ମୁମ୍ବାଇ: ହିନ୍ଦି ଚଳଚ୍ଚିତ୍ର ଦୁନିଆର ଶେହେନଶାହ ଆଜି ମଧ୍ୟ କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ୍ କରୁଛନ୍ତି । ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିୟରରେ ସେ ଅନେକ ସ୍ମରଣୀୟ ଫିଲ୍ମରେ ଅଭିନୟ କରିଥିବେ ବେଳେ ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ରମୁଖ ପୁରସ୍କାର ଜିତିଛନ୍ତି ଏବଂ ବକ୍ସ ଅଫିସରେ ନିଜର ଜଲୱା ମଧ୍ୟ ଦେଖାଇଛନ୍ତି ।
ଚଳଚ୍ଚିତ୍ର ବ୍ୟତୀତ ସେ ଟେଲିଭିଜନରେ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିଛନ୍ତି। ଅମିତାଭ ବଚ୍ଚନଙ୍କ ସବୁଠାରୁ ବଡ଼ ଶକ୍ତି ହେଉଛି ବିଭିନ୍ନ ଯୁଗରେ ତାଙ୍କର ଲୋକପ୍ରିୟତା ବଜାୟ ରଖିବା।
ସେ ୧୯୭୦ ଏବଂ ୧୯୮୦ ଦଶକରେ ହିନ୍ଦୀ ସିନେମାର ସବୁଠାରୁ ବଡ଼ ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ। ନୂତନ ଶତାବ୍ଦୀରେ ସେ ବିଭିନ୍ନ ଚରିତ୍ରରେ ଅଭିନୟ କରି ତାଙ୍କର ଅଭିନୟ ଦକ୍ଷତା ପ୍ରମାଣିତ କରିଛନ୍ତି । ଏହି ଦୀର୍ଘ ଏବଂ ସଫଳ କ୍ୟାରିୟର ତାଙ୍କୁ ଭାରତୀୟ ମନୋରଞ୍ଜନ ଶିଳ୍ପର ପ୍ରମୁଖ ବ୍ୟକ୍ତିତ୍ୱ ଭାବରେ ପରିଚୟ କରାଇଛି । ଅକ୍ଟୋବର ୧୧ ତାରିଖରେ ବିଗ୍ ବି ୮୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।
୧୯୬୯ ମସିହାରେ “ସାତ ହିନ୍ଦୁସ୍ତାନୀ” ଚଳଚ୍ଚିତ୍ର ସହିତ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୦ ଦଶକରେ ଜଞ୍ଜିର ଓ ଦିୱାର ଏବଂ ସୋଲେ ଭଳି ଫିଲ୍ମ ତାଙ୍କୁ ଅପାର ଲୋକପ୍ରିୟତା ଆଣି ଦେଇଥିଲା।
ଅମିତାଭ ବଚ୍ଚନଙ୍କ ସବୁଠାରୁ ସଫଳ କ୍ୟାରିଅର ସତୁରୀ ଏବଂ ଅଶୀ ଦଶକ ପର୍ଯ୍ୟନ୍ତ ବ୍ୟାପିଥିଲା। ୧୯୭୩ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ “ଜଞ୍ଜୀର” ର ସଫଳତା ପରେ ତାଙ୍କ କ୍ୟାରିଅର ବୃଦ୍ଧି ପାଇଥିଲା।ଯାହା ତାଙ୍କୁ ହିନ୍ଦୀ ସିନେମାର ସବୁଠାରୁ ବଡ଼ ତାରକାମାନଙ୍କ ମଧ୍ୟରେ ପ୍ରତିଷ୍ଠା କରିଥିଲା।
ପରବର୍ତ୍ତୀ ସମୟରେ ସେ ଦିୱାର, ସୋଲେ, ଅମର ଆକବର ଆନ୍ଥୋନି, ଡନ୍, “ତ୍ରିଶୁଳ, ମୁକଦ୍ଦର କା ସିକନ୍ଦର, ଏବଂ କୁଲି ସମେତ ଅନେକ ସଫଳ ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମଗୁଡ଼ିକ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟତାକୁ ନୂତନ ଉଚ୍ଚତାରେ ପହଞ୍ଚାଇଥିଲା। ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ପାଇଁ ସେ ଦର୍ଶକଙ୍କ ମଧ୍ୟରେ ଏକ ଖ୍ୟାତି ପ୍ରତିଷ୍ଠା କରିଥିଲେ।
