ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:ଆଜି (ଗୁରୁବାର) ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ଥିଲେ।
ବୈଠକ ପରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଖୁବ୍ ସୌହର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ହୋଇଛି । ଆମେ ଧିରେ ଧିରେ ସମାଧାନର ନିକଟତର ହେଉଛୁ । ଖୁବ୍ ଶୀଘ୍ର ଏହାର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବ ବୋଲି ସେ ଆଶା ରଖିଛନ୍ତି । ଉଭୟ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମାଧାନର ପନ୍ଥା ବାହାରିବ ବୋଲି ସେ କହିଛନ୍ତି ।
ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ, ଡବଲ ଇଞ୍ଜିନ ସରକାରରେ ଦେଶ ଓ ରାଜ୍ୟର ବିକାଶ ଯେପରି ତ୍ୱରାନ୍ୱିତ ହେଉଛି, ରାଜ୍ୟ ମାନଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ମଧ୍ୟ ପଥ ଉନ୍ମୁକ୍ତ ହେଉଛି । ଏହି ସମାଧାନ ବାକି ସବୁ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍ ହେବ ବୋଲି ଆଶା ।
ସେ କହିଥିଲେ ଯେ, ମହାନଦୀ ଆମର ଜୀବନ ରେଖା । ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନଜୀବିକାର ପନ୍ଥା ହେଉଛି ମହାନଦୀ । ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍ ଉତ୍ପାଦନ, ପାନୀୟ ଜଳ ଯୋଗାଣ, ପର୍ଯ୍ୟାବରଣ ଆଦି ଅନେକ ବିଷୟରେ ସେ ବୈଠକରେ ଉପସ୍ଥାପନ କରିଛନ୍ତି ବୋଲି କହିଥିଲେ । ଓଡ଼ିଶାକୁ କିପରି ପର୍ଯ୍ୟାପ୍ତ ପରିମାଣରେ ଜଳ ଉପଲବ୍ଧ ହେବ, ବୈଠକରେ ସେ ଗୁରୁତ୍ୱ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ଡବଲ ଇଞ୍ଜିନ ସରକାର ଆସିବା ପରେ, ଉଭୟ ଛତିଶଗଡ଼ ଓ ଓଡ଼ିଶାରେ ମହାନଦୀ ସମସ୍ୟାର ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଇନଗତ ପ୍ରକ୍ରିୟା ସହିତ ପ୍ରଶାସନିକ ଓ ରାଜନୈତିକ ସମାଧାନର ପନ୍ଥାକୁ ମଧ୍ୟ ବ୍ୟାପକ କରାଯାଇଛି । ୨୦୨୫ ଜୁଲାଇ-ଅଗଷ୍ଟରେ ଆମ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହା ମଧ୍ୟରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ସଚିବ ସ୍ତରରେ ଅନେକ ବୈଠକ ହୋଇଯାଇଛି। ଗତ ଜୁଲାଇ ମାସରେ ଜଳ ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା ।
ଜୁଲାଇ ମାସର ବୈଠକର ନିଷ୍ପତ୍ତି ଅନୁଯାୟୀ ଉଭୟ ରାଜ୍ୟର ଆବଶ୍ୟକତା ସମ୍ପର୍କରେ ସେଣ୍ଟ୍ରାଲ୍ ୱାଟର୍ କମିଶନ୍ଙ୍କୁ ବିଭିନ୍ନ ପ୍ରସଙ୍ଗ, ତଥ୍ୟ ଓ ସୂଚନା ପ୍ରଦାନ କରାଯାଉଛି । ତିନି ମାସ ମଧ୍ୟରେ ସମାଧାନର ପନ୍ଥା ବାହାର କରିବା ପାଇଁ ସେହି ବୈଠକରେ ଆପାତତଃ ସ୍ଥିର ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ମଧ୍ୟରେ ଦୁଇ ମାସ ବିତିଗଲାଣି ଏବଂ ଆଶାନୁରୂପ ଅଗ୍ରଗତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।
ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ, ଜଳ ଶକ୍ତି ମନ୍ତ୍ରୀ ଓ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗୃହ ମନ୍ତ୍ରାଳୟ, ଜଳଶକ୍ତି ମନ୍ତ୍ରାଳୟ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଓ ଉଚ୍ଚ ପଦାଧିକାରୀ ଗଣ ଉପସ୍ଥିତ ଥିଲେ ।

