Latest Odisha News

BREAKING NEWS

ଓରାଙ୍ଗୁଟାନ ଚୋରାଚାଲାଣ ମାମଲା: ମାସେ ବିତିଲାଣି ଧରାପଡ଼ିନାହାନ୍ତି ଅପରାଧୀ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବିଚିତ୍ରପୁର ଅଞ୍ଚଳରୁ ୫ଟି ବିରଳ ଓରାଙ୍ଗୁଟାନ ଉଦ୍ଧାର ଘଟଣାକୁ ପ୍ରାୟ ମାସେ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପ୍ରକୃତ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । ଏହି ଆନ୍ତର୍ଜାତିକ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍ ପଛରେ ଏକ ବଡ଼ ମାଫିଆ ଗୋଷ୍ଠୀର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ତେଣୁ ଘଟଣାର ଚେର ଖୋଜିବା ପାଇଁ ସ୍ପେଶାଲ୍ ଟାସ୍କ ଫୋର୍ସ ଏବଂ ବନ ବିଭାଗ ପକ୍ଷରୁ ମିଳିତ ଛାନଭିନ୍ ଜାରି ରହିଛି ।

ସୂଚନାଯୋଗ୍ୟ, ଉଦ୍ଧାର ହୋଇଥିବା ୫ଟି ଯାକ ବିଦେଶୀ ଓରାଙ୍ଗୁଟାନଙ୍କୁ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଛି । ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ଏବେ ସମ୍ପୂର୍ଣ୍ଣ ସୁଧାର ଆସିଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଏବଂ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ, ଏତେ ବଡ଼ ବିଦେଶୀ ପ୍ରାଣୀଗୁଡ଼ିକ ରାତି ଅଧରେ ବାଲେଶ୍ୱର ଜଙ୍ଗଲରେ ପହଞ୍ଚିଲେ କିପରି ? କିଏ ଏମାନଙ୍କୁ ଏଠାକୁ ଆଣିଥିଲା ଏବଂ କେଉଁ ଉଦ୍ଦେଶ୍ୟରେ ଆଣିଥିଲା, ସେ ନେଇ ଏବେ ବି ରହସ୍ୟ ଲାଗି ରହିଛି ।

ତଦନ୍ତ ପ୍ରକ୍ରିୟାକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ଯେ, ଏହା ଏକ ସାଧାରଣ ଘଟଣା ନୁହେଁ । ଏଥିରେ ଏକ ବିରାଟ ବନ୍ୟଜନ୍ତୁ ତସ୍କର ନେଟୱାର୍କର ସମ୍ପୃକ୍ତି ଥାଇପାରେ । ତେଣୁ ତଦନ୍ତରେ ସାମାନ୍ୟ ବିଳମ୍ବ ହେଉଛି । କିନ୍ତୁ ଆଇନ ଅନୁଯାୟୀ ଉପଯୁକ୍ତ ତଦନ୍ତ କରାଯାଇ ଘଟଣା ସହ ଜଡ଼ିତ ପ୍ରତ୍ୟେକ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ। ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଦୀଘା ଅଞ୍ଚଳରେ ହୋଟେଲ ବ୍ୟବସାୟ କରୁଥିବା ମାଇତି ପରିବାର ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ସେମାନେ ଏବେ ଫେରାର ଅଛନ୍ତି । ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି ।

ଅନ୍ୟପଟେ ଏହି ଚୋରାଚାଲାଣ ତଦନ୍ତକୁ ନେଇ ଜଳେଶ୍ୱରର ସ୍ଥାନୀୟ ବାସିନ୍ଦାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏସଟିଏଫ୍ କେବଳ କିଛି ସିସିଟିଭି ଫୁଟେଜ୍‌କୁ ନେଇ ଅଟକି ରହିଛି ଏବଂ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିପାରୁନାହିଁ । କିନ୍ତୁ ପୋଲିସ ଓ ତଦନ୍ତକାରୀ ସଂସ୍ଥା ଦାବି କରିଛନ୍ତି ଯେ, ବିଭିନ୍ନ ଦିଗରୁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି, ଯାହାଦ୍ୱାରା ଖୁବଶୀଘ୍ର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

Leave A Reply

Your email address will not be published.