Putin Praises Modi: ମୋଦୀଙ୍କୁ ଭୂରି ଭୂରି ପ୍ରଶଂସା କଲେ ବନ୍ଧୁ ପୁଟିନ୍, କହିଲେ, ‘ତାଙ୍କ ପାଖରେ ଭଲ ଭଲ ବିଚାର ଅଛି’
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁପ୍ ପ୍ରଶଂସା କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ୍ ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାନ୍ତି ପ୍ରୟାସକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି ପୁଟିନ୍। ୟୁକ୍ରେନ୍ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମୋଦୀଙ୍କ ପାଖରେ ‘ବହୁତ ଭଲ ବିଚାର’ ଥିବା ପୁଟିନ୍ କହିଛନ୍ତି। ମସ୍କୋରେ ଆୟୋଜିତ ଭାଲଦାଇ ଡିସକସନ୍ କ୍ଲବ୍ର ବାର୍ଷିକ ବୈଠକରେ ପୁଟିନ୍ ଏହି ମନ୍ତବ୍ୟ ଦେଇଛନ୍ତି।
ପୁଟିନ୍ କହିଛନ୍ତି, ଭାରତ ଓ ରୁଷ୍ ମଧ୍ୟରେ ଭଲ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଆଲୋଚନାରେ ୟୁକ୍ରେନ୍ ଯୁଦ୍ଧ ଶେଷ କରିବା ପ୍ରସଙ୍ଗ ଉଠାନ୍ତି। ଉଭୟ ପକ୍ଷ ପାଇଁ ଗ୍ରହଣୀୟ ସମାଧାନ ବାହାର କରିବା ଦିଗରେ ମୋଦୀଙ୍କ ଆଗ୍ରହ ରହିଛି ବୋଲି ସେ କହିଛନ୍ତି। ଏଥିପାଇଁ ମୋଦୀଙ୍କ ଚେଷ୍ଟାକୁ ପୁଟିନ୍ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ପୁଟିନଙ୍କ କହିବା ଅନୁସାରେ, ୟୁକ୍ରେନ୍ ସଂଘର୍ଷକୁ ନେଇ ଭାରତର ଆଭିମୁଖ୍ୟ ନିରପେକ୍ଷ ରହିଥିଲେ ମଧ୍ୟ ଯୁଦ୍ଧର ଶେଷ ଚାହୁଁଛି। ଆଲୋଚନା ଓ କୂଟନୀତି ମାଧ୍ୟମରେ ଏହି ସଂଘର୍ଷର ସମାଧାନ ହେବା ଉଚିତ ବୋଲି ଭାରତ ପୂର୍ବରୁ ମଧ୍ୟ କହିଆସିଛି।
ସେପ୍ଟେମ୍ବର ୧୧ରେ ନୂଆଦିଲ୍ଲୀରେ ହୋଇଥିବା ବ୍ରିକ୍ସ ସମ୍ମିଳନୀ ସମୟରେ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସେତେବେଳେ ମଧ୍ୟ ମୋଦୀ କହିଥିଲେ ଯେ ୟୁକ୍ରେନ୍ ସମେତ ଅନ୍ୟ ସଂଘର୍ଷର ସମାଧାନ ପାଇଁ ଆଲୋଚନା ଓ କୂଟନୀତି ହିଁ ଆଗକୁ ବଢ଼ିବାର ରାସ୍ତା। ଭାରତ ଶାନ୍ତି ପ୍ରୟାସରେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ମୋଦୀ କହିଥିଲେ।
ଫେବ୍ରୁଆରୀ ୨୦୨୨ରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଭାରତ ଲଗାତାର ଭାବେ ଆଲୋଚନା ଓ କୂଟନୀତି ମାଧ୍ୟମରେ ଯୁଦ୍ଧର ସମାଧାନ ପାଇଁ ମତ ରଖିଆସୁଛି। ଏବେ ପୁଟିନଙ୍କ ମୁହଁରେ ମୋଦୀଙ୍କ ଏହି ପ୍ରୟାସର ପ୍ରଶଂସା ଚର୍ଚ୍ଚାରେ ରହିଛି।

