ବାରିପଦା:ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏପଟେ ଲଗାଣ ବର୍ଷାରେ ମୟୂରଭଞ୍ଜରେ ବନ୍ୟା ବିପଦ ସୃଷ୍ଟି ହୋଇଛି । ବାରିପଦା ଠାରେ ବୁଢ଼ାବଳଙ୍ଗ ନଦୀ କ୍ରମାଗତ ଭାବେ ଫୁଲୁଛି । ଶିମିଳିପାଳରୁ ବାହାରିଥିବା ପଳପଳା ନଦୀରେ ବନ୍ୟା ଯୋଗୁଁ ବୁଢ଼ାବଳଙ୍ଗର ଜଳସ୍ତର ମଧ୍ୟ ବଢ଼ୁଛି। ଲଗାଣ ବର୍ଷାର ପ୍ରଭାବରେ ଉଦଳା-ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥର ନାହ୍ଲୁଆ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଉକ୍ତ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।
ବାଙ୍ଗିରିପୋଷି କାଳିଆମୀ ନିକଟରେ ବୁଢ଼ାବଳଙ୍ଗ ପୋଲ ଉପରେ ପ୍ରାୟ ଦେଢ଼ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ନଦୀ ଓ ବିଭିନ୍ନ ନାଳରେ ଜଳସ୍ତର ବଢ଼ିବାରୁ ଏକାଧିକ ପୋଲ ଉପରେ ବନ୍ୟାପାଣି ଚାଲୁଛି । ଏହା ଯୋଗୁଁ ବାଲିଡିହା-କୁଚିଳାଘାଟୀ ଏବଂ ଲୁଲୁଙ୍ଗ-ରଙ୍ଗାମାଟିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଗଙ୍ଗାହାର ନଦୀର ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହେବାରୁ ବୈଶିଙ୍ଗା-ଭୀମଦା ଏବଂ ବଡ଼ସାହି-କୁଆମରା ମଧ୍ୟରେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଏପଟେ ଲୁଲୁଙ୍ଗ ଓ ସୀତାକୁଣ୍ଡ ଅଞ୍ଚଳର ବିଭିନ୍ନ ରିସର୍ଟ ମଧ୍ୟ ବନ୍ୟାଜଳ ଘେରରେ ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ ଟିମ୍କୁ ପଠାଯାଇଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ସାହି ଓ ବେତନଟୀ ବ୍ଲକର ମାନଗୋବିନ୍ଦପୁର ଓ ଶାଳଗାଁ ପଞ୍ଚାୟତର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି ।

