Viral Video: ଫେମସ୍ ହେବା ପାଇଁ ଜୀବନକୁ ବାଜି! ରେଳ ଇଞ୍ଜିନ୍ରେ ଶାଢ଼ି ବାନ୍ଧି ଡ୍ୟାନ୍ସ କଲେ ମହିଳା, ତାତିଲେ ୟୁଜର୍ସ
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ରିଲ୍ ତିଆରି କରିବାର ନିଶା ଏବେ ଯୁବପିଢିଙ୍କୁ ଅନ୍ଧ କରିସାରିଲାଣି । ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଉନାହାନ୍ତି । ଅନେକ ସମୟରେ ଏଭଳି ଦୁଃସାହାସିକ ଭିଡିଓ କରି ହଟହଟା ହୋଇଥିବା ବେଳେ ତାହାର ଏକ ଭିଡିଓ ଏବେ ଭାଇରାଲ୍ ହେଉଛି। ରେଳ ଟ୍ରାକ୍ରେ ଠିଆ ହୋଇ ଟ୍ରେନ୍ ଇଞ୍ଜିନ୍ରେ ନିଜ ଶାଢ଼ିର ପଣତ ବାନ୍ଧି ଡ୍ୟାନ୍ସ କରୁଥିବା ଜଣେ ମହିଳାଙ୍କ ଭିଡିଓକୁ ନେଇ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ଆସୁଛି।
ଏହି ଭିଡିଓକୁ ଏକ୍ସରେ @Nalanda_index ନାମକ ହ୍ୟାଣ୍ଡେଲ୍ରୁ ସେୟାର କରାଯାଇଛି। ଭିଡିଓରେ ମହିଳାଜଣକ ଶାଢ଼ି ଓ ସନ୍ଗ୍ଲାସ୍ ପିନ୍ଧି ରେଳ ଟ୍ରାକ୍ ଉପରେ ଠିଆ ହୋଇଥିବା ଦେଖାଯାଉଛି। ତାଙ୍କ ପଛରେ ଏକ ଟ୍ରେନ୍ ଠିଆ ହୋଇଛି। ମହିଳା ନିଜ ଶାଢ଼ିର ପଣତର ଗୋଟିଏ ପାଖ ଟ୍ରେନ୍ ଇଞ୍ଜିନ୍ରେ ବାନ୍ଧିବା ପରେ କିଛି ଦୂରକୁ ଯାଇ ଗୀତରେ ଲିପ୍ସିଙ୍କ୍ କରିବା ସହ ଡ୍ୟାନ୍ସ କରୁଛନ୍ତି। ପୂରା ଦୃଶ୍ୟଟି ଫିଲ୍ମର ଟ୍ରେନ୍ ସିକ୍ୱେନ୍ସ ଭଳି ଲାଗୁଛି।
ଭିଡିଓ ଭାଇରାଲ୍ ହେବା ପରେ ୟୁଜର୍ସ ମହିଳାଙ୍କ ଏଭଳି କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରେଳ ଟ୍ରାକ୍ରେ ଏଭଳି ଭାବେ ଭିଡିଓ କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ଅନେକ ମତ ଦେଇଛନ୍ତି। କିଛି ୟୁଜର୍ସ ଏହି ଘଟଣାର ଯାଞ୍ଚ କରି ଉପଯୁକ୍ତ ପଦକ୍ଷେପ ନେବାକୁ ରେଳ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।
ଜଣେ ୟୁଜର୍ କହିଛନ୍ତି, ଫିଲ୍ମରେ ଏଭଳି ଷ୍ଟଣ୍ଟ ପାଇଁ ଷ୍ଟଣ୍ଟମ୍ୟାନ୍ ଓ ସୁରକ୍ଷା ବ୍ୟବସ୍ଥା ରହିଥାଏ। କିନ୍ତୁ ରିଲ୍ ପାଇଁ ବାସ୍ତବ ଜୀବନରେ ଏଭଳି ବିପଦ ନେବା ଠିକ୍ ନୁହେଁ। ଆଉ କିଛି ୟୁଜର୍ସ ଲାଇକ୍ ଓ ଭ୍ୟୁଜ୍ ପାଇଁ ଲୋକେ କେତେ ଦୂର ଯାଇପାରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।
ରେଳ ଟ୍ରାକ୍ରେ ଡ୍ୟାନ୍ସ, ଟ୍ରେନ୍ ଉପରେ ଭିଡିଓ ଏବଂ ଅନ୍ୟ ବିପଦପୂର୍ଣ୍ଣ ଷ୍ଟଣ୍ଟର ଭିଡିଓ ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି। ଏହି ନୂଆ ଭିଡିଓ ପୁଣିଥରେ ରିଲ୍ ପାଇଁ ବିପଦ ନେବାକୁ ନେଇ ଚର୍ଚ୍ଚା ଆରମ୍ଭ କରିଛି। ଏଥିସହିତ ରେଳ ବିଭାଗର କାର୍ଯ୍ୟନୁଷ୍ଠାନ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି ।

