ଭୁବନେଶ୍ୱର: ଦୁର୍ଗାପୂଜା ଓ ଦଶହରାକୁ ନେଇ ଉତ୍ସବମୁଖର ହେବାକୁ ଯାଉଛି ସାରା ଓଡ଼ିଶା। ହେଲେ ପୂଜା ମାହୋଲରେ ବର୍ଷା ସାଜିବ କି ବାଧକ? ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପାଗକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ତେବେ ଆଶ୍ୱସ୍ତିର କଥା ହେଉଛି, ଓଡ଼ିଶାରେ ବଡ଼ ଧରଣର ବର୍ଷା ହେବାର ଆଶଙ୍କା କମ୍ ରହିଛି। ଏପରିକି ବିଜୟା ଦଶମୀ ଦିନ ପାଗ ସୁଧୁରିବା ସହ ଅଧିକାଂଶ ସ୍ଥାନରେ ଶୁଖିଲା ପାଗ ରହିପାରେ।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ବା ଆଇଏମ୍ଡିର ସୂଚନା ଅନୁସାରେ, ଥାଇଲାଣ୍ଡ ଉପସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ଅକ୍ଟୋବର ୧୧ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ଅଞ୍ଚଳରେ ପହଞ୍ଚିପାରେ। ଏହାର ପ୍ରଭାବରେ ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେଲେ ବି ଏହାର ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା କିମ୍ବା ବଡ଼ ଧରଣର ବର୍ଷା ହେବାର ଆଶଙ୍କା କମ୍ ବୋଲି ପୂର୍ବାନୁମାନ କରାଯାଉଛି। ଆସନ୍ତା ୬ ଦିନ ଯାଏଁ ଦିନ ଓ ରାତିର ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ନିୟମିତ ଭାବେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଶନିବାର ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଓ ଏହାର ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ମଧ୍ୟ ହୋଇପାରେ। ଶୁକ୍ରବାର ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇଥିଲା।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଟ୍ରଫ୍ଲାଇନ୍ ବା ପୂର୍ବ ଦିଗରୁ ପବନ ପ୍ରବାହ ଯୋଗୁଁ ଅକ୍ଟୋବର ୧୩ ତାରିଖରୁ ଓଡ଼ିଶାର ପାଗ ବଦଳିପାରେ। ୧୩ ତାରିଖ ରାତିରୁ ୧୫ ତାରିଖ ରାତି କିମ୍ବା ୧୬ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି। ତେବେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ଅନ୍ୟପଟେ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କିଛିଟା ଭିନ୍ନ। ତାଙ୍କ ଅନୁସାରେ, ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ। ତେବେ ୧୭ରୁ ୧୯ ତାରିଖ ଅର୍ଥାତ୍ ସପ୍ତମୀରୁ ମହାନବମୀ ପର୍ଯ୍ୟନ୍ତ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ଏବଂ ଅଳ୍ପ କେତେକ ସ୍ଥାନରେ ମଧ୍ୟମ ବର୍ଷା ହୋଇପାରେ।
ପ୍ରଫେସର ପଶୁପାଳକଙ୍କ ଆକଳନ ଅନୁସାରେ, ୧୩ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ୧୪ରୁ ୧୬ ତାରିଖ ମଧ୍ୟରେ ଅଧିକ ସଂଗଠିତ ହୋଇ କେନ୍ଦ୍ରୀୟ କିମ୍ବା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିପାରେ। ୧୫ ତାରିଖ ପାଖାପାଖି ଏହା ସୁସ୍ପଷ୍ଟ ଲଘୁଚାପର ରୂପ ନେଇପାରେ। ଯଦି ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଆଡ଼କୁ ମୁହାଁଏ, ତେବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିପାରେ। ଅନ୍ୟପଟେ ଏହା ଆନ୍ଧ୍ରପ୍ରଦେଶ-ତାମିଲନାଡ଼ୁ ଆଡ଼କୁ ଗତି କଲେ ଓଡ଼ିଶାରେ ବର୍ଷାର ପରିମାଣ କମ୍ ରହିପାରେ।
ତାଙ୍କ ପୂର୍ବାନୁମାନ ଅନୁସାରେ, ୧୫ ଓ ୧୬ ତାରିଖରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୭ ଓ ୧୮ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ୧୯ ତାରିଖରେ ବର୍ଷା କମିବା ସହ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରର କେତେକ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ଏହାପରେ ଅକ୍ଟୋବର ୨୦ ତାରିଖ ବିଜୟା ଦଶମୀରେ ଅଧିକାଂଶ ସ୍ଥାନରେ ପାଗ ସୁଧୁରିବା ସହ ଶୁଖିଲା ରହିବାର ସମ୍ଭାବନା ରହିଛି।
ଏପଟେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ମଧ୍ୟ ଆରମ୍ଭ ହୋଇଛି। ଗତ ଗୁରୁବାର ବରଗଡ଼ର ଅଧିକାଂଶ ଅଞ୍ଚଳରୁ ମୌସୁମୀ ବିଦାୟ ନେଇଥିବାବେଳେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର କିଛି ଅଞ୍ଚଳରୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ପୂର୍ବ ଭାରତର ଆଉ କିଛି ଅଞ୍ଚଳରୁ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ହେଉଛି।
ଏହାସହ ଅକ୍ଟୋବର ୧୦ ତାରିଖରୁ ଆଗାମୀ ୨୪ ଘଣ୍ଟା ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା ରହିଛି। ଏହି ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ।

