Latest Odisha News

BREAKING NEWS

Hilsa Fish: ପୂଜା ପୂର୍ବରୁ ଇଲିଶି ବଜାରକୁ ଝଟକା! ବାଂଲାଦେଶ ବନ୍ଦ କଲା ଆମଦାନୀ, ଏଥର ଭାରତକୁ ଆସିବନି ପଦ୍ମା ଇଲିଶି?

ନୂଆଦିଲ୍ଲୀ: ଦୁର୍ଗାପୂଜା ପୂର୍ବରୁ ଇଲିଶି ପ୍ରେମୀଙ୍କ ପାଇଁ ବଢ଼ିଲା ଚିନ୍ତା। ଭାରତକୁ ଇଲିଶି ପଠାଇବା ନେଇ ବାଂଲାଦେଶ ସରକାର ଏପର୍ଯ୍ୟନ୍ତ ଅନୁମତି ଦେଇନଥିବା ବେଳେ, ଏବେ ଭାରତ ଓ ମିଆଁମାରରୁ ଇଲିଶି ଆମଦାନୀ ମଧ୍ୟ ବନ୍ଦ କରିଦେଇଛି। ବାଂଲାଦେଶ ମତ୍ସ୍ୟ ବିଭାଗ ୧୦୩ ଜଣ ମାଛ ଆମଦାନୀକାରୀଙ୍କୁ ଦେଇଥିବା ‘ନୋ ଅବଜେକ୍ସନ୍ ସାର୍ଟିଫିକେଟ୍’ ବାତିଲ କରିଛି। ଏହି ନିଷ୍ପତ୍ତି ପରେ ଏଥର ଦୁର୍ଗାପୂଜା ବଜାରରେ ବାଂଲାଦେଶର ପଦ୍ମା ଇଲିଶି ମିଳିବ କି ନାହିଁ, ତାକୁ ନେଇ ଅନିଶ୍ଚିତତା ବଢ଼ିଛି।

ପଶ୍ଚିମବଙ୍ଗ ଫିସ୍ ଇମ୍ପୋର୍ଟର୍ସ ଆସୋସିଏସନ୍‌ର ସୂଚନା ଅନୁସାରେ, ଗତ ଦୁଇ ମାସରେ ଭାରତରୁ ବାଂଲାଦେଶକୁ ୫୮୦ ମେଟ୍ରିକ୍ ଟନ୍‌ରୁ ଅଧିକ ଇଲିଶ ଯାଇଛି। ବାଂଲାଦେଶ ମୋଟ ପ୍ରାୟ ୧,୭୩୯ ମେଟ୍ରିକ୍ ଟନ୍ ଇଲିଶି ଆମଦାନୀ ପାଇଁ ଅନୁମତି ଦେଇଥିଲା, ଯାହାର ମୁଖ୍ୟ ଉତ୍ସ ଥିଲା ଭାରତ ଓ ମିଆଁମାର। ଏଥର ପ୍ରଥମ ଥର ପାଇଁ ଗୁଜରାଟରୁ ଡିମ୍‌ଭରା ଇଲିଶି ମଧ୍ୟ ବାଂଲାଦେଶକୁ ପଠାଯାଇଥିଲା। ଗୁଜରାଟରେ ଇଲିଶି ଉତ୍ପାଦନ ଅଧିକ ହେବା ଏହାର ମୁଖ୍ୟ କାରଣ ବୋଲି ବ୍ୟବସାୟୀମାନେ କହିଛନ୍ତି।

ଏପଟେ ପ୍ରତିବର୍ଷ ଦୁର୍ଗାପୂଜା ପୂର୍ବରୁ ବାଂଲାଦେଶରୁ ପଶ୍ଚିମବଙ୍ଗକୁ ଇଲିଶି ଆସିଥାଏ। ଚଳିତବର୍ଷ ପ୍ରାୟ ୧,୨୦୦ ମେଟ୍ରିକ୍ ଟନ୍ ଇଲିଶ ରପ୍ତାନୀ ପାଇଁ ବାଂଲାଦେଶ ଅନୁମତି ଦେଇଥିବା କଥା ରହିଛି। କିନ୍ତୁ ଏପର୍ଯ୍ୟନ୍ତ ଭାରତକୁ ପଠାଇବା ପାଇଁ ନୂଆ ଅନୁମତି ମିଳିନାହିଁ। ମହାଳୟା ଅକ୍ଟୋବର ୧୦ରୁ ଆରମ୍ଭ ହେଉଥିବାରୁ ଆଉ ସମୟ ମଧ୍ୟ କମ୍ ରହିଛି। ଏହାପରେ ବାଂଲାଦେଶରେ ଇଲିଶି ଧରିବା ଉପରେ ନିଷେଧାଦେଶ ଲାଗିବାକୁ ଥିବାରୁ ଏବେ ଅନୁମତି ମିଳିଲେ ମଧ୍ୟ ବହୁ ପରିମାଣର ଇଲିଶି ଆଣିବା କଷ୍ଟକର ହୋଇପାରେ।

ତେବେ ବାଂଲାଦେଶ କାହିଁକି ହଠାତ୍ ଇଲିଶି ଆମଦାନୀ ବନ୍ଦ କଲା, ତାର ସ୍ପଷ୍ଟ କାରଣ ସରକାରୀ ଭାବେ ଜଣାପଡ଼ିନାହିଁ। ଗତବର୍ଷ ବାଂଲାଦେଶ ୧,୨୦୦ ମେଟ୍ରିକ୍ ଟନ୍ ଇଲିଶି ଭାରତକୁ ପଠାଇବାକୁ ଅନୁମତି ଦେଇଥିଲା, କିନ୍ତୁ ମାତ୍ର ୧୫୦ ମେଟ୍ରିକ୍ ଟନ୍ ଭାରତରେ ପହଞ୍ଚିଥିଲା। ୨୦୨୪ରେ ୨,୪୨୦ ମେଟ୍ରିକ୍ ଟନ୍ ଅନୁମତି ମିଳିଥିଲେ ମଧ୍ୟ ୫୭୭ ମେଟ୍ରିକ୍ ଟନ୍ ଏବଂ ୨୦୨୩ରେ ୩,୯୫୦ ମେଟ୍ରିକ୍ ଟନ୍ ଅନୁମତି ମଧ୍ୟରୁ ୫୮୭ ମେଟ୍ରିକ୍ ଟନ୍ ଭାରତକୁ ଆସିଥିଲା।

୨୦୧୨ରେ ବାଂଲାଦେଶ ଇଲିଶି ରପ୍ତାନୀ ଉପରେ ରୋକ୍ ଲଗାଇଥିଲା। ପରେ ୨୦୧୯ରୁ ପ୍ରତିବର୍ଷ ପୂଜା ପୂର୍ବରୁ ସୀମିତ ପରିମାଣରେ ଇଲିଶି ଭାରତକୁ ପଠାଯାଉଥିଲା। ଏବେ ଚଳିତବର୍ଷ ମଧ୍ୟ ପଦ୍ମାର ରୁପାଲି ଇଲିଶି ଭାରତକୁ ଆସିବ କି ନାହିଁ, ତାହା ଉପରେ ବ୍ୟବସାୟୀ ଓ ଇଲିଶିପ୍ରେମୀଙ୍କ ନଜର ରହିଛି।

Leave A Reply

Your email address will not be published.