ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ଏବଂ ସହ-ଅଭିଯୁକ୍ତ ବିନୋଦ ତୋମାରଙ୍କୁ ଯୌନ ନିର୍ୟାତନା ମାମଲାରୁ ଦୋଷମୁକ୍ତ କରିବା ନିଷ୍ପତ୍ତିକୁ ମହିଳା କୁସ୍ତିଯୋଦ୍ଧାମାନେ ଚ୍ୟାଲେଞ୍ଜ କରିଛନ୍ତି । ରାଉଜ୍ ଆଭେନ୍ୟୁ କୋର୍ଟର ଟ୍ରାଏଲ୍ କୋର୍ଟ ଦେଇଥିବା ରାୟ ବିରୋଧରେ ୪ ଜଣ ମହିଳା କୁସ୍ତିଯୋଦ୍ଧା ସେସନ୍ସ କୋର୍ଟରେ ପୁନରୀକ୍ଷଣ ଆବେଦନ ଦାଖଲ କରିଛନ୍ତି । ଆବେଦନକାରୀଙ୍କ ଦାବି ଅନୁଯାୟୀ, ଟ୍ରାଏଲକୋର୍ଟ ମାମଲାରେ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରମାଣଗୁଡ଼ିକୁ ସଠିକ୍ ଭାବେ ନିରୀକ୍ଷଣ ନକରି ଏକପାଖିଆ ଓ ଅନୁମାନ ଆଧାରରେ ରାୟ ଶୁଣାଇଛନ୍ତି ।
କୋର୍ଟ ପୀଡ଼ିତାଙ୍କ ଆଚରଣ ଓ ପରବର୍ତ୍ତୀ ସମ୍ପର୍କକୁ ନେଇ କେତେକ ପୁରୁଣା ଏବଂ ରୂଢ଼ିବାଦୀ ଧାରଣାକୁ ଆଧାର କରି ନିଷ୍ପତ୍ତି ନେଇଛନ୍ତି, ଯାହା ଆଇନ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ନୁହେଁ । ୨୬ ସେପ୍ଟେମ୍ବର ୨୦୨୬ରେ ପ୍ରଥମ ଶୁଣାଣି ହେବାର ସମ୍ଭାବନା ରହିଛି । ୨୦୨୩ରେ ୬ ଜଣ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ୟାତନା ମାମଲା ରୁଜୁ କରିଥିଲା । ୩ ଅଗଷ୍ଟ ୨୦୨୬ରେ ପ୍ରମାଣର ଅଭାବ ଏବଂ ଅଭିଯୋଗରେ ବିଳମ୍ବ ଦର୍ଶାଇ ଏଡିସିଜେଏମ୍ ଅଶ୍ୱିନୀ ପନ୍ୱାରଙ୍କ କୋର୍ଟ ବ୍ରିଜଭୂଷଣ ଓ ବିନୋଦ ତୋମାରଙ୍କୁ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରିଥିଲେ । ଟ୍ରାଏଲ୍ କୋର୍ଟର ସେହି ଦୋଷମୁକ୍ତି ରାୟକୁ ରଦ୍ଦ କରିବା ପାଇଁ ଏବେ ପୁଣିଥରେ କୁସ୍ତିଯୋଦ୍ଧାମାନେ ଆଇନର ଦ୍ୱାରସ୍ଥ ହୋଇଛନ୍ତି ।

