Latest Odisha News

BREAKING NEWS

Major Flood Hits Nepal: ନେପାଳରେ ପୁଣି ପ୍ରଳୟଙ୍କରୀ ବନ୍ୟା! ଘର, ପୋଲ, ବେସ୍ କ୍ୟାମ୍ପକୁ ଭସାଇ ନେଲା ବୁଢ଼ୀ ଗଣ୍ଡକୀର ପ୍ରଖର ସ୍ରୋତ

କାଠମାଣ୍‌ଡୁ: ପିଛା ଛାଡୁନି ବିପର୍ଯ୍ୟୟ! ନେପାଳରେ ପୁଣି ପ୍ରକୃତିର ତାଣ୍ଡବ! ହଠାତ୍ ମାଡ଼ି ଆସିଲା ବନ୍ୟା। ଦେଖୁ ଦେଖୁ ନଦୀର ପ୍ରଖର ସ୍ରୋତରେ ଭାସିଗଲା ଘର, ପୋଲ ଓ ନିର୍ମାଣାଧୀନ ଜଳବିଦ୍ୟୁତ୍ ପ୍ରକଳ୍ପର ବେସ୍ କ୍ୟାମ୍ପ। ନଦୀରେ ମାଟି, ପଥର ଓ ବିଶାଳ ଗଛ ଭାସି ଆସିବା ସହ ଚାରିଆଡ଼େ ଧ୍ୱଂସର ଚିତ୍ର ସାମ୍ନାକୁ ଆସିଛି। ବନ୍ୟାର ଭୟାବହ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ରବିବାର, ଅକ୍ଟୋବର ୧୧ ତାରିଖ ଭୋର ପ୍ରାୟ ୪ଟାରେ ନେପାଳର ଗୋରଖା ଜିଲ୍ଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ୍ ବନ୍ୟା ଆସିଥିଲା। ଏହାର ପ୍ରଭାବରେ ଦୋଭାନ, ଘଟ୍ଟେଖୋଲା, ଜଗତ, ସଲ୍ଲେରୀ, ଚୁମାନୁବ୍ରି ଓ ଧାର୍ଚେ ଗ୍ରାମପାଳିକାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି।

ଗୋରଖା ଜିଲ୍ଲାର ମୁଖ୍ୟ ଜିଲ୍ଲା ଅଧିକାରୀ ଧର୍ମେନ୍ଦ୍ର କୁମାର ମିଶ୍ରଙ୍କ ସୂଚନା ଅନୁସାରେ, ପ୍ରାୟ ୧୦୦ଟି ଘର ଭାସିଯାଇଥିବା ଆଶଙ୍କା କରାଯାଉଛି। ଛୋଟବଡ଼ ମିଶାଇ ପ୍ରାୟ ୬ଟି ପୋଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଚୁମାନୁବ୍ରିରୁ ନ୍ୟାକଚେତ-ସିର୍ଦିବାସକୁ ସଂଯୋଗ କରୁଥିବା ପୋଲଟି ବନ୍ୟାରେ ଭାସିଯାଇଛି। ସଲ୍ଲେରୀରେ ନିର୍ମାଣାଧୀନ ଜଳବିଦ୍ୟୁତ୍ ପ୍ରକଳ୍ପର ବେସ୍ କ୍ୟାମ୍ପ ମଧ୍ୟ ଭାରୀ କ୍ଷତିଗ୍ରସ୍ତ ହୋଇଛି।

ତେବେ ଏଯାଏଁ ମୃତାହତଙ୍କ ସଂଖ୍ୟା ଓ ମୋଟ କ୍ଷୟକ୍ଷତିର ସଠିକ୍ ଆକଳନ ହୋଇପାରିନାହିଁ। ନେପାଳର ଗୃହମନ୍ତ୍ରୀ ସୁଦନ ଗୁରୁଙ୍ଗଙ୍କ ନିର୍ଦ୍ଦେଶରେ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି। ବନ୍ୟାରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଉଦ୍ଧାରକାରୀ ଦଳ ଲାଗିପଡ଼ିଛନ୍ତି।

ଏପଟେ ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା କର୍ତ୍ତୃପକ୍ଷ (NDRRMA) ମଧ୍ୟ ବନ୍ୟା ସତର୍କତା ଜାରି କରିଛି। ରବିବାର ସକାଳ ୬ଟା ୪୦ ମିନିଟ୍‌ରେ ଜାରି ଆଲର୍ଟରେ ତ୍ରିଶୂଳୀ ଦୋଭାନ ପର୍ଯ୍ୟନ୍ତ ନଦୀ କୂଳକୁ ନଯିବା ଏବଂ ପାଣି କମିବା ପର୍ଯ୍ୟନ୍ତ ଉଚ୍ଚ ସ୍ଥାନରେ ରହିବାକୁ ଲୋକଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୬ ତାରିଖରେ ମଧ୍ୟ ନେପାଳରେ ଭୟଙ୍କର ବନ୍ୟା ଆସିଥିଲା। ଭୋଟେ କୋଶୀ ଓ ତ୍ରିଶୂଳୀ ନଦୀ କୂଳରେ ଥିବା ଅଞ୍ଚଳ ସହ ରସୁୱା, ନୁୱାକୋଟ, ଧାଦିଙ୍ଗ ଓ ଚିତୱନ ଜିଲ୍ଲା ପ୍ରଭାବିତ ହୋଇଥିଲା। ଏବେ ପୁଣି ବନ୍ୟା ଆସିବା ପରେ ନେପାଳରେ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ବଢ଼ିଛି।

 

 

Leave A Reply

Your email address will not be published.