‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
ଭୁବନେଶ୍ୱର: ବିଜେବି କଲେଜ୍ର ପୂର୍ବତନ ଛାତ୍ରଛାତ୍ରୀଙ୍କ ସଂଗଠନ ‘ବିଜେବି ଫ୍ରେଣ୍ଡସ୍ – ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ କାର୍ଯ୍ୟକ୍ରମର ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି। ଆଜି (ଅକ୍ଟୋବର ୦୧, ୨୦୨୬; ଗୁରୁବାର) ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ବିଜେବି କଲେଜର ମିନି ଅଡିଟୋରିୟମ୍ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା ମୁଖ୍ୟତଃ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ଵାରା ପ୍ରାୟୋଜିତ ଓ ଇରେଡାର ସହଯୋଗରେ ଅୟୋଜିତ ହୋଇଥିଲା।
ଯୁବପିଢ଼ିଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀଙ୍କ ଜୀବନ, ଆଦର୍ଶ ଓ ମୂଲ୍ୟବୋଧ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହାର ଅଂଶ ଭାବେ ଆନ୍ତଃମହାବିଦ୍ୟାଳୟ ସ୍ତରରେ ପ୍ରବନ୍ଧ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଓଡ଼ିଶାର ପ୍ରାୟ ୪୦ଟି ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀ ଏଥିରେ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତାଗୁଡ଼ିକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ଆଜିର ସମାଜ ଓ ଦାୟିତ୍ୱବାନ ନାଗରିକତା ସହିତ ଯୋଡ଼ିବାର ସୁଯୋଗ ପାଇଥିଲେ।
ଉକ୍ତ ପୁରସ୍କାର ସମାରୋହରେ ଅତିଥି ଭାବେ ଶ୍ରୀ ସଞ୍ଜୀବ ରଞ୍ଜନ ସହାୟ(ଜେନେରାଲ ମ୍ୟାନେଜର – ଜୋନାଲ ହେଡ୍ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ), ହାରୁନ ରସିଦ୍ ଖାନ୍ (ପୂର୍ବତନ ଡେପୁଟି ଗଭର୍ଣ୍ଣର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ), କୃଷ୍ଣା ମହାନ୍ତି (ସଭାପତି, ଗାନ୍ଧୀ ସ୍ମାରକ ନିଧି କମିଟି), ଗାନ୍ଧୀଆନ ସ୍କୋଲାର ଓ ଗବେଷକ ଶ୍ରୀ ପ୍ରହ୍ଲାଦ ସିଂ,ଶ୍ରୀ ମିହିର ପ୍ରତାପ ଦାସ (ସଭାପତି, ଉତ୍କଳ ସର୍ବୋଦୟ ମଣ୍ଡଳ, ଓଡିଶା), ଜୟନ୍ତୀ ବେହେରା (ଅଧ୍ୟକ୍ଷା, ବିଜେବି ସ୍ଵୟଂଶାସିତ କେଲେଜ), ମାନସ ରଞ୍ଜନ ମିଶ୍ର ଓ ବିଶ୍ବପ୍ରକାଶ ପଟ୍ଟନାୟକ (ସଭାପତି, ବିଜେବି ଫ୍ରେଣ୍ଡସ୍) ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାର ବିଜେତା ଓ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରିଥିଲେ। ଏଥିରେ ଆନ୍ତଃମହାବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗୀତା ନିମନ୍ତେ ୩୦ ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ବିଜେବି ଫ୍ରେଣ୍ଡସ୍ ର ତତ୍କାଳୀନ କାର୍ଯ୍ୟକାରି ସଭାପତି ତଥା କଲେଜର କୁଳପତିଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଆସୁଛି। ବିଜେବି ଫ୍ରେଣ୍ଡସ୍ ପକ୍ଷରୁ ଏହି ପ୍ରୟାସ ମୂଲ୍ୟବୋଧ, ସାମାଜିକ ଦାୟିତ୍ୱ ଓ ସକାରାତ୍ମକ ଚିନ୍ତାଧାରାକୁ ଆହୁରି ପ୍ରୋତ୍ସାହିତ କରିବାରେ ଏକ ମଞ୍ଚ ଭାବେ କାର୍ଯ୍ୟ କରିବ।

