥାନାନ୍ତରିତ କରାଯିବା ବେଳେ ଭିଡ଼ ଏବଂ କୋହକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ କଷ୍ଟକର ହୋଇପଡ଼ିଥିଲା ।
ଦିବଙ୍ଗତ ଆତ୍ମାଙ୍କୁ ଶେଷ ଦର୍ଶନ ତଥା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ରାତି ଅଧରେ ଜୟଦେବ ବିହାର, ସିଆରପି, ଆଚାର୍ଯ୍ୟ ବିହାର ଏବଂ ବାଣୀ ବିହାର ଆଦି ଅଞ୍ଚଳରୁ ଲୋକଙ୍କର ପ୍ରବଳ ସୁଅ ଛୁଟିଥିଲା । ଏହି ଅତ୍ୟନ୍ତ ଦୁଃଖଦ ସମୟରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ଏବଂ ସ୍ଥାନୀୟ କର୍ପୋରେଟରମାନେ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ସେମାନେ ମୃତକଙ୍କ ଆତ୍ମୀୟମାନଙ୍କୁ ସାନ୍ତ୍ୱନା ଦେବା ସହ ଧୈର୍ଯ୍ୟ ଧରିବାକୁ କହିଥିଲେ ।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶରୁ ଆସିଥିବା ପ୍ରଶାସନିକ ଅଧିକାରୀମାନେ ପାର୍ଥିବ ଶରୀରଗୁଡ଼ିକୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରିଥିଲେ । ମୃତଦେହ ସହ ଆସିଥିବା ମଧ୍ୟପ୍ରଦେଶର ଆରଆଇ ରାହୁଲ ଜୈନ ସୂଚନା ଦେଇଛନ୍ତି ଯେ, ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ମୁଣ୍ଡପିଛା ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି । ଭବିଷ୍ୟତରେ ଯଦି ପରିବାରକୁ ଅନ୍ୟ କୌଣସି ଆର୍ଥିକ କିମ୍ବା ଆଇନଗତ ସହଯୋଗ ଆବଶ୍ୟକ ହୁଏ, ତେବେ ସହଯୋଗ କରିବେ ।

