Latest Odisha News

BREAKING NEWS

Student Polls: ଜେନ୍‌-ଜିଙ୍କୁ ଡରୁଛି ବିଜେପି? ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତ ଅଭିଯୋଗ, ରାସ୍ତାକୁ ଓହ୍ଲାଇବ ବିଜେଡି!

ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ରାଜନୀତି। ବିଜେପି ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛି ବିଜୁ ଜନତା ଦଳ (ବିଜେଡି)। ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତ କରାଯାଉଥିବା, ନିୟମକୁ ମନଇଚ୍ଛା ବଦଳାଯାଉଥିବା ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)କୁ ଫାଇଦା ପହଞ୍ଚାଇବାକୁ ସରକାରୀ କଳର ଅପବ୍ୟବହାର ହେଉଥିବା ଦଳ ଅଭିଯୋଗ କରିଛି। ଏପରିକି ଯୁବପିଢ଼ିଙ୍କ ଗଣତାନ୍ତ୍ରିକ ଅଧିକାରକୁ ଦମନ କରାଯାଉଥିବା କହି ବିଜେପିକୁ ‘ଆଣ୍ଟି-ଜେନ୍‌-ଜି’ ଦଳ ବୋଲି ଟାର୍ଗେଟ୍ କରିଛି ବିଜେଡି।

ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ କୁମାର ସାହୁ ଏବଂ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ ସରକାରଙ୍କୁ ଘେରିଥିଲେ। ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଛନ୍ତି, ବିଜେପିର ମନ୍ତ୍ରୀ ଓ ବିଧାୟକମାନେ କଲେଜ ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ଉପରେ ଚାପ ପକାଇ ଏବିଭିପି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ କହୁଛନ୍ତି। ଯେଉଁଠି ଏବିଭିପି ପରାଜୟର ଆଶଙ୍କା କରୁଛି, ସେଠାରେ ନିର୍ବାଚନ ବନ୍ଦ କରାଯାଉଛି ବୋଲି ସେ ଦାବି କରିଛନ୍ତି। ତାଙ୍କ ଅନୁସାରେ, ୨୦୦ରୁ ଅଧିକ କଲେଜ ଓ ୩ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ଅଟକାଯାଇଛି। ଏହା ସହ କେତେକ ଶିକ୍ଷାନୁଷ୍ଠାନରେ ବୋମା ଧମକ ଓ ହିଂସା ଘଟାଇ ନିର୍ବାଚନ ବାତିଲ କରିବାକୁ ଉଦ୍ୟମ ହେଉଥିବା ଏବଂ ଏଥିରେ ପୋଲିସର ନିରବ ସମର୍ଥନ ରହିଥିବା ମଧ୍ୟ ବିଜେଡି ଅଭିଯୋଗ କରିଛି।

ଅନ୍ୟପଟେ, ଚିନ୍ମୟ କୁମାର ସାହୁ ନିର୍ବାଚନ ଘୋଷଣାର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶିକ୍ଷାବର୍ଷର କ୍ୟାଲେଣ୍ଡରରେ ପୂର୍ବରୁ ଉଲ୍ଲେଖ ନଥାଇ ଏବଂ ନାମଲେଖା ପ୍ରକ୍ରିୟା ଚାଲିଥିବା ସମୟରେ ତରବରିଆ ଭାବେ ନିର୍ବାଚନ ଘୋଷଣା କରାଯାଇଥିବା ସେ କହିଛନ୍ତି। ଲିଙ୍ଗଦୋହ କମିଶନଙ୍କ ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗ କରି ୨୦୬ଟି କଲେଜରେ ନିର୍ବାଚନ ବାତିଲ କରିବାର କାରଣ ଉଚ୍ଚଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ସବୁଠାରୁ ଗୁରୁତର ଅଭିଯୋଗ ଆଣିଛନ୍ତି ଇପ୍ସିତା ସାହୁ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିସାରିବା ପରେ ଅପରାହ୍ଣ ୪ଟା ୨୫ ମିନିଟ୍‌ରେ ପଛ ତାରିଖର ଏକ ନୋଟିସ୍ ଜାରି କରାଯାଇ ନୂଆ କଟକଣା ଲଗାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହା ଅଣ-ଏବିଭିପି ଛାତ୍ରନେତାଙ୍କ ନାମାଙ୍କନ ଖାରଜ କରିବାର ଏକ ଯୋଜନାବଦ୍ଧ ଉଦ୍ୟମ ବୋଲି ସେ ଦାବି କରିଛନ୍ତି।

ବିଜେଡି ନେତାମାନେ ଚେତାବନୀ ଦେଇଛନ୍ତି, ନିର୍ବାଚନରେ ପକ୍ଷପାତ ଓ ଶେଷ ମୁହୂର୍ତ୍ତରେ ନିୟମ ପରିବର୍ତ୍ତନ ବନ୍ଦ ନହେଲେ ଦଳ ରାଜରାସ୍ତାକୁ ଓହ୍ଲାଇବ। ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ଅଟକାଇବାକୁ ମଧ୍ୟ ଚେତାବନୀ ଦେଇଛି।

ତେବେ ବିଜେଡି ଆଣିଥିବା ଏହି ଅଭିଯୋଗ ଉପରେ ରାଜ୍ୟ ସରକାର କିମ୍ବା ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ତେବେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବଢ଼ୁଥିବା ଏହି ବିବାଦ କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.