India’s GDP growth: ବିଶ୍ବ ଅର୍ଥନୀତି ଟଳମଳ, ଦ୍ରୁତ ଗତିରେ ଦୌଡୁଛି ଭାରତ! GDP ବୃଦ୍ଧି ଅନୁମାନ ୭%କୁ ବଢ଼ାଇଲା IMF
ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ଉପରେ ମହଙ୍ଗା ତେଲ ଓ ଅନିଶ୍ଚିତତାର ଚାପ। ଅନେକ ଦେଶର ଅର୍ଥନୈତିକ ବିକାଶ ଗତି ଧିମା ହେବାର ଆଶଙ୍କା। କିନ୍ତୁ ଏସବୁ ଭିତରେ ଭାରତୀୟ ଅର୍ଥନୀତିକୁ ନେଇ ଆସିଛି ବଡ଼ ଖବର। ଭାରତର GDP ବୃଦ୍ଧି ହାରକୁ ନେଇ ନିଜର ଆକଳନ ବଢ଼ାଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବା IMF। ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ୭ ପ୍ରତିଶତ ହାରରେ ବଢ଼ିବ ବୋଲି ଆକଳନ କରିଛି ସଂସ୍ଥା। ତେବେ ଏହି ଆକଳନ ବୃଦ୍ଧି ପଛରେ କେଉଁ ସବୁ କାରଣ ରହିଛି? ଆସନ୍ତୁ ଜାଣିବା…
IMFର ଅକ୍ଟୋବର ୨୦୨୬ ୱାର୍ଲ୍ଡ ଇକୋନୋମିକ୍ ଆଉଟଲୁକ୍ ରିପୋର୍ଟ ଅନୁଯାୟୀ, ୨୦୨୬ ପାଇଁ ଭାରତର GDP ବୃଦ୍ଧି ଅନୁମାନକୁ ପୂର୍ବରୁ ଥିବା ୬.୪ ପ୍ରତିଶତରୁ ବଢ଼ାଇ ୭ ପ୍ରତିଶତ କରାଯାଇଛି। ଅର୍ଥାତ୍ ପୂର୍ବ ଆକଳନ ତୁଳନାରେ ୦.୬ ପ୍ରତିଶତ ପଏଣ୍ଟ ବୃଦ୍ଧି ହୋଇଛି। ଏପ୍ରିଲରେ କରାଯାଇଥିବା ଆକଳନଠାରୁ ମଧ୍ୟ ଏହା ୦.୫ ପ୍ରତିଶତ ପଏଣ୍ଟ ଅଧିକ। ସେହିପରି ୨୦୨୭ ପାଇଁ ମଧ୍ୟ ଭାରତର GDP ବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ଆକଳନ କରିଛି IMF। ଜୁଲାଇର ଆକଳନ ତୁଳନାରେ ଏଥିରେ ୦.୩ ପ୍ରତିଶତ ପଏଣ୍ଟ ଏବଂ ଏପ୍ରିଲର ଆକଳନ ତୁଳନାରେ ୦.୫ ପ୍ରତିଶତ ପଏଣ୍ଟ ବୃଦ୍ଧି କରାଯାଇଛି।
ଭାରତର ଅର୍ଥନୀତିକୁ ମିଳୁଛି କେଉଁଠୁ ବଳ?
IMF ଅନୁସାରେ, ଭାରତରେ ଘରୋଇ ଚାହିଦା ମଜବୁତ ରହିଛି। ଲୋକଙ୍କ ଖର୍ଚ୍ଚ ଏବଂ ବଜାରରେ ସାମଗ୍ରୀ ଓ ସେବାର ଚାହିଦା ଅର୍ଥନୈତିକ କାର୍ଯ୍ୟକଳାପକୁ ଗତି ଦେଉଛି। ଏହା ସହ ସେବା କ୍ଷେତ୍ରର ଭଲ ପ୍ରଦର୍ଶନ ମଧ୍ୟ ଭାରତର ବିକାଶକୁ ସହାୟତା କରୁଛି। ଭାରତର ଯୁବ ଜନସଂଖ୍ୟା ଦୀର୍ଘକାଳୀନ ବିକାଶ ପାଇଁ ଏକ ବଡ଼ ସମ୍ଭାବନା। ଏହା ସହ ଦେଶରେ ଚାଲିଥିବା ଅର୍ଥନୈତିକ ଓ ଢାଞ୍ଚାଗତ ସଂସ୍କାର ମଧ୍ୟ ଭବିଷ୍ୟତରେ ବିକାଶର କ୍ଷମତା ବଢ଼ାଇବ ବୋଲି ଆଶା ରଖିଛି IMF।
ବିଶ୍ୱ ଅର୍ଥନୀତିର ଗତି କେତେ?
