Latest Odisha News

BREAKING NEWS

Gold Coin for Brides: ନବଜାତ ଶିଶୁଙ୍କୁ ସୁନାମୁଦି ପରେ ଏବେ ନୂଆ ବୋହୂଙ୍କୁ ସୁନା! ମୁଖ୍ୟମନ୍ତ୍ରୀ ହେବା ପରେ ଥାଲାପତି ବିଜୟଙ୍କ ଆଉ ଏକ ଚର୍ଚ୍ଚିତ ଯୋଜନା

ଚେନ୍ନାଇ: ନୂଆବାହୂଙ୍କୁ ମିଳିବ ୮ ଗ୍ରାମର ସୁନା!

ପୁଣି ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବିଜୟ

ମାମୁଁ ପରେ ଏବେ ଭାଇ ସାଜି ଭଉଣୀ ବିବାହରେ ଦେବେ ବଡ ଉପହାର!

ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଗୋଟିଏ ପରେ ଗୋଟିଏ ଅଲଗା ଧରଣର ଯୋଜନା ଆଣି ଚର୍ଚ୍ଚାରେ ରହୁଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ଥାଲାପତି ବିଜୟ। ପ୍ରଥମେ ନବଜାତ ଶିଶୁଙ୍କୁ ସୁନାମୁଦି ଦେବାର ଯୋଜନା, ଆଉ ଏବେ ନୂଆ ବୋହୂଙ୍କୁ ବିବାହ ଉପହାର ଭାବେ ସୁନା ଓ ଶାଢ଼ି ଦେବେ ସରକାର। ଏଥିପାଇଁ ‘ଅନ୍ନନ ସୀର’ ଯୋଜନାର ପ୍ରଥମ କିସ୍ତି ଭାବେ ୮୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସରକାରୀ ଆଦେଶ ଅନୁସାରେ, ଏହି ଯୋଜନାରେ ଯୋଗ୍ୟ ନବବିବାହିତାଙ୍କୁ ୨୨ କ୍ୟାରେଟ୍‌ର ୮ ଗ୍ରାମ୍‌ର ଏକ ସୁନା କଏନ୍ ସହ ଗୋଟିଏ ରେଶମ ଶାଢ଼ି ଦିଆଯିବ। ତାମିଲନାଡୁର ପାରମ୍ପରିକ ‘ସୀର’ ପ୍ରଥାକୁ ଆଧାର କରି ଏହି ଯୋଜନା କରାଯାଇଛି। ତାମିଲ ଭାଷାରେ ‘ସୀର’ର ଅର୍ଥ ହେଉଛି ବିବାହ ସମୟରେ ଦିଆଯାଉଥିବା ଉପହାର, ଆଉ ‘ଅନ୍ନନ’ର ଅର୍ଥ ବଡ଼ ଭାଇ। ଅର୍ଥାତ୍ ବଡ଼ ଭାଇ ଭଳି ବିଜୟ ସରକାର ନୂଆ ବୋହୂଙ୍କୁ ବିବାହ ଉପହାର ଦେବେ।

ତେବେ ଏହି ଯୋଜନାରେ ସମସ୍ତେ ସାମିଲ ହୋଇପାରିବେ ନାହିଁ। ଯେଉଁ ପରିବାରର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ସେହି ପରିବାରର ମହିଳାମାନେ ଏହାର ଲାଭ ପାଇପାରିବେ। ଏଥିସହିତ ବିବାହ ମଧ୍ୟ ତାମିଲନାଡୁରେ ହୋଇଥିବା ଆବଶ୍ୟକ। ତେବେ ପୂର୍ବରୁ ନିର୍ବାଚନୀ ଇସ୍ତାହାରରେ ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ୍ ଆୟ ଥିବା ପରିବାରକୁ ଏହି ସୁବିଧା ଦେବାକୁ କୁହାଯାଇଥିବା ବେଳେ କିନ୍ତୁ ସରକାରୀ ଆଦେଶରେ ଏହାକୁ ୨.୫ ଲକ୍ଷ ଟଙ୍କାକୁ କମାଇ ଦିଆଯାଇଛି।

୨୦୨୬-୨୭ର ସଂଶୋଧିତ ବଜେଟ୍‌ରେ ଘୋଷଣା ହୋଇଥିବା ଏହି ଯୋଜନା ଅନୁସାରେ ଆଦେଶ ଜାରି ହେବା ଦିନଠାରୁ ହେଉଥିବା ବିବାହ ପାଇଁ ଏହି ସୁବିଧା ମିଳିବ। ଆବେଦନ ଅନଲାଇନ୍‌ରେ ଗ୍ରହଣ କରାଯିବ। ତେବେ କେଉଁ ପୋର୍ଟାଲରେ ଆବେଦନ ହେବ, କେଉଁ ଦସ୍ତାବିଜ ଲାଗିବ କିମ୍ବା ଶେଷ ତାରିଖ କ’ଣ, ସେନେଇ ଏବେ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ସୁନା ଓ ଶାଢ଼ି ସରକାର ଟେଣ୍ଡର ମାଧ୍ୟମରେ କିଣିବ। ସୁନାର ଦର କ୍ରୟ ଆଦେଶ ଜାରି ହେବାର ପୂର୍ବଦିନ ସକାଳ ୯ଟାରେ ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ୍‌ର ଦର ଅନୁସାରେ ନିର୍ଦ୍ଧାରଣ ହେବ।

ଏହା ପୂର୍ବରୁ ବିଜୟ ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ ଥଙ୍ଗା ମୋଥିରମ୍ ଥିଟ୍ଟମ୍’ ନାମରେ ଏକ ଯୋଜନା ଆରମ୍ଭ କରିଥିଲେ, ଯେଉଁଥିରେ ଶିଶୁଙ୍କୁ ୧ ଗ୍ରାମ୍‌ର ସୁନାମୁଦି ଦେବାର ବ୍ୟବସ୍ଥା ରହିଛି। ଏବେ ବିବାହରେ ମଧ୍ୟ ସୁନା ଉପହାର ଘୋଷଣା କରି ବିଜୟଙ୍କ ଏହି ଯୋଜନା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଦିନକୁ ଦିନ ସୁନା ଦର ବଢ଼ି ଚାଲିଥିବା ବେଳେ ତାମିଲନାଡୁ ସରକାରଙ୍କ ଏଭଳି ଯୋଜନା ଏବେ ଇଣ୍ଟରନେଟ୍‌ରେ ବି ଖୁବ୍ ଚର୍ଚ୍ଚା ସାଉଁଟୁଛି। ନୂଆ ବୋହୂଙ୍କୁ ୮ ଗ୍ରାମ୍‌ ସୁନା ଓ ରେଶମ ଶାଢ଼ି ଦେବାର ଏହି ଯୋଜନାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛ।

Leave A Reply

Your email address will not be published.