Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍‌ ଜିତିଲା ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ୭୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନମାନଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଦକ୍ଷିଣ କୋରିଆକୁ ହରାଇ ଭାରତ ଜିତିଛି ସ୍ୱର୍ଣ୍ଣ। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। କୀର୍ତ୍ତି, କୁମକୁମ ଅନିଲ ମୋହୋଦ ଓ ଅଙ୍କିତା ଭକତଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଏହି ଐତିହାସିକ ବିଜୟ ହାସଲ କରିଛି।

ଏସିଆନ ଗେମ୍ସ ଇତିହାସରେ ପ୍ରଥମ ଥର ପାଇଁ ଭାରତର ମହିଳା ରିକର୍ଭ ଟିମ ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛି। କଠିନ ପରିସ୍ଥିତି ମଧ୍ୟରେ ଭାରତୀୟ ତୀରନ୍ଦାଜମାନେ ଧୈର୍ଯ୍ୟ ଓ ନିଖୁଣ ପ୍ରଦର୍ଶନର ପରିଚୟ ଦେଇଥିଲେ। ମ୍ୟାଚ ଆରମ୍ଭରୁ ହିଁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ପାଣିପାଗ ଓ ପରିସ୍ଥିତି ଅନୁକୂଳ ନଥିବାରୁ ଉଭୟ ଦଳର ଖେଳାଳିଙ୍କ ପାଇଁ ପରଫେକ୍ଟ-୧୦ ସ୍କୋର କରିବା କଷ୍ଟକର ହୋଇଥିଲା। ମୋଟ ୪୮ଟି ଶଟ ମଧ୍ୟରୁ ମାତ୍ର ୧୨ ଥର ୧୦ ସ୍କୋର ହୋଇଥିଲା। ଅନେକ ସମୟରେ ୭ ଓ ୮ ସ୍କୋର ମଧ୍ୟ ଦେଖିବାକୁ ମିଳିଥିଲା।

ପ୍ରଥମ ସେଟ୍‌ରେ ଭାରତ ଓ ଦକ୍ଷିଣ କୋରିଆ ୫୪-୫୪ରେ ସମାନ ରହିଥିଲେ। ଦ୍ୱିତୀୟ ସେଟ ମଧ୍ୟ ୫୬-୫୬ରେ ଡ୍ର ରହିଥିଲା। ତୃତୀୟ ସେଟ୍‌ରେ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୫୫-୫୧ରେ ସେଟ ଜିତିଥିଲା। ଏହା ସହ ଭାରତ ୪-୨ରେ ଆଗୁଆ ହୋଇଥିଲା। ଶେଷ ସେଟ୍‌ରେ ଭାରତକୁ ଅତିକମରେ ଡ୍ର କରିବାର ଆବଶ୍ୟକତା ଥିଲା। ନିର୍ଣ୍ଣାୟକ ମୁହୂର୍ତ୍ତରେ କୁମକୁମଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ତାଙ୍କ ଶେଷ ଶଟ ଭାରତର ସ୍ବର୍ଣ୍ଣ ପଦକ ଭାଗ୍ୟ ର୍ନିଦ୍ଧାରଣ କରିଥିଲା। ଚାପ ମଧ୍ୟରେ କୁମକୁମ ଦମଦାର ଶଟ ଖେଳି ଭାରତର ଐତିହାସିକ ବିଜୟ ସୁନିଶ୍ଚିତ କରିଥିଲେ।

Leave A Reply

Your email address will not be published.