ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ଆଥଲେଟ୍ଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ମହିଳା ଶଟ୍ ପୁଟ୍ ଇଭେଣ୍ଟରେ ଭାରତର ୩୬ ବର୍ଷୀୟା ଅଭିଜ୍ଞ ଆଥଲେଟ୍ ମନପ୍ରୀତ କୌର ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି । ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ମନପ୍ରୀତ ଏସୀୟ କ୍ରୀଡ଼ାର ମହିଳା ଶଟ୍ ପୁଟ୍ରେ ପଦକ ହାସଲ କରିବାରେ ଦେଶର ତୃତୀୟ ଭାରତୀୟ ମହିଳା ଆଥଲେଟ୍ ବନିଛନ୍ତି । ଏହି ପଦକ ସହ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୨୧ରେ ପହଞ୍ଚିଛି । ୫ ମାର୍ଚ୍ଚ ୧୯୯୦ରେ ପଞ୍ଜାବର ପଟିଆଲାର ଏକ ସାଧାରଣ କୃଷକ ପରିବାରରେ ମନପ୍ରୀତ ଜନ୍ମଗ୍ରହଣ କରିଥିଲା । ପରିବାରରୁ ପ୍ରେରଣା ପାଇ ପ୍ରଥମେ ସେ ୧୦୦ ମିଟର ସ୍ପ୍ରିଣ୍ଟରେ ନିଜ ଭାଗ୍ୟ ପରଖିଥିଲେ, ମାତ୍ର ଭାଇଙ୍କ ପରାମର୍ଶ କ୍ରମେ ସେ ଶଟ୍ ପୁଟ୍ ଆପଣାଇଥିଲେ । ମାତ୍ର ୧୩ ବର୍ଷ ବୟସରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ଏହାର ମାତ୍ର ତିନି ବର୍ଷ ପରେ ତାଙ୍କ ମା’ ପାରାଲିସିସରେ ଆକ୍ରାନ୍ତ ହୋଇଯାଇଥିଲେ ।
ଏତେ ସବୁ ବାଧାବିଘ୍ନ ସତ୍ତ୍ୱେ ସେ ହାର୍ ମାନିନଥିଲେ ଏବଂ ଭାରତୀୟ ରେଳବାଇରେ ଚାକିରି କରି ନିଜର ପ୍ରଶିକ୍ଷଣ ଜାରି ରଖିଥିଲେ । ୩ ବର୍ଷର ବ୍ରେକ୍ ପରେ ୨୦୧୦ରେ ପ୍ରତ୍ୟାବର୍ତ୍ତନ କରି ୧୮ ବର୍ଷ ପୁରୁଣା ନାସନାଲ୍ ରେକର୍ଡ ଭାଙ୍ଗିଥିଲେ । ୫୫ତମ ନାସନାଲ ଓପନ୍ ଆଥଲେଟିକ୍ସରେ ୧୭.୯୬ ମିଟର ଥ୍ରୋ ସହ ସ୍ୱର୍ଣ୍ଣ ଜିତି ୨୦୧୬ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ଏକମାତ୍ର ଭାରତୀୟ ମହିଳା ହୋଇଥିଲେ ।୨୦୧୭ରେ ଚୀନ୍ର ଜିନ୍ହୁଆଠାରେ ୧୮.୮୬ ମିଟରର ଥ୍ରୋ ପକାଇ ଏସିଆନ୍ ଗ୍ରାଁ ପ୍ରି ସ୍ୱର୍ଣ୍ଣ ଜିତିବା ସହ ସେହି ସିଜିନ୍ରେ ବିଶ୍ୱର ନଂ-୧ ଶଟ୍ପୁଟର ବନିଥିଲେ । ତେବେ ୨୦୧୭ରେ ଷ୍ଟେରଏଡ୍ ଟେଷ୍ଟରେ ପଜିଟିଭ୍ ଆସିବା ପରେ ତାଙ୍କ ଉପରେ ୪ ବର୍ଷର ବ୍ୟାନ୍ ଲଗାଯାଇଥିଲା ଏବଂ ତାଙ୍କର ରେକର୍ଡ ଓ ମେଡାଲ୍ ରଦ୍ଦ କରାଯାଇଥିଲା । ୪ ବର୍ଷ ଖେଳପଡ଼ିଆରୁ ଦୂରେଇ ରହିବା ପରେ ଅନେକ ସମାଲୋଚନାକୁ ପଛରେ ପକାଇ ମନପ୍ରୀତ ୨୦୨୨ରେ ପୁଣି ଟ୍ରାକ୍କୁ ଫେରିଥିଲେ । ଏବେ ୨୦୨୬ ଏସୀୟ କ୍ରୀଡ଼ାରେ ୩୬ ବର୍ଷ ବୟସରେ ବ୍ରୋଞ୍ଜ ପଦକ ହାସଲ କରି ସେ ପୋଡିୟମ୍ରେ ତିରଙ୍ଗା ଉଡ଼ାଇ ଇତିହାସ ରଚିଛନ୍ତି ।

