ବେଙ୍ଗାଲୁର: ଭାରତର ପୂର୍ବତନ ୱିକେଟକିପର ପାର୍ଥୀବ ପଟେଲ ଆଇପିଏଲକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରରେ ସେ ଖେଳୁଥିବା ବେଳେ ଟିମ ମ୍ୟାନେଜମେଂଟ ତାଙ୍କୁ କୋହଲିଙ୍କ ସ୍ଥାନରେ ଅଧିନାୟକ କରିବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି ।୨୦୧୯ ଆଇପିଏଲ୍ ସିଜନ୍ ପୂର୍ବରୁ ଆରସିବି ମ୍ୟାନେଜମେଣ୍ଟ ବିରାଟ କୋହଲିଙ୍କ ସ୍ଥାନରେ ପାର୍ଥିବ ପଟେଲଙ୍କୁ ଦଳର ଅଧିନାୟକ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଆରସିବିର ତତ୍କାଳୀନ ମୁଖ୍ୟ କୋଚ୍ ଗ୍ୟାରୀ କର୍ଷ୍ଟନ୍ ଏବଂ ବୋଲିଂ କୋଚ୍ ଆଶିଷ ନେହେରା ପାର୍ଥିବଙ୍କୁ ଅଧିନାୟକ ଭାର ନେବା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ ।
ଏହି ରେସ୍ରେ ମୋଇନ୍ ଅଲୀଙ୍କ ନାଁ ମଧ୍ୟ ବିଚାରାଧୀନ ଥିଲା । ୨୦୧୯ ସିଜନ୍ରେ ଆରସିବି ପଏଣ୍ଟ ଟେବୁଲ୍ର ସବୁଠାରୁ ତଳେ ରହିବାରୁ ନେହେରା ଏବଂ କର୍ଷ୍ଟନଙ୍କୁ କୋଚିଂ ପଦରୁ ହଟାଇ ଦିଆଗଲା । ୨୦୨୦ ରେ ମାଇକ୍ ହେସନ୍ ଏବଂ ସାଇମନ୍ କାଟିଚ୍ ନୂଆ କୋଚ୍ ଭାବେ ଆସିବା ପରେ ଅଧିନାୟକ ବଦଳାଇବା ନିଷ୍ପତ୍ତି ବାତିଲ ହୋଇଥିଲା । ୨୦୨୦ ସିଜନ୍ରେ ଏବି ଡିଭିଲିୟର୍ସ ୱିକେଟକିପିଂ କରିବା ଏବଂ ଦେବଦତ୍ତ ପାଡିକଲ୍ ଓପନିଂ କରିବା ଯୋଗୁଁ ପାର୍ଥିବଙ୍କୁ ଗୋଟିଏ ହେଲେ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିନଥିଲା । ଏହି ସିଜନ୍ ଶେଷରେ ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ ।

