ନୂଆଦିଲ୍ଲୀ: ଆଜିକାଲି ସହରଠାରୁ ଆରମ୍ଭ କରି ଗାଁ ଗଣ୍ଡା ପର୍ଯ୍ୟନ୍ତ ସବୁଠି ମାଙ୍କଡ଼ଙ୍କ ଉତ୍ପାତ ଏକ ସାଧାରଣ ସମସ୍ୟା ପାଲଟିଛି। ଘରର ଛାତ, ବାଲକୋନି କିମ୍ବା ବଗିଚାରେ ପଶି ଏହି ବାନର ସେନା ଗଛଲତା ନଷ୍ଟ କରିବା ସହ ଲୁଗାପଟା ଓ ଅନ୍ୟାନ୍ୟ ଜିନିଷପତ୍ର ଚିରି ଦେଉଛନ୍ତି । ଅନେକ ସମୟରେ ଖାଦ୍ୟ ଲୋଭରେ ସେମାନେ ପିଲା କିମ୍ବା ମହିଳାଙ୍କ ଉପରକୁ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଯଦି ଆପଣ ବି ମାଙ୍କଡ଼ଙ୍କ ଏହି ଉତ୍ପାତରେ ଅତିଷ୍ଠ ହୋଇପଡ଼ିଛନ୍ତି, ତେବେ କିଛି ସହଜ ତଥା ନିରାପଦ ଘରୋଇ ଉପାୟ ଆପଣାଇ ସେମାନଙ୍କୁ ସହଜରେ ଘଉଡ଼ାଇ ପାରିବେ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ନୂଆ କଥା ହେଉଛି ମାଙ୍କଡ଼ମାନେ କିଛି ଖାସ୍ ଆଲୁଅକୁ ବହୁତ ଭୟ କରନ୍ତି । ବିଶେଷଜ୍ଞଙ୍କ ମତରେ, ଘରର ଛାତ କିମ୍ବା ବାଉଣ୍ଡାରୀ କାନ୍ଥରେ ଉଜ୍ଜ୍ୱଳ ଫ୍ଲାସ୍ ଲାଇଟ୍ କିମ୍ବା ଷ୍ଟ୍ରୋବ୍ ଲାଇଟ୍ ଲଗାଇଲେ ମାଙ୍କଡ଼ ସେହି ସ୍ଥାନକୁ ଆସନ୍ତି ନାହିଁ । ଏହି ଆଲୁଅ ହଠାତ୍ ଜଳିବା ଓ ଲିଭିବା କାରଣରୁ ସେମାନେ ଭୟଭୀତ ହୋଇ ଦୂରେଇ ରୁହନ୍ତି । ଏହାବ୍ୟତୀତ ଲେଜର ଲାଇଟ୍ ଦେଖାଇଲେ ମଧ୍ୟ ମାଙ୍କଡ଼ମାନେ ବିପଦ ଆଶଙ୍କା କରି ଛତ୍ରଭଙ୍ଗ ଦିଅନ୍ତି ।
କେବଳ ଆଲୁଅ ନୁହେଁ, କିଛି ନିର୍ଦ୍ଦିଷ୍ଟ ଶବ୍ଦ ମଧ୍ୟ ମାଙ୍କଡ଼ଙ୍କୁ ଘଉଡ଼ାଇବାରେ ବେଶ୍ ସହାୟକ ହୋଇଥାଏ । ସାଧାରଣତଃ ମାଙ୍କଡ଼ମାନେ ହନୁ ମାଙ୍କଡ଼ ବା ବଡ଼ ଜନ୍ତୁଙ୍କୁ ଡରିଥାନ୍ତି । ତେଣୁ ଘର ପାଖରେ କିମ୍ବା ବାଲକୋନିରେ ହନୁ ମାଙ୍କଡ଼ର ବଡ଼ ପୋଷ୍ଟର ବା କଟ୍-ଆଉଟ୍ ଲଗାଇବା କିମ୍ବା ସ୍ପିକରରେ ହନୁ ମାଙ୍କଡ଼ର ଗର୍ଜନ ଶବ୍ଦ ବଜାଇଲେ ସେମାନେ ଆଖପାଖ ମାଡ଼ନ୍ତି ନାହିଁ ।
ଅନ୍ୟ ଏକ ଉପାୟ ହେଉଛି ସେମାନଙ୍କ ଘ୍ରାଣ ଶକ୍ତିର ଉପଯୋଗ କରିବା । ମାଙ୍କଡ଼ଙ୍କ ଘ୍ରାଣ ଶକ୍ତି ବହୁତ ପ୍ରଖର ଥିବାରୁ କଡ଼ା ଗନ୍ଧକୁ ସେମାନେ ସହ୍ୟ କରିପାରନ୍ତି ନାହିଁ । ଯେଉଁ ସ୍ଥାନରେ ମାଙ୍କଡ଼ ଅଧିକ ବସୁଛନ୍ତି, ସେଠାରେ ଲାଲ୍ ଲଙ୍କା ଗୁଣ୍ଡ ସହ ପାଣି ମିଶାଇ ସ୍ପ୍ରେ କରନ୍ତୁ । ଭିନେଗାର୍ କିମ୍ବା ଫିନାଇଲର କଡ଼ା ଗନ୍ଧ ମଧ୍ୟ ସେମାନଙ୍କୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।
ସର୍ବଦା ମନେ ରଖନ୍ତୁ ଯେ ଘର ବାହାରେ ଥିବା ଆବର୍ଜନା କୁଣ୍ଡ (ଡଷ୍ଟବିନ୍) କୁ ଖୋଲା ଛାଡ଼ନ୍ତୁ ନାହିଁ କିମ୍ବା ଛାତ ଉପରେ ଖାଦ୍ୟପଦାର୍ଠ ଖୋଲାରେ ରଖନ୍ତୁ ନାହିଁ । ସହଜରେ ଖାଦ୍ୟ ମିଳିବା ଆଶାରେ ହିଁ ସେମାନେ ଜନବସତି ଆଡ଼କୁ ଆସିଥାନ୍ତି ।

