ବ୍ୟୁରୋ: ଭାରତୀୟ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବଡ ଘୋଷଣା । ଆଉ ଖେଳିବେନି ଫାଷ୍ଟକ୍ଲାସ୍ କ୍ରିକେଟ୍ । ଦୀର୍ଘ ୧୭ ବର୍ଷର ଏହି ରେଡ୍ ବଲ୍ କ୍ରିକେଟ୍ ଯାତ୍ରାରୁ ଅବସର ଘୋଷଣା କରିଛନ୍ତି ଚହଲ । ୨୦୦୯ରେ ହରିୟାଣାରୁ ଫାଷ୍ଟ-କ୍ଲାସ୍ କ୍ୟାରିଅର ଆରମ୍ଭ କରିଥିଲେ ୟୁଜବେନ୍ଦ୍ର । ଆଗକୁ ଚହଲ ODI ଓ ଟି୨୦ ଖେଳିବାକୁ ଉତ୍ସାହିତ ଥିବା ତାଙ୍କ ସୋସିଆଲ ମିଡିଆ ଆକାଉଂଟରେ ପୋଷ୍ଟ କରିଛନ୍ତି । ଟେଷ୍ଟ କ୍ରିକେଟ୍ ଖେଳିବା ସ୍ୱପ୍ନ ଆଉ ସମ୍ଭବ ନୁହେଁ, ତେବେ ମୋ ଭିତରେ ଏବେବି କ୍ରିକେଟ୍ ବାକି ଅଛିି, ତେଣୁ ଦିନିକିଆ ଓ ଟି୨୦ ଫର୍ମାଟକୁ ଫେରିବା ଆଶା ରଖିଛନ୍ତି ଚହଲ । ଏଥିପାଇଁ ସେ ନିଜର ସର୍ବସ୍ୱ ଲଗାଇଦେବେ ବୋଲି କହିଛନ୍ତି । ରେଡ୍ ବଲ୍ କ୍ରିକେଟ୍ ତାଙ୍କୁ ଧୈର୍ଯ୍ୟ, ଦୃଢ ମନୋଭାବ, ଘଂଟା ଘଂଟା ଧରି ପଡିଆରେ ରହି ପ୍ରତ୍ୟେକ ରନ୍ ଓ ଉଇକେଟ୍ ପାଇଁ ଲଢେଇ କରିବାର ପ୍ରକୃତ ଆନନ୍ଦ ଦେଇଛି ବୋଲି କହିଛନ୍ତି । ଚହଲ ତାଙ୍କର ଶେଷ ଫାଷ୍ଟ କ୍ଲାସ୍ ମ୍ୟାଚ୍ ଲର୍ଡସରେ ଖେଳିଥିଲେ । ତେବେ ଚହଲ ତାଙ୍କର ଏହି ଟେଷ୍ଟ ଯାତ୍ରାରେ ସନ୍ତୁଷ୍ଟ ଏବଂ ଏହି ଫର୍ମାଟରେ ଖେଳିବାର ସୁଯୋଗ ପାଇଥିବାରୁ ସେ କୃତଜ୍ଞ ବୋଲି କହିଛନ୍ତି । ହରିୟାଣା କ୍ରିକେଟ୍ ଆସୋସିଏସନକୁ ଧନ୍ୟବାଦ ଦେବା ସହ ତାଙ୍କର ଏହି ଯାତ୍ରାରେ ତାଙ୍କ ସହ ଠିଆ ହୋଇଥିବା ବ୍ୟକ୍ତିତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୧୦ ବର୍ଷରୁ ରେଡ ବଲ୍ ଧରି ପଡିଆକୁ ଓହ୍ଲାଇଥିଲି, ଏବେ ଶେଷ ଫାଷ୍ଟ-କ୍ଲାସ୍ ମ୍ୟାଚ୍ ଖେଳିଛି । ଏହି ଯାତ୍ରା ଅତ୍ୟନ୍ତ ଚମତ୍କାର ଏବଂ ସବୁବେଳ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ହିଛନ୍ତି ୟୁଜବେନ୍ଦ୍ର ଚହଲ । ଭାରତୀୟ ଚୟନକାରୀଙ୍କ ନଜରରୁ ବାଦ୍ ପଡିିଲେ ବି ଲିଷ୍ଟ-ଏ ଏବଂ ଟି୨୦ ଖେଳୁଛନ୍ତି ଚହଲ । ଆଇପିଏଲ୍ ଇତିହାସରେ ସର୍ବାଧିକ ଉଇକେଟ୍ ନେଇଥିବା ବୋଲର ହେଉଛନ୍ତି ଚହଲ । ଏବେ ସେ ପଂଜାବ କିଂଙ୍ଗସ୍ ପାଇଁ ଖେଳୁଛନ୍ତି । ଭାରତ ଦଳ ପକ୍ଷରୁ ୭୨ଟି ODI, ୮୦ଟି T20 ଖେଳିଛନ୍ତି ଚହଲ ।


