SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
ନୂଆଦିଲ୍ଲୀ: ନୂଆ ଭୋଟରଙ୍କ ପାଇଁ ବଡ଼ ଖବର। ଭୋଟର ତାଲିକାରେ ପ୍ରଥମ ଥର ପାଇଁ ନାମ ପଞ୍ଜୀକରଣ କରୁଥିବା ଭାରତୀୟ ନାଗରିକଙ୍କୁ ଏଣିକି ଫର୍ମ-୬ ସହ ଅତିରିକ୍ତ ଡିକ୍ଲାରେସନ୍ ବା Annexure-D ଦେବାକୁ ପଡ଼ିବ ନାହିଁ। ବିବାଦ ପରେ ନିର୍ବାଚନ କମିଶନ ଏହି ପଦକ୍ଷେପ ନେଇଛନ୍ତି।
ନିର୍ବାଚନ କମିଶନଙ୍କ ପକ୍ଷରୁ ୨୬ ସେପ୍ଟେମ୍ବର ୨୦୨୬ରେ ଦିଆଯାଇଥିବା ସ୍ପଷ୍ଟୀକରଣ ପରେ, ଯେଉଁ ରାଜ୍ୟଗୁଡ଼ିକରେ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା SIR ପ୍ରକ୍ରିୟା ଶେଷ ହୋଇସାରିଛି, ସେଠାରେ ECINET ପୋର୍ଟାଲରୁ ଫର୍ମ-୬ ସହ ଯୋଡ଼ାଯାଇଥିବା ଅତିରିକ୍ତ ଡିକ୍ଲାରେସନ୍କୁ ହଟାଇ ଦିଆଯାଇଛି।
ତେବେ ଫର୍ମ-୬ କ’ଣ? ଭାରତୀୟ ନାଗରିକ ଯେତେବେଳେ ପ୍ରଥମ ଥର ପାଇଁ ଭୋଟର ଭାବେ ନିଜ ନାମ ପଞ୍ଜୀକରଣ କରନ୍ତି, ସେତେବେଳେ ଫର୍ମ-୬ ପୂରଣ କରିବାକୁ ପଡ଼େ। ଏହି ଫର୍ମ ଅନଲାଇନ୍ ଓ ଅଫଲାଇନ୍ ଉଭୟ ମାଧ୍ୟମରେ ଦାଖଲ କରାଯାଇପାରେ। ନାଗରିକ ଟି ଏଥିରେ ପଚାର ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ନିଜର ସବିଶଷ ତଥ୍ୟ ପୂରଣ କରିପାରିବେ ।
ତେବେ SIR ସମୟରେ ଫର୍ମ-୬ ସହ ଏକ ଅଲଗା ଡିକ୍ଲାରେସନ୍ ଯୋଡ଼ାଯାଇଥିଲା। ଏଥିରେ ଆବେଦନକାରୀଙ୍କୁ ପୁରୁଣା ଭୋଟର ତାଲିକା ସମ୍ପର୍କିତ ତଥ୍ୟ ଦେବାକୁ ପଡ଼ୁଥିଲା। ପୂର୍ବ SIRର ଚୂଡ଼ାନ୍ତ ଭୋଟର ତାଲିକାରେ ନିଜ ନାମ ଥିଲା କି ନାହିଁ, ନଥିଲେ ବାପା-ମା’ କିମ୍ବା ଜେଜେବାପା-ଜେଜେମା’ଙ୍କ ନାମ ଥିଲା କି ନାହିଁ, ଏଭଳି ସୂଚନା ମଗାଯାଉଥିଲା।
ଏହି ଅତିରିକ୍ତ ଡିକ୍ଲାରେସନ୍କୁ ନେଇ ବିବାଦ ଦେଖାଦେଇଥିଲା। ଇଣ୍ଡିଆନ୍ ଏକ୍ସପ୍ରେସ୍ର ଏକ ରିପୋର୍ଟ ଅନୁସାରେ, ଦୁଇ ନିର୍ବାଚନ କମିଶନର ଏହି ବ୍ୟବସ୍ଥା ଉପରେ ଆପତ୍ତି ଉଠାଇଥିଲେ। ସେମାନଙ୍କ ମତ ଥିଲା, ଫର୍ମ-୬ ହେଉଛି ନିର୍ବାଚନ ପଞ୍ଜୀକରଣ ନିୟମ ଅନୁସାରେ ନିର୍ଦ୍ଧାରିତ ଏକ ବୈଧ ଫର୍ମ। ତେଣୁ ଏଥିରେ ଅତିରିକ୍ତ ଡିକ୍ଲାରେସନ୍ ଯୋଡ଼ିବା ପାଇଁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପାଳନ କରିବା ଦରକାର ବୋଲି ସେମାନେ ମତ ଦେଇଥିଲେ।
ଏପରିକି ଅନଲାଇନ୍ ଫର୍ମରେ ଏହି ଅତିରିକ୍ତ ଅଂଶକୁ ‘Non-Mandatory ବା ଅଣଆବଶ୍ୟକ’ ବୋଲି ଦର୍ଶାଯାଇଥିଲେ ମଧ୍ୟ, ଏହା ପୂରଣ ନକଲେ ଆବେଦନ ଆଗକୁ ବଢ଼ାଇବାରେ ସମସ୍ୟା ହେଉଥିବା ନେଇ ମଧ୍ୟ ରିପୋର୍ଟ ଆସିଥିଲା। ଏବେ SIR ସରିଥିବା ରାଜ୍ୟଗୁଡ଼ିକରେ ଏହି ଅତିରିକ୍ତ ଡିକ୍ଲାରେସନ୍କୁ ହଟାଇ ଦିଆଯାଇଥିବାରୁ ନୂଆ ଭୋଟରଙ୍କ ପଞ୍ଜୀକରଣ ପ୍ରକ୍ରିୟା ପୁଣି ସାଧାରଣ ଫର୍ମ-୬ ଅନୁସାରେ ହେବ।

