Latest Odisha News

BREAKING NEWS

ଦିଲ୍ଲୀ ସୀମାପୁରୀ ଅଞ୍ଚଳରେ ଭୁଶୁଡିଲା ଆଉ ଏକ କୋଠା: ଏକାଧିକ ତଳେ ମାଟି ତଳେ ଫସି ରହିଥିବା ସନ୍ଦେହ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ବହୁତଳ ଆବାସିକ କୋଠା ଭୁଶୁଡ଼ି ପଡ଼ିଛି। ବୁଧବାର ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ରେ ସୀମାପୁରୀର ଇଦ୍‌ଗା ମାଛ ମାର୍କେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକ ମାଟିତଳେ ଫସି ରହିଥିବା ଆଶଙ୍କା କରାଯାଉଛି।

ଖବର ପାଇ ଦିଲ୍ଲୀ ଅଗ୍ନିଶମ ବାହିନୀ (DFS), ଦିଲ୍ଲୀ ପୋଲିସ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ କିଛି ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲକୁ ପଠାଯାଇଛି। ଏହି କୋଠାଟି ଭୁଶୁଡ଼ିବା ଫଳରେ ଏହାର ଭଙ୍ଗାମାଟି ଓ ଆବର୍ଜନା ପାଖରେ ଥିବା ଆଉ ୨-୩ଟି ଛୋଟ ଘର ଉପରେ ପଡ଼ିଯାଇଛି, ଯାହାଦ୍ୱାରା ସେଗୁଡ଼ିକ ମଧ୍ୟ ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

ଅନ୍ୟପଟେ ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ ସୀମାପୁରୀ ଗୋଲ୍ ଚକ୍କର, ଡିଏଲ୍‌ଏଫ୍ ଭୋପୁରା ଏବଂ ଏହାର ଆଖପାଖ ରାସ୍ତାରେ ଯାତାୟାତ ପାଇଁ କଟକଣା ଜାରି କରାଯାଇଛି, ଯେପରି ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଗାଡ଼ିଗୁଡ଼ିକ ସହଜରେ ଯାଇପାରିବେ। ଲୋକମାନଙ୍କୁ ସେହି ଅଞ୍ଚଳକୁ ନଯିବା ପାଇଁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଯେ, ପ୍ରାୟ ଏକ ମାସ ପୂର୍ବରୁ ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ମଧ୍ୟ ଏକ କୋଠା ଭୁଶୁଡ଼ିବା ଫଳରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ସୀମାପୁରୀ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି କିମ୍ବା ମୃତାହତଙ୍କ ସଠିକ୍ ସଂଖ୍ୟାକୁ ନେଇ ଅଫିସିଆଲ୍ ଘୋଷଣାର ଅପେକ୍ଷା କରାଯାଇଛି।

Leave A Reply

Your email address will not be published.