IMFର ଆକଳନ ଅନୁଯାୟୀ, ବିଶ୍ୱ ଅର୍ଥନୀତି ୨୦୨୬ରେ ୩.୧ ପ୍ରତିଶତ ଏବଂ ୨୦୨୭ରେ ୩.୪ ପ୍ରତିଶତ ହାରରେ ବଢ଼ିପାରେ। ୨୦୨୫ରେ ବିଶ୍ୱ ଅର୍ଥନୈତିକ ବିକାଶ ହାର ୩.୫ ପ୍ରତିଶତ ଥିଲା। ଆମେରିକାର ବିକାଶ ହାର ୨୦୨୬ ଓ ୨୦୨୭ ଉଭୟ ବର୍ଷରେ ୨.୩ ପ୍ରତିଶତ ରହିବାର ଆକଳନ ହୋଇଛି। ଚୀନର ବିକାଶ ହାର ୨୦୨୬ରେ ୪.୫ ପ୍ରତିଶତ ଏବଂ ୨୦୨୭ରେ ୪ ପ୍ରତିଶତ ରହିପାରେ। ଉଦୀୟମାନ ଓ ବିକାଶଶୀଳ ଏସୀୟ ଦେଶଗୁଡ଼ିକର ବିକାଶ ହାର ୨୦୨୫ର ୫.୬ ପ୍ରତିଶତରୁ ହ୍ରାସ ପାଇ ୨୦୨୬ରେ ୫.୧ ପ୍ରତିଶତ ଏବଂ ୨୦୨୭ରେ ୪.୯ ପ୍ରତିଶତ ହୋଇପାରେ।
ତଥାପି ରହିଛି ଚ୍ୟାଲେଞ୍ଜ!
IMF ଭାରତର ବିକାଶ ଆକଳନ ବଢ଼ାଇଥିଲେ ମଧ୍ୟ ମହଙ୍ଗା ଅଶୋଧିତ ତୈଳ ଏକ ବଡ଼ ଚିନ୍ତାର କାରଣ। ତେଲ ଦର ଅଧିକ ରହିଲେ ଭାରତର ଆମଦାନି ଖର୍ଚ୍ଚ ବଢ଼ିପାରେ। ଏହାର ପ୍ରଭାବ ମୁଦ୍ରାସ୍ଫୀତି ଉପରେ ମଧ୍ୟ ପଡ଼ିପାରେ। ଏହା ସହ ବିଶ୍ୱରେ ବଢ଼ୁଥିବା ଅନିଶ୍ଚିତତା ଅର୍ଥନୈତିକ ବିକାଶକୁ ପ୍ରଭାବିତ କରିପାରେ।
IMF କହିଛି, ବିଶ୍ୱ ଅର୍ଥନୀତି ଏବେ ବି ଚାପ ସତ୍ତ୍ୱେ ନିଜର ସ୍ଥିରତା ବଜାୟ ରଖିଛି। କିନ୍ତୁ ଏହି ସ୍ଥିରତା ଦିନକୁ ଦିନ ଅଧିକ ଦୁର୍ବଳ ଓ ଅସମାନ ହେଉଛି। ଏଭଳି ପରିସ୍ଥିତିରେ ଭାରତର ମଜବୁତ ଘରୋଇ ଚାହିଦା ଓ ସେବା କ୍ଷେତ୍ରର ପ୍ରଦର୍ଶନ ଅର୍ଥନୀତି ପାଇଁ ଆଶାର କିରଣ ପାଲଟିଛି।

