ଭୁବନେଶ୍ୱର: ବର୍ଷାପେ ଧୋଇଯିବ କି ଦୁର୍ଗା ପୂଜା। କାରଣ ଆସୁଛି ଆଉ ଏକ ବଡ଼ ଲଘୁଚାପ। ମୌସୁମୀର ବିଦାୟ ଏବଂ ଶୀତ ଆରମ୍ଭ ହେବାର ବେଳ, କିନ୍ତୁ ବଙ୍ଗୋପସାଗରରେ ପୁଣି ବଦଳିବ ପାଗ। ଆସୁଛି ଆଉ ଏକ ଲଘୁଚାପ। ଅକ୍ଟୋବର ୧୩ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ସମ୍ଭାବନା। ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ୧୩ ତାରିଖରେ ଏହା ଲଘୁଚାପରେ ପରିଣତ ହୋଇପାରେ। ୧୫ ତାରିଖ ବେଳକୁ ଏହା ଦକ୍ଷିଣ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସ୍ୱଳ୍ପ ସମ୍ଭାବନା ମଧ୍ୟ ରହିଛି। ଏଭଳି ପୂର୍ବାନୁମାନ ଦେଖାଇଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ।
ବିଭିନ୍ନ ମଡେଲକୁ ବିଶ୍ଳେଷଣ କରି ଆଇଏମଡି ଅକ୍ଟୋବର ମଝିରେ ଆସୁଥିବା ଏହି ସମ୍ଭାବ୍ୟ ଲଘୁଚାପକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବିଶ୍ଳେଷଣ। ତେବେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ଅବପାତର ରୂପ ନେବା ସମ୍ଭାବନା କମ୍ ରହିଛି। ୧୨ ତାରିଖରୁ ଆଣ୍ଡାମାନ ସାଗରର ପାଗ ବଦଳିବ । ଏହା କେତେ ଘନୀଭୂତ ହେବ ଏବଂ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ ସେ ନେଇ ସଠିକ ପୂର୍ବାକଳନ ହୋଇନାହିଁ । ଚଳିତ ବର୍ଷା ମୋଟ ୧୦ଟି ପାଣିପାଗ ସିଷ୍ଟମ୍ ସୃଷ୍ଟି ହୋଇଥିଲା। ସେଥିମଧ୍ୟରୁ ୬ଟି ଲଘୁଚାପ କ୍ଷେତ୍ର, ୩ଟି ଡିପ୍ରେସନ୍ ଏବଂ ଗୋଟିଏ ଡିପ୍ ଡିପ୍ରେସନ୍ ରହିଥିଲା ।
ବର୍ତ୍ତମାନର ଆକଳନ ଅନୁସାରେ ୧୫ ଯାଏଁ ବିଶେଷ ବର୍ଷା ନାହିଁ, କିନ୍ତୁ ୧୭/୧୮ ତାରିଖବେଳକୁ ବର୍ଷା ବଢ଼ିପାରେ। ଏମିତିକି ଦଶହରା ବେଳକୁ ସମ୍ଭାବ୍ୟ ଅବପାତ ଉପକୂଳ ପାଖାପାଖି ରହିବାର ସମ୍ଭାବନା ଥିବାରୁ ବର୍ଷା ବଢ଼ିବା ସମ୍ଭାବନା ଅଛି। ଯଦି ଏହି ଆକଳନ ଆଗକୁ ସତ ହୁଏ, ତେବେ ଚଳିତବର୍ଷ ଦୁର୍ଗାପୂଜା ସମୟରେ ବଡ଼ ବର୍ଷା ହୋଇପାରେ। ଚଳିତ ବର୍ଷ ୨୦ରେ ଦଶହରା ଥିବା ବେଳେ ୧୮ରୁ ମହାଷ୍ଟମୀ ପର୍ବ ଆରମ୍ଭ ହେବ। ପୂଜା ବାତାବରଣକୁ ବର୍ଷା ଭିଜାଇବା ଆଶଙ୍କା ଦେଖା ଦେଇଛି। ଅତୀତରେ ୨୦୧୩ ଓ ୨୦୧୪ରେ ଅକ୍ଟୋବର ଦ୍ବିତୀୟ ସପ୍ତାହବେଳକୁ ଫାଇଲିନ ଓ ହୁଡହୁଡ୍ ଭଳି ବାତ୍ୟା ଆସି ଦୁର୍ଗାପୂଜା ପାର୍ବଣକୁ ଭିଜାଇ ଦେଇଥିଲା।

