Latest Odisha News

BREAKING NEWS

Crowdfunding Scam: ସାବଧାନ୍! ଏଭଳି ସ୍କାମରୁ ବଞ୍ଚନ୍ତୁ…ଅନଲାଇନରେ ଯେଉଁଠି ବି ସେଇଠି କରନ୍ତୁନି ଦାନ!

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ୍ ମିଡିଆରେ ମାନବିକତାର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। କାହାର ମା’ ଅସୁସ୍ଥ… କାହାର ବାପାଙ୍କ ଚିକିତ୍ସା ପାଇଁ ଟଙ୍କା ଦରକାର… ଆଉ କେହି କହୁଛନ୍ତି, “ମୋ ଭଉଣୀର ଚିକିତ୍ସା ପାଇଁ ଦୟାକରି ସାହାଯ୍ୟ କରନ୍ତୁ।” ଏଭଳି ଭାବପ୍ରବଣ ଅନୁରୋଧ ଦେଖି ଅନେକ ଲୋକ ନିଜ ସାମର୍ଥ୍ୟ ଅନୁସାରେ ଟଙ୍କା ପଠାଉଛନ୍ତି। କିନ୍ତୁ ଏହି ଭାବନାକୁ ଅନେକ ଲୋକ ଠକେଇ ପାଇଁ ବ୍ୟବହାର କରୁଛନ୍ତି । ଲୋକଙ୍କ ଭାବନା ସହ ଖେଳି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏମିତିକି  କିଛି ଅନଲାଇନ୍ ସ୍କାମରେ ଆପଣ ଯଦି କୌଣସି ଲିଙ୍କ କିମ୍ବା ଫୋନ ପେ ନମ୍ବରରେ ଟଙ୍କା ଦେଉଛନ୍ତି, ଏହାପରେ ପୂରା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖାଲି ହୋଇଯାଇପାରେ ।

ଏମିତି କିଛି ଏବେ ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଜୟ ସିଂହ ରାଠୋର ନାମକ ଜଣେ X ୟୁଜରଙ୍କ ମାମଲାକୁ ନେଇ ଏଭଳି ପ୍ରଶ୍ନ ଉଠିଛି। ସେ ଦାବି କରିଥିଲେ ଯେ ତାଙ୍କ ୧୨ ବର୍ଷୀୟ ଭଉଣୀ ଆଖିର ଗୁରୁତର ରୋଗରେ ପୀଡ଼ିତ ଏବଂ ତାଙ୍କ ଅପରେସନ୍ ପାଇଁ ଟଙ୍କା ଦରକାର। ସେ ଲୋକଙ୍କୁ ଛୋଟ ଛୋଟ ରାଶି, ଏପରିକି ୧୦ କିମ୍ବା ୨୦ ଟଙ୍କା କରି ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏହା ସହ ଆଧାର କାର୍ଡ ଏବଂ ଦିଲ୍ଲୀର ଶ୍ରଫ୍ ଆଇ ସେଣ୍ଟର ନାଁରେ କିଛି ମେଡିକାଲ୍ ଡକ୍ୟୁମେଣ୍ଟ ମଧ୍ୟ ପୋଷ୍ଟ କରାଯାଇଥିଲା।

ଭାବପ୍ରବଣ ଅନୁରୋଧ ଦେଖି ଅନେକ ଲୋକ ସାହାଯ୍ୟ କରିଥିଲେ। ରିପୋର୍ଟ ଅନୁସାରେ, ମାତ୍ର ୨୪ ଘଣ୍ଟା ମଧ୍ୟରେ ୧.୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜମା ହୋଇଥିଲା। କିଛି ୟୁଜର ମେଡିକାଲ୍ କାଗଜପତ୍ର ଉପରେ ସନ୍ଦେହ କରିବା ପରେ ଶ୍ରଫ୍ ଆଇ ସେଣ୍ଟର ପକ୍ଷରୁ ସ୍ପଷ୍ଟୀକରଣ ଦିଆଗଲା। ହସ୍ପିଟାଲ୍ କହିଥିଲା ଯେ ତାଙ୍କ ଲେଟରହେଡ୍‌ର ଭୁଲ ବ୍ୟବହାର କରି ଫେକ୍ ରେକର୍ଡ, ପ୍ରେସକ୍ରିପ୍ସନ୍ ଓ ବିଲ୍ ଏଷ୍ଟିମେଟ୍ ପ୍ରସ୍ତୁତ କରାଯାଇଛି।

