ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ସମ୍ବଲପୁରର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି।
ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୮ ଜଣ ଡିଏସ୍ପି, ୧୧ ଜଣ ଇନ୍ସ୍ପେକ୍ଟର, ୧୧ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ୍ ଦ୍ୱାରା ଏହି ଚଢ଼ଉ କରାଯାଉଛି।
ଭିଜିଲାନ୍ସ ସୂଚନା ଅନୁଯାୟୀ, ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଚଢ଼ଉ ଜାରି ରହିଛି…
୧. ସମ୍ବଲପୁରର ଧନକଉଡ଼ା ସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟରେ ଥିବା ୩-ବିଏଚ୍କେ ଆବାସିକ ଫ୍ଲାଟ୍
୨. ଭୁବନେଶ୍ୱରର ନନ୍ଦନକାନନ ରୋଡ୍, ନନ୍ଦନ ବିହାର ସ୍ଥିତ ଡୁପ୍ଲେକ୍ସ ଘର
୩. ଭୁବନେଶ୍ୱରର ବାରକୁଡ଼ା (ଜଟଣୀ ନିକଟ) ସ୍ଥିତ ଇଣ୍ଡସ୍ କଲେଜ ଅଫ୍ ଇଞ୍ଜିନିୟରିଂ ନିକଟରେ ଥିବା କୋଠା
୪. ପୁରୀର ବାଲିଗୁଆଳି, ତୋଟା ବେହେରା ସାହି ସ୍ଥିତ ତିନି ମହଲା ବିଶିଷ୍ଟ କୋଠା
୫. ଖୋର୍ଦ୍ଧାର ବାଲୁଗାଁ, ସୁଭାଷ ମାର୍ଗ ସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା
୬. ଖୋର୍ଦ୍ଧାର ବାଲୁଗାଁ, ଅଶୋକ ନଗର ସ୍ଥିତ ତାଙ୍କ ପୈତୃକ ଘର (ଦୁଇ ମହଲା ବିଶିଷ୍ଟ କୋଠା)
୭. ସମ୍ବଲପୁର ସ୍ଥିତ କାରଖାନା ଓ ବଏଲର୍ ବିଭାଗର ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ
ତେବେ ଚଢ଼ଉ ଜାରି ରହିଥିବା ବେଳେ ଏ ସମ୍ପର୍କିତ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି।

