Latest Odisha News

BREAKING NEWS

Odisha Travel Bazaar Inauguration ଓଡିଶା ହେଉ ପର୍ଯ୍ୟଟକଙ୍କ ସ୍ୱର୍ଗ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଏବଂ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ନେଇ ଆଜି ରାଜଧାନୀ ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାରର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି।  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବୃହତ ପର୍ଯ୍ୟଟନ ମହାକୁମ୍ଭକୁ ଉଦଘାଟନ କରିଛନ୍ତି। ଦେଶବିଦେଶରୁ ଆସିଥିବା ନିବେଶକ, ହସ୍ପିଟାଲିଟି ବ୍ରାଣ୍ଡ ଏବଂ ଟୁରିଜିମ୍ ପାର୍ଟନରମାନେ ଓଡ଼ିଶାର ଅସୀମ ସମ୍ଭାବନାକୁ ଉପଯୋଗ କରି ପୁଞ୍ଜିନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପର୍ଯ୍ୟଟକଙ୍କ ପାଇଁ ଏକ ଆଦର୍ଶ ଓ ସ୍ୱର୍ଗ ଭାବେ ଗଢ଼ିତୋଳିବାକୁ ସମସ୍ତଙ୍କୁ ଆହ୍ଵାନ ଜଣାଇଛନ୍ତି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ସରକାର ‘ଅତ୍ୟାଧୁନିକ ନୀତି ଅନୁଯାୟୀ ଷ୍ଟାର୍ ହୋଟେଲଗୁଡ଼ିକ ପାଇଁ କୋଠରୀ ସଂଖ୍ୟା ସର୍ବନିମ୍ନ ୫୦ରୁ ହ୍ରାସ କରାଯାଇ ୧୦ କରାଯାଇଥିବାବେଳେ ପୁଞ୍ଜି ସବ୍‌ସିଡି ସୀମାକୁ ୨୦ କୋଟିରୁ ବୃଦ୍ଧି କରାଯାଇ ସର୍ବାଧିକ ୧୨୦ କୋଟି ଟଙ୍କା ପର୍ଯ୍ୟନ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେହିପରି ଗୁଣାତ୍ମକ ମୌଳିକ କାଠାମାଛ ନିର୍ମାଣ ନିମନ୍ତେ ୨୦୨୬ ରୁ ୨୦୩୧ ମଧ୍ୟରେ ୧,୫୦୦ କୋଟି ଟଙ୍କାର ବଜେଟ୍ ଏବଂ ୫,୫୦୦ ଏକର ପରିମିତ ବିଶାଳ ‘ଲ୍ୟାଣ୍ଡ ବ୍ୟାଙ୍କକୁ ମଞ୍ଜୁରୀ ଦିଆଯାଇଛି, ଯାହା ଦ୍ୱାରା ରାଜ୍ୟରେ ନୂତନ ହୋଟେଲ ଓ ରିସର୍ଟ ନିର୍ମାଣ ପାଇଁ ପଥ ସୁଗମ ହୋଇଛି। ଅତିଥିମାନଙ୍କ ସୁରକ୍ଷା ଓ ଅତିଥି ସତ୍କାରକୁ ସର୍ବାଧିକ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଓ ଯୁଗାନ୍ତକାରୀ ଘୋଷଣା କରିଛନ୍ତି। ରାଜ୍ୟର ୨୯ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ‘ଟୁରିଷ୍ଟ ପୋଲିସ’ବ୍ୟବସ୍ଥା ଆରମ୍ଭ କରାଯାଉଥିବାବେଳେ ସମୁଦ୍ରକୂଳ ଓ ଜଳକ୍ରୀଡ଼ା ସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ‘ଓସ୍ୱାଲି’  ମାଧ୍ୟମରେ ଏକ ହଜାର ପ୍ରଶିକ୍ଷିତ ଜୀବନରକ୍ଷକ ବା ଲାଇଫ୍ ଗାର୍ଡ ନିଯୁକ୍ତ କରାଯିବ। ଅଧିକ ଭିଡ଼ ପରିଲକ୍ଷିତ ହେଉଥିବା ସ୍ଥଳୀଗୁଡ଼ିକରେ ‘ଡେଷ୍ଟିନେସନ୍ ମ୍ୟାନେଜର୍’ମଧ୍ୟ ନିଯୁକ୍ତ ହେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ରାଜ୍ୟବାସୀଙ୍କୁ ଆବାହନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗନ୍ନାଥ ସଂସ୍କୃତିର ମୂଳମନ୍ତ୍ର ‘ଅତିଥି ଦେବୋ ଭବଃ’ ଅନୁଯାୟୀ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାକୁ ପଡ଼ିବ, ଯାହାଦ୍ୱାରା ସେମାନେ ହିଁ ଓଡ଼ିଶାର ପ୍ରକୃତ ବ୍ରାଣ୍ଡ ଆମ୍ବାସାଡର