୧୯୭୮ ମସିହାକୁ ଅମିତାଭ ବଚ୍ଚନଙ୍କ କ୍ୟାରିଅରରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଭାବରେ ବିବେଚନା କରାଯାଏ। ତାଙ୍କର ଚାରୋଟି ଲୋକପ୍ରିୟ ଚଳଚ୍ଚିତ୍ର ଡନ୍, ତ୍ରିଶୁଳ, ମୁକଦ୍ଦର କା ସିକନ୍ଦର, ଏବଂ କସମେ ୱାଦେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଗୁଡ଼ିକ ତାଙ୍କୁ ବକ୍ସ ଅଫିସ୍ ଷ୍ଟାର ଭାବରେ ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ସମସ୍ତ ଚଳଚ୍ଚିତ୍ର ଥିଏଟରରେ ୫୦ ସପ୍ତାହ ଧରି ଚାଲିଥିଲା।
ଅମିତାଭ ବଚ୍ଚନ ତାଙ୍କ କ୍ୟାରିଅର ମଧ୍ୟରେ ଅନେକ ଫିଲ୍ମରେ ଡବଲ ରୋଲ୍ କରିଥିଲେ। ଅଦାଲତ, ଡନ୍ ଏବଂ କସମେ ୱାଦେ ଭଳି ଫିଲ୍ମରେ ତାଙ୍କର ଡବଲ ରୋଲ୍ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ଥିଲା।
ତାଙ୍କର ଶକ୍ତିଶାଳୀ ଅଭିନୟ ବିଶିଷ୍ଟ ଚଳଚ୍ଚିତ୍ରଗୁଡ଼ିକର ତାଲିକା ଏତେ ଲମ୍ବା ଯେ ସେଗୁଡ଼ିକୁ ଗଣନା କରିବା ଅସମ୍ଭବ ପରି ଲାଗେ। ତଥାପି, ବିଗ୍ ବିଙ୍କ କିଛି ଚଳଚ୍ଚିତ୍ର କେବଳ ଦର୍ଶକଙ୍କ ଠାରୁ ଭଲ ପାଇବା ପାଇନାହିଁ ବରଂ ଦେଶର ସର୍ବୋଚ୍ଚ ସମ୍ମାନ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛି। ଏହା ଉଲ୍ଲେଖନୀୟ ଯେ ବିଗ୍ ବି ଅଗ୍ନିପଥ, ବ୍ଲାକ୍, ପା, ଏବଂ ପିକୁ ସିନେମାରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଚାରି ଥର ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ପାଇଛନ୍ତି।
ପଦ୍ମଶ୍ରୀ ଠାରୁ ପଦ୍ମ ବିଭୂଷଣ ଏବଂ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କୁ ୧୯୮୪ ରେ ପଦ୍ମଶ୍ରୀ, ୨୦୦୧ ରେ ପଦ୍ମ ଭୂଷଣ ଏବଂ ୨୦୧୫ ରେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ଅମିତାଭ ବଚ୍ଚନଙ୍କୁ ଆନ୍ତର୍ଜାତୀୟ ସ୍ୱୀକୃତି ମଧ୍ୟ ମିଳିଛି। ୨୦୦୭ରେ ତାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅଫିସର ଅଫ୍ ଦି ଲିଜିଅନ୍ ଅଫ୍ ଅନର୍’ ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଲଣ୍ଡନର ପ୍ରସିଦ୍ଧ ମାଡାମ ତୁସାଦ ସଂଗ୍ରହାଳୟରେ ସ୍ଥାପିତ ପ୍ରଥମ ଏସୀୟ ଅଭିନେତା ଭାବେ ଅମିତାଭ ବଚ୍ଚନ ସ୍ଥାନ ପାଇଥିଲେ।

