Latest Odisha News

BREAKING NEWS

SC on CJP Protest: ବ୍ୟାରିକେଡ୍ ହଟାଅ, ଇଣ୍ଟରନେଟ୍ ଚାଲୁ କର…CJP ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ CJP ଆନ୍ଦୋଳନକୁ ନେଇ ପୋଲିସର କଟକଣା ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ସାଧାରଣ ଲୋକଙ୍କ ଯାତାୟାତ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଅଦାଲତ ଗୁରୁତ୍ୱ ଦେଇଛନ୍ତି। ଯେଉଁ ସ୍ଥାନରେ ଆଇନଶୃଙ୍ଖଳା ନେଇ ପ୍ରକୃତ ଆଶଙ୍କା ରହିଛି, କେବଳ ସେଠାରେ ଆବଶ୍ୟକ ଅନୁଯାୟୀ ବ୍ୟାରିକେଡ୍ ରଖିବାକୁ କୁହାଯାଇଛି। ଅନ୍ୟ ସ୍ଥାନରୁ ଅନାବଶ୍ୟକ ବ୍ୟାରିକେଡ୍ ହଟାଇବା ସହ ଲୋକଙ୍କ ମୁକ୍ତ ଯାତାୟାତ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅକ୍ଟୋବର ୧୧ରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ CJP ଆନ୍ଦୋଳନକୁ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି କରିଥିଲେ। ଆନ୍ଦୋଳନ ଯୋଗୁଁ ମେଟ୍ରୋ ଓ ରେଳ ସେବାରେ କଟକଣା ଲଗାଯିବା ଏବଂ ଏହା ସମ୍ପର୍କିତ ପୂର୍ବ ନିର୍ଦ୍ଦେଶର ଅବମାନନା ଅଭିଯୋଗ ନେଇ ଆବେଦନ ହୋଇଥିଲା। କେନ୍ଦ୍ର ସରକାରଙ୍କୁ ଅନ୍ତରୀଣ ନିର୍ଦ୍ଦେଶ ଦେଇ ମେଟ୍ରୋ ଓ ରେଳ ସେବା ସ୍ୱାଭାବିକ ରଖିବା, ଇଣ୍ଟରନେଟ୍ ସେବା ପୁନଃ ଚାଲୁ କରିବା ଏବଂ ସାଧାରଣ ଲୋକଙ୍କ କାମରେ ଅଯଥା ବାଧା ନଦେବାକୁ କୋର୍ଟ କହିଛନ୍ତି।

ଏହି ବିବାଦର ମୂଳରେ ରହିଛି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନକୁ ନେଇ CJPର ପ୍ରତିବାଦ। ଅକ୍ଟୋବର ୧୦ରେ ପ୍ରସ୍ତାବିତ ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ମେଟ୍ରୋ ଷ୍ଟେସନ୍ ବନ୍ଦ, ରେଳ ସେବାରେ କଟକଣା ଓ କିଛି ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ ଭଳି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଥିଲା। ସୁପ୍ରିମକୋର୍ଟ ପୂର୍ବରୁ ମଧ୍ୟ ସମ୍ପୂର୍ଣ୍ଣ ମେଟ୍ରୋ ଓ ରେଳ ସେବା ବନ୍ଦ ନକରି, ଆବଶ୍ୟକ ହେଲେ ନିୟନ୍ତ୍ରିତ ଭାବେ ଚଳାଇବାକୁ କହିଥିଲେ।

ତେବେ ଆଇନଶୃଙ୍ଖଳା ରକ୍ଷା କରିବା ଜରୁରୀ ହୋଇଥିଲେ ମଧ୍ୟ, ସେଥିପାଇଁ ସାଧାରଣ ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ ଜୀବନକୁ ଅନାବଶ୍ୟକ ଭାବେ ବାଧା ଦିଆଯିବା ଉଚିତ ନୁହେଁ ବୋଲି ଅଦାଲତ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ସମସ୍ତ ପକ୍ଷଙ୍କ ମତ ଶୁଣିବା ପରେ ଆଗକୁ ଅଧିକ ଶୁଣାଣି ହେବ।

Leave A Reply

Your email address will not be published.