ନୂଆଦିଲ୍ଲୀ:ଭାରତ ବଙ୍ଗୋପସାଗରରେ ଆଉ ଏକ ବଡ଼ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ‘ନୋଟାମ୍’ (NOTAM – Notice to Airmen) ଜାରି କରାଯାଇଛି। ଏହି ପରୀକ୍ଷଣ ୨୦୨୬ ମସିହା ସେପ୍ଟେମ୍ବର ୨୫ ଏବଂ ୨୬ ତାରିଖରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପରୀକ୍ଷଣକୁ ଦୃଷ୍ଟିରେ ରଖି ବଙ୍ଗୋପସାଗରର ଏକ ବଡ଼ ଅଂଶକୁ ଅସ୍ଥାୟୀ ଭାବେ ନୌ ଫ୍ଲାଇଂ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ଅଞ୍ଚଳ ପ୍ରାୟ ୬୦୦ କିଲୋମିଟର ପରିସର ମଧ୍ୟରେ ବ୍ୟାପ୍ତ ରହିବ।
କ୍ଷେପଣାସ୍ତ୍ର ପରୀକ୍ଷଣ ସହ ଜଡ଼ିତ NOTAM (ନୋଟାମ୍) ସେପ୍ଟେମ୍ବର ୨୫ ତାରିଖ ୦୩:୩୦ UTC ରୁ ସେପ୍ଟେମ୍ବର ୨୬ ତାରିଖ ୧୦:୩୦ UTC ପର୍ଯ୍ୟନ୍ତ କାର୍ଯ୍ୟକରୀ ରହିବ। ଏହି ସମୟ ମଧ୍ୟରେ, ବଙ୍ଗୋପସାଗରର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଆକାଶମାର୍ଗ ଓ ସାମୁଦ୍ରିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯିବ। ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳରେ ବେସାମରିକ ବିମାନ ଓ ସାମୁଦ୍ରିକ ଜାହାଜର ଚଳାଚଳ ଉପରେ କଟକଣା ଲଗାଇବା ପାଇଁ ପଦକ୍ଷେପ ନିଆଯିବ।
ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO) ଏପର୍ଯ୍ୟନ୍ତ ଏହି କ୍ଷେପଣାସ୍ତ୍ରର ନାମ ସ୍ପଷ୍ଟ କରିନାହିଁ। ତଥାପି, ଏହାର ୬୦୦ କିଲୋମିଟର ପରିସୀମାକୁ ଦୃଷ୍ଟିରେ ରଖି ଅନୁମାନ କରାଯାଉଛି ଯେ ଏହା ‘ପ୍ରଳୟ’ ଟାକ୍ଟିକାଲ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ‘ପୃଥିବୀ’ ଶ୍ରେଣୀର କୌଣସି କ୍ଷେପଣାସ୍ତ୍ର କିମ୍ବା ‘ବ୍ରହ୍ମୋସ୍’ କ୍ରୁଜ୍ କ୍ଷେପଣାସ୍ତ୍ରର ଏକ ଉନ୍ନତ ସଂସ୍କରଣ ହୋଇପାରେ।
ରିପୋର୍ଟ ଅନୁଯାୟୀ, ଓଡ଼ିଶା ଉପକୂଳରେ ଥିବା ଲଞ୍ଚ୍ ପ୍ୟାଡ୍ରୁ ଏହି ପରୀକ୍ଷଣ କରାଯିବ। ତେଣୁ, ଭାରତର କ୍ଷେପଣାସ୍ତ୍ର କ୍ଷମତାକୁ ସୁଦୃଢ଼ କରିବା ସହିତ ସାମୁଦ୍ରିକ ଓ ରଣନୈତିକ କ୍ଷେତ୍ରରେ ଦେଶର ପ୍ରସ୍ତୁତି ବୃଦ୍ଧି ଦିଗରେ ଏହି ପରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ।

