ନୂଆଦିଲ୍ଲୀ: ପ୍ୟାଣ୍ଟ୍ ପକେଟରେ ଫୋନ୍ ରଖିବା ଏବଂ ଲାପଟପ୍କୁ ସିଧାସଳଖ କୋଳରେ ରଖି ବ୍ୟବହାର କରିବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି । ଏହାଦ୍ଵାରା ପୁରୁଷମାନଙ୍କ ଫର୍ଟିଲିଟି ବା ସ୍ପର୍ମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚୁଥିବା କଥା ଆପଣ ବାରମ୍ବାର ଶୁଣିଥିବେ । ଏହି ସାଧାରଣ ଅଭ୍ୟାସଗୁଡ଼ିକ କ’ଣ ସ୍ପର୍ମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ ଏବଂ ଏହାର ପ୍ରଭାବ ପୁରୁଷମାନଙ୍କ ଫର୍ଟିଲିଟି ଉପରେ ପଡ଼େ କି ? ଏହା ଶୁଣିବାକୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବେଶ୍ ଚିନ୍ତାଜନକ ଲାଗେ, କିନ୍ତୁ ଏହାକୁ ଗଭୀର ଭାବରେ ଅନୁଧ୍ୟାନ କଲେ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥାଏ । ଏହି ଗ୍ୟାଜେଟ୍ ଏବଂ ଫର୍ଟିଲିଟି ମଧ୍ୟରେ ସମ୍ପର୍କକୁ ନେଇ କିଛି ଅଧ୍ୟୟନ ମଧ୍ୟ କରାଯାଇଛି । ଗ୍ରେଟ୍ ନୋଏଡ଼ାର ୟଥାର୍ଥ ସୁପର ସ୍ପେଶାଲିଟି ହସ୍ପିଟାଲର ସିନିୟର କନ୍ସଲ୍ଟାଣ୍ଟ୍ ଡକ୍ଟର ଅଭିଜିତ୍ କୋଟବାଗି କହନ୍ତି ଯେ, ପକେଟରେ ମୋବାଇଲ୍ ରଖିବା ଏବଂ କୋଳରେ ଲାପଟପ୍ ରଖି ଚଳାଇବା ପୁରୁଷଙ୍କ ସ୍ପର୍ମ ସ୍ୱାସ୍ଥ୍ୟ ଏବଂ ଫର୍ଟିଲିଟି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହାର ମୁଖ୍ୟତଃ ଦୁଇଟି କାରଣ ରହିଛି—ଗରମ ଏବଂ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ରେଡିଏସନ୍ ।
ବିଶେଷଜ୍ଞମାନଙ୍କ ମତରେ, ଆମ ଶରୀରର ପ୍ରାକୃତିକ ଗଠନ ଏପରି ଭାବରେ ହୋଇଛି ଯେ ଅଣ୍ଡକୋଷର ତାପମାତ୍ରା ଶରୀରର ସାଧାରଣ ତାପମାତ୍ରାଠାରୁ ପ୍ରାୟ ଦେଢ଼ରୁ ଦୁଇ-ତିନି ଡିଗ୍ରୀ ସେଲ୍ସିୟସ୍ କମ୍ ରହିଥାଏ । ଏହାଦ୍ଵାରା ସୁସ୍ଥ ଶୁକ୍ରାଣୁ ଗଠନ ହୋଇଥାଏ । ଆମେ ଯେତେବେଳେ ଲାପଟପ୍ କୋଳରେ ରଖୁ, ସେତେବେଳେ ବାହାରୁଥିବା ଉତ୍ତାପ ତାପମାତ୍ରାକୁ ପ୍ରାୟ ୧ ରୁ ୫ ଡିଗ୍ରୀ ସେଲ୍ସିୟସ୍ ପର୍ୟ୍