ହୋଇପାରିବେ। ଆଜିର ସୋସିଆଲ ମିଡିଆ ଯୁଗରେ ଗୋଟିଏ ବି ଅପ୍ରୀତିକର ପରିସ୍ଥିତି ବିଜୁଳି ବେଗରେ ଖେଳିଯାଉଥିବାରୁ ସମସ୍ତଙ୍କୁ ମିଳିମିଶି ଓଡ଼ିଶାର ସୁଖଦ ଅନୁଭୂତି ବିସ୍ତାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିକଶିତ ଓଡ଼ିଶା ଭିଜନ୍ ୨୦୩୬-୨୦୪୭ ରୋଡମ୍ୟାପ୍ ଅନୁଯାୟୀ ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରାଯାଉଛି। ରାଜ୍ୟର ସ୍ଥାନୀୟ କାରିଗର, ଗାଇଡ଼ ଏବଂ ଟୁର୍ ଅପରେଟରମାନଙ୍କୁ ଅତ୍ୟାଧୁନିକ ଡିଜିଟାଲ୍ ଜ୍ଞାନକୌଶଳରେ ସଜ୍ଜିତ କରାଯାଉଛି, ଯାହାଦ୍ୱାରା ପର୍ଯ୍ୟଟକଙ୍କ ଯାତ୍ରା ଅଧିକ ସୁଗମ ଓ ଅବିସ୍ମରଣୀୟ ହୋଇପାରିବ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଓଡ଼ିଶା କେବଳ ଗୋଟିଏ ଗନ୍ତବ୍ୟସ୍ଥଳ ନୁହେଁ, ଓଡ଼ିଶା ନିଜେ ଏକ ବିଶ୍ୱ ଅନୁଭୂତି। ଆମର ବୌଦ୍ଧ ଐତିହ୍ୟ, ହସ୍ତତନ୍ତ, ଐତିହ୍ୟସ୍ଥଳୀ, ବିଶାଳ ଚିଲିକା ଏବଂ ଇକୋ-ଟୁରିଜିମ୍ ଏହାର ପ୍ରମାଣ। ଆମ ସଂସ୍କୃତି ପର୍ଯ୍ୟଟନ ପାଇଁ ସୃଷ୍ଟି କରାଯାଇନାହିଁ, ଏହା ନିଜ ମୌଳିକ ରୂପରେ ଜୀବନ୍ତ ଅଛି। ଆମ ସରକାର ସ୍ଥାୟୀ ପର୍ଯ୍ୟଟନ ପାଇଁ ଏକ ସୁଦୃଢ଼ ଏବଂ ଉତ୍ତମ ପରିବେଶ ସୃଷ୍ଟି କରୁଛନ୍ତି, ଯାହା ଦ୍ୱାରା ନିଯୁକ୍ତି ସୃଷ୍ଟି ଓ ଦକ୍ଷତା ବିକାଶ ହେବ। ପର୍ଯ୍ୟଟନ ଅର୍ଥନୀତିରେ ଏକ ସଶକ୍ତ ଯୋଗଦାନକାରୀ ହେବା ଉଚିତ୍। ଆମ ପର୍ଯ୍ୟଟନରେ ସାହସିକ ପର୍ଯ୍ୟଟନ ମଧ୍ୟ ଅନ୍ତର୍ଭୁକ୍ତ ଏବଂ ଆମେ ତାହାକୁ ଅଧିକ ସୁଦୃଢ଼ କରୁଛୁ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ପୋର୍ଟାଲ ଏବଂ ଏକ ସ୍ୱତନ୍ତ୍ର କଫି ଟେବୁଲ୍ ବୁକ୍ ‘ପିଠା, ମିଠା ପଣା’ କୁ ଲୋକାର୍ପିତ କରିଛନ୍ତି। ଏହାସହ ରାଜ୍ୟ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ନୂତନ ‘ଓଡ଼ିଶା ଟୁରିଜିମ୍ ପୋର୍ଟାଲ୍’ ଏବଂ ନିବେଶକଙ୍କ ସୁବିଧା ପାଇଁ ‘ଓଡ଼ିଶା ଟୁରିଜିମ୍ ଇନ୍‌ଭେଷ୍ଟମେଣ୍ଟ ଇନ୍‌ସେଣ୍ଟିଭ୍ ମ୍ୟାନେଜମେଣ୍ଟ ସିଷ୍ଟମ’ର ୱେବ୍ ଆପ୍ଲିକେଶନ୍ ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଗାମୀ ‘ପୁରୀ କୋଷ୍ଟାଲ ମାରାଥନ୍’ ର ଜର୍ସିକୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହି ସମାରୋହରେ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ, ପର୍ଯ୍ୟଟନ ବିଭାଗ କମିଶନର-ତଥା-ସଚିବ ଶ୍ରୀ ବଳୱନ୍ତ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଜାତୀୟ ପର୍ଯ୍ୟଟନ କମିଟିର କୋ-ଚେୟାରମ୍ୟାନ୍ ଡା. ଜେ.କେ. ମହାନ୍ତି, ସେଲିବ୍ରିଟି ଓଡ଼ିଆ କୁଇଜିନ୍ ବ୍ରାଣ୍ଡ ଆମ୍ବାସାଡର ଶ୍ରୀ ରଣବୀର ବ୍ରାର, ଏବଂ ଏସୀୟ କ୍ରୀଡ଼ା ପୋଲ୍-ଭଲ୍ଟ ଜାତୀୟ ରେକର୍ଡଧାରୀ ବରଣିକା ଏଲାଙ୍ଗୋଭାନ୍, ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ରାଜ୍ୟର ପର୍ଯ୍ୟଟନ ଭବିଷ୍ୟତ ସମ୍ପର୍କରେ ମତ ରଖିଥିଲେ।

Leave A Reply

Your email address will not be published.