Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…
ନୂଆଦିଲ୍ଲୀ: ଭୋଟ୍ ଚୋରି ଅଭିଯୋଗକୁ ନେଇ ଦେଶର ରାଜନୀତି ପୁଣି ଥରେ ସରଗରମ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ପ୍ରସଙ୍ଗ ଏବଂ ଭୋଟର ତାଲିକାରୁ ନାଁ ହଟାଇବା ଅଭିଯୋଗକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ପ୍ରତିନିଧିମଣ୍ଡଳୀ। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଶୁକ୍ରବାର ରାଷ୍ଟ୍ରପତି ଭବନରେ ଏହି ସାକ୍ଷାତ ହୋଇଥିଲା।
ଏନେଇ ରାହୁଲ ଗାନ୍ଧୀ କହିଛନ୍ତି, ଭୋଟ୍ ଚୋରି ସମ୍ପର୍କରେ ବିରୋଧୀଙ୍କ କଥାକୁ ରାଷ୍ଟ୍ରପତି ଧ୍ୟାନର ସହ ଶୁଣିଛନ୍ତି। ରାଷ୍ଟ୍ରପତି ଏହି ଅଭିଯୋଗକୁ ଖଣ୍ଡନ କରିନାହାନ୍ତି ବୋଲି ରାହୁଲ ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ, ରାଷ୍ଟ୍ରପତି ପ୍ରମାଣ କିପରି ଦେବେ ବୋଲି ପଚାରିଥିଲେ। ଏହାର ଉତ୍ତରରେ ବିରୋଧୀ ପ୍ରତିନିଧିମଣ୍ଡଳୀ ପ୍ରମାଣ ଦାଖଲ କରିବ ବୋଲି କହିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଇଭିଏମ୍ ବଦଳରେ ବାଲଟ୍ ପେପର୍ ମାଧ୍ୟମରେ ନିର୍ବାଚନ କରାଯାଉ। ବିରୋଧୀଙ୍କ ଦାବି ହେଉଛି, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଜନସାଧାରଣଙ୍କ ଭରସା ସୁନିଶ୍ଚିତ କରାଯାଉ।
ତେବେ ବିରୋଧୀ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ ଦେଇଥିବା ସ୍ମାରକପତ୍ରରେ ଚାରିଟି ପ୍ରମୁଖ ଦାବି ଉଠାଇଛି। ପ୍ରଥମତଃ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବା ସହ ୨୦୨୩ର ସେହି ଆଇନକୁ ରଦ୍ଦ କରିବାକୁ କୁହାଯାଇଛି, ଯାହା ନିର୍ବାଚନ ଆୟୁକ୍ତମାନଙ୍କୁ ଆଇନଗତ ସୁରକ୍ଷା ଦେଉଛି। ଦ୍ୱିତୀୟତଃ, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସ୍ଆଇଆର୍କୁ ତୁରନ୍ତ ସ୍ଥଗିତ ରଖିବା ସହ ବେଆଇନ ଭାବେ ହଟାଯାଇଥିବା ୧୩ କୋଟି ୩୦ ଲକ୍ଷ ଭୋଟରଙ୍କ ନାଁ ପୁନଃ ଯୋଡ଼ିବାକୁ ଦାବି କରାଯାଇଛି। ତୃତୀୟତଃ, ସମସ୍ତ ନିର୍ବାଚନରେ ପୁଣିଥରେ ବାଲଟ୍ ପେପର୍ ବ୍ୟବହାର ଆରମ୍ଭ କରାଯାଉ। ଚତୁର୍ଥତଃ, ଗତ ଦୁଇ ବର୍ଷ ମଧ୍ୟରେ ହୋଇଥିବା ଯେଉଁ ବିଧାନସଭା ନିର୍ବାଚନଗୁଡ଼ିକରେ ଭୋଟ୍ ଚୋରିର ଠୋସ୍ ପ୍ରମାଣ ରହିଛି ବୋଲି ବିରୋଧୀ ଦାବି କରୁଛନ୍ତି, ସେହି ନିର୍ବାଚନଗୁଡ଼ିକୁ ବାତିଲ କରିବାକୁ ମଧ୍ୟ ସ୍ମାରକପତ୍ରରେ ଦାବି ହୋଇଛି।
ରାଷ୍ଟ୍ରପତିଙ୍କୁ ଭେଟିଥିବା ପ୍ରତିନିଧିମଣ୍ଡଳୀରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ସୁପ୍ରିୟା ସୁଲେ, ମମତା ବାନାର୍ଜୀ, ରାଜୀବ ରାୟ, ମନୋଜ ଝା, ଏମ୍.ଏ. ବେବି, ଡି. ରାଜା ଏବଂ ଉମର ଅବଦୁଲ୍ଲାଙ୍କ ସମେତ ନେତାମାନେ ସାମିଲ ଥିଲେ। ତେବେ ଆସନ୍ତା ୧୨ ଅକ୍ଟୋବରରେ ଏହି ପ୍ରତିନିଧିମଣ୍ଡଳୀ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସ୍ମାରକପତ୍ର ଦେବ ବୋଲି ରାହୁଲ କହିଛନ୍ତି।
ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ସମୟରେ ଅନ୍ୟ ବିରୋଧୀ ସାଂସଦମାନେ ବିଜୟ ଚୌକ୍ରେ ଧାରଣାରେ ବସିଥିଲେ। ସମସ୍ତ ସାଂସଦଙ୍କୁ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ସମୟ ମିଳିନଥିବାରୁ ପ୍ରତିବାଦ ମାର୍ଚ୍ଚ କରାଯାଇଥିବା କଂଗ୍ରେସ ସାଂସଦ ରାଜୀବ ଶୁକ୍ଳା କହିଛନ୍ତି। ତାଙ୍କ ଅନୁସାରେ, ଇଣ୍ଡି ମେଣ୍ଟର କେବଳ ୧୦ ଜଣ ନେତାଙ୍କୁ ସାକ୍ଷାତ ପାଇଁ ସମୟ ମିଳିଥିଲା। ଏହି ପ୍ରତିବାଦ ଯୋଗୁଁ ଦିଲ୍ଲୀରେ ଯାତାୟାତ ଓ ସାଧାରଣ ଲୋକଙ୍କୁ ଅସୁବିଧା ହୋଇଥିବା ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି।
କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି, ଦେଶର ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ରାଜନୈତିକ ଦଳର ସଦସ୍ୟ ହୁଅନ୍ତୁ କି ନହୁଅନ୍ତୁ, ଅନେକ ଦେଶପ୍ରେମୀ ଲୋକ ଉଦ୍ୟମ କରୁଛନ୍ତି। ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଥିବା ସମସ୍ତଙ୍କୁ ସେ ସଲାମ ଜଣାଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ମଧ୍ୟ ବାଲଟ୍ ପେପର୍ରେ ଭୋଟିଂ କରାଇବା ଏବଂ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ସପକ୍ଷରେ ମତ ଦେଇଛନ୍ତି।

