ବିଜ୍ଞାନ କ୍ଷେତ୍ରରେ ବିଶ୍ୱକୁ ସିଙ୍ଗାପୁରର ଚେକ୍ମେଟ୍; ଆମେରିକା ଓ ଚୀନକୁ ପଛରେ ପକାଇ ତିଆରି କଲା ସବୁଠୁ ନିର୍ଭୁଲ ଘଣ୍ଟା
ନୂଆଦିଲ୍ଲୀ: କଳ୍ପନା କରନ୍ତୁ ଏପରି ଏକ ଘଣ୍ଟା, ଯାହା ଶହ ଶହ କିମ୍ବା ହଜାରେ ବର୍ଷ ନୁହେଁ, ବରଂ କୋଟି କୋଟି ବର୍ଷ ଧରି ଲଗାତାର ଚାଲିବା ପରେ ବି ମାତ୍ର ୧ ସେକେଣ୍ଡର ତ୍ରୁଟି ଦେଖାଇବ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସିଙ୍ଗାପୁରର ବୈଜ୍ଞାନିକମାନେ ଏପରି ଏକ ଅସମ୍ଭବ ଲାଗୁଥିବା କାର୍ଯ୍ୟକୁ ସମ୍ଭବ କରିଦେଖାଇଛନ୍ତି । ସେମାନେ ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସଠିକ୍ ସମୟ ପ୍ରଦାନକାରୀ ‘ଆଟୋମିକ୍ କ୍ଲକ୍’ (ପରମାଣୁ ଘଣ୍ଟା) ଉଦ୍ଭାବନ କରିବାରେ ବଡ଼ ସଫଳତା ହାସଲ କରିଛନ୍ତି । ବିଶେଷ କଥା ହେଉଛି, ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ବିକାଶ ଦୌଡ଼ରେ ଏକ ଛୋଟ ଦେଶ ସିଙ୍ଗାପୁର, ଆମେରିକା ଏବଂ ଚୀନ୍ ଭଳି ମହାଶକ୍ତିମାନଙ୍କୁ ପଛରେ ପକାଇଦେଇଛି ।
କିଭଳି କାମ କରେ ଏହି ଘଣ୍ଟା?
ସାଧାରଣତଃ ଆମେ ବ୍ୟବହାର କରୁଥିବା ଘଣ୍ଟାରେ ପେଣ୍ଡୁଲମ୍ କିମ୍ବା କ୍ୱାର୍ଟଜ୍ କମ୍ପନ ସାହାଯ୍ୟରେ ସମୟ ମପାଯାଏ । କିନ୍ତୁ ଆଟୋମିକ୍ କ୍ଲକ୍ ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ କାମ କରେ । ଏହି ନୂତନ ଘଣ୍ଟାଟି ଲ୍ୟୁଟେସିୟମ୍ ନାମକ ଏକ ବିରଳ ଧାତୁର ଗୋଟିଏ ପରମାଣୁ ଉପରେ ଆଧାରିତ । ପରମାଣୁର ଶକ୍ତି ସ୍ତରରେ ହେଉଥିବା ପରିବର୍ତ୍ତନକୁ ଏଥିରେ ‘ଟାଇମର୍’ ବା ‘ଟିକ୍’ ଭାବରେ ବ୍ୟବହାର କରାଯାଏ, ଯାହା ଅତ୍ୟନ୍ତ ସ୍ଥିର ଏବଂ ନିର୍ଭୁଲ । ଲେଜର ରଶ୍ମି ମାଧ୍ୟମରେ ଏହି ପରମାଣୁଗୁଡ଼ିକୁ ନିୟନ୍ତ୍ରଣ କରାଯାଇ ସମୟର ସୂକ୍ଷ୍ମତିସୂକ୍ଷ୍ମ ହିସାବ ରଖାଯାଏ । ବୈଜ୍ଞାନିକଙ୍କ ମତରେ ଏହାର ସଠିକତା ଏତେ ଉଚ୍ଚମାନର ଯେ, ଏହା ୨୬୦ କୋଟି ବର୍ଷ ପର୍ଯ୍ୟନ୍ତ ନିରନ୍ତର ଚାଲିଲେ ମଧ୍ୟ ଏହାର ସମୟରେ ମାତ୍ର ଗୋଟିଏ ସେକେଣ୍ଡର ହେରଫେର ହେବାର ସମ୍ଭାବନା ।
କେଉଁ କ୍ଷେତ୍ରରେ ଆସିବ ବ୍ୟବହାର?
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେକେଣ୍ଡର ଭଗ୍ନାଂଶ ବି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଅତ୍ୟାଧୁନିକ ପରମାଣୁ ଘଣ୍ଟା ମୁଖ୍ୟତଃ ଗ୍ଲୋବାଲ ପୋଜିସନିଂ ସିଷ୍ଟମ୍, ମହାକାଶ ବିଜ୍ଞାନ ଏବଂ ନେଭିଗେସନ୍ କ୍ଷେତ୍ରରେ ବିପ୍ଳବ ଆଣିବ। ବର୍ତ୍ତମାନ ଆମେ ମୋବାଇଲ୍ରେ ବ୍ୟବହାର କରୁଥିବା ଗୁଗଲ୍ ମ୍ୟାପ୍ କିମ୍ବା ଅନ୍ୟାନ୍ୟ ନେଭିଗେସନ୍ ସିଷ୍ଟମ୍ ସାଟେଲାଇଟ୍ ସମୟ ଉପରେ ନିର୍ଭରଶୀଳ । ସମୟ ଗଣନାରେ ସାମାନ୍ୟ ଭୁଲ୍ ସ୍ଥାନ ନିରୂପଣକୁ ବଦଳାଇ ଦେଇପାରେ। ତେଣୁ ଏହି ନୂଆ କ୍ଲକ୍ ସାହାଯ୍ୟରେ GPS ସେବା ଆହୁରି ନିଖୁଣ ହେବ। ଏହାସହ ମହାକାଶ ଯାନର ସଠିକ୍ ଅବସ୍ଥିତି ଓ ଗତିବିଧି ନିର୍ଦ୍ଧାରଣ କରିବାରେ ଏହା ବେଶ୍ ସହାୟକ ହେବ।
ସିଙ୍ଗାପୁରର ଏହି ଉଲ୍ଲେଖନୀୟ ସଫଳତା ପ୍ରମାଣିତ କରିଛି ଯେ ଆକାରରେ ଛୋଟ ହୋଇ ମଧ୍ୟ ଅତ୍ୟାଧୁନିକ ବିଜ୍ଞାନ ଏବଂ ମେଟ୍ରୋଲୋଜି କ୍ଷେତ୍ରରେ ଦେଶ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ।

