ନୂଆଦିଲ୍ଲୀ: ଯଦି ଆପଣ ଡାକଘର ମାଧ୍ୟମରେ କୌଣସି ଜରୁରୀ କାଗଜପତ୍ର, ଚିଠି କିମ୍ବା ପାର୍ସଲ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ଡାକ ବିଭାଗ ପକ୍ଷରୁ ସ୍ପିଡ୍ ପୋଷ୍ଟ ଏବଂ ରେଜିଷ୍ଟ୍ରି ପୋଷ୍ଟ ବୁକିଂ ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁଯାୟୀ, ଏବେ ପାର୍ସଲ ବୁକିଂ ସମୟରେ କେବଳ ଠିକଣା ଦେଲେ କାମ ଚଳିବ ନାହିଁ; ଏଥିପାଇଁ ଉଭୟ ପ୍ରେରକ ଏବଂ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ମୋବାଇଲ୍ ନମ୍ବର ଦେବାକୁ ବାଧ୍ୟତାମୂଳକ କରାଯାଇଛି ।
ବର୍ତ୍ତମାନ ଡାକଘର କାଉଣ୍ଟରରେ ବୁକିଂ କଲାବେଳେ କମ୍ପ୍ୟୁଟର ସିଷ୍ଟମରେ ଉଭୟ ପକ୍ଷଙ୍କର ବୈଧ ମୋବାଇଲ୍ ନମ୍ବର ଏଣ୍ଟ୍ରି ନହେବା ପର୍ଯ୍ୟନ୍ତ ବୁକିଂ ପ୍ରକ୍ରିୟା ଆଗକୁ ବଢ଼ିବ ନାହିଁ । ଅର୍ଥାତ୍ ମୋବାଇଲ ନମ୍ବର ବିନା ବୁକିଂକୁ ସିଷ୍ଟମ୍ ଆଦୌ ଗ୍ରହଣ କରିବ ନାହିଁ । ଡାକ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବୁକିଂ ସମୟରେ କୌଣସି ଭୁଲ୍ କିମ୍ବା ଜାଲ୍ ମୋବାଇଲ୍ ନମ୍ବର ଦେଇ ଏହି ନିୟମରୁ ଖସିଯିବା ମଧ୍ୟ ଆଉ ସମ୍ଭବପର ହେବ ନାହିଁ ।
ଅନେକ ସମୟରେ ଡାକ ବିଭାଗ ନିକଟକୁ ଏମିତି ଅଭିଯୋଗ ଆସୁଥିଲା ଯେ, ଅସମ୍ପୂର୍ଣ୍ଣ ଠିକଣା କିମ୍ବା ଭୁଲ୍ ତଥ୍ୟ ଯୋଗୁଁ ପାର୍ସଲ କିମ୍ବା ଚିଠି ଠିକ୍ ସମୟରେ ତଥା ସଠିକ୍ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିପାରୁନଥିଲା । ମୋବାଇଲ୍ ନମ୍ବର ନଥିବାରୁ ଡାକ ପିଅନମାନେ ସମ୍ପୃକ୍ତ ଠିକଣାରେ ପହଞ୍ଚି ଲୋକଙ୍କୁ ଖୋଜିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବଂ ଅନେକ ସମୟରେ ଚିଠି ବା ପାର୍ସଲ ଫେରି ଆସୁଥିଲା । ଏହା ବ୍ୟତୀତ ଭୁଲ୍ ଠିକଣା ଦେଇ ଅନେକ ଠକେଇ ତଥା ଜାଲିଆତି ହେବାର ମଧ୍ୟ ରେକର୍ଡ ରହିଛି । ଏସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଡାକ ବିଭାଗ ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛି ।
ନୂତନ ନିୟମ ଲାଗୁ ହେବା ଫଳରେ ଏବେ ଡାକ ବିତରଣ ବ୍ୟବସ୍ଥା ଅଧିକ ସୁଦୃଢ଼, ସ୍ୱଚ୍ଛ ଏବଂ ସ୍ପୀଡ ହୋଇପାରିବ। ଠିକଣା ଖୋଜିବାରେ ଅସୁବିଧା ହେଲେ ଆବଶ୍ୟକ ପଡ଼ିଲେ ଡାକ କର୍ମଚାରୀମାନେ ସିଧାସଳଖ ପ୍ରାପକଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିପାରିବେ । ଏହା ସହିତ ପାର୍ସଲଟି କେଉଁଠି ପହଞ୍ଚିଲା, ସେ ନେଇ ଗ୍ରାହକଙ୍କ ମୋବାଇଲକୁ ତୁରନ୍ତ ଏସଏମଏସ ମଧ୍ୟ ପଠାଯାଇପାରିବ । ତେଣୁ ଆଗକୁ ପୋଷ୍ଟ ଅଫିସ୍ ଯିବା ପୂର୍ବରୁ, ଆପଣ ଯାହାଙ୍କ ପାଖକୁ ପାର୍ସଲ ପଠାଉଛନ୍ତି, ତାଙ୍କର ସଠିକ୍ ମୋବାଇଲ୍ ନମ୍ବର ନିଜ ସାଥିରେ ନେଇ ଯିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