ଏହି ଖବର ସାମ୍ନାକୁ ଆସିବା ପରେ X ରେ ରାଠୋରଙ୍କୁ ଅନେକ ସମାଲୋଚନା ମିଳିଥିଲା । ପରେ ୪ ଘଣ୍ଟାରୁ ଅଧିକ ସମୟ ଧରି X ରେ ଲାଇଭ୍ ଆଲୋଚନା ଚାଲିଥିଲା। ତୀବ୍ର ପ୍ରଶ୍ନର ସାମ୍ନା କରି ସେ କାନ୍ଦିବା ସହ ନିଜ ଭୁଲ୍ ସ୍ୱୀକାର କରିଥିବା ରିପୋର୍ଟରେ କୁହାଯାଇଛି।

ତାଙ୍କ ଦାବି ଅନୁସାରେ, ପ୍ରକୃତରେ ତାଙ୍କ ଭଉଣୀ ନୁହେଁ, ତାଙ୍କ ବାପା ଅସୁସ୍ଥ ଥିଲେ। ଅଧିକ ଲୋକଙ୍କ ଧ୍ୟାନ ଆକର୍ଷଣ ପାଇଁ ଭଉଣୀର ଅସୁସ୍ଥତାର କାହାଣୀ ତିଆରି କରିଥିବା ସେ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏବେ ଯେଉଁମାନେ ଟଙ୍କା ଦେଇଥିଲେ, ସେମାନେ ନିଜ ଟଙ୍କା ଫେରସ୍ତ ଦାବି କରୁଛନ୍ତି। ସୋସିଆଲ୍ ମିଡିଆରେ ଘଟଣାକୁ ନେଇ ଅନେକ ମିମ୍ ମଧ୍ୟ ଭାଇରାଲ୍ ହେଉଛି।

ତେବେ ଏହି ଘଟଣା ଆମକୁ ଗୋଟିଏ ବଡ଼ ଶିକ୍ଷା ଶିଖାଉଛି, ଅନଲାଇନ୍‌ରେ କାହାର ଦୁଃଖର କାହାଣୀ ଦେଖି ସଙ୍ଗେସଙ୍ଗେ ଟଙ୍କା ପଠାଇବା ପୂର୍ବରୁ ଥରେ ଯାଞ୍ଚ କରନ୍ତୁ। ମେଡିକାଲ୍ ଡକ୍ୟୁମେଣ୍ଟ ସତ କି ନାହିଁ, ହସ୍ପିଟାଲ୍ ସହ ଘଟଣାଟି ମେଳ ଖାଉଛି କି ନାହିଁ, ଦାନ ପାଇଁ ଦିଆଯାଇଥିବା ଆକାଉଣ୍ଟ ବା QR କୋଡ୍ ବିଶ୍ୱସନୀୟ କି ନାହିଁ, ଏସବୁ ଯାଞ୍ଚ କରିବା ପରେ ହିଁ ସାହାଯ୍ୟ କରନ୍ତୁ। କାରଣ ଆପଣଙ୍କ ଦୟା ଯେମିତି ଜଣେ ଅସହାୟଙ୍କ ପାଇଁ ସାହାଯ୍ୟ ହୋଇପାରେ, ସେମିତି ଅସତ୍ୟ କାହାଣୀର ଶିକାର ହେଲେ ଆପଣ ନିଜେ ଅସହାୟ ହୋଇପାରନ୍ତି । ଆଉ ବଡ ଠକାମିର ଶିକାର ହୋଇପାରନ୍ତି ।

Leave A Reply

Your email address will not be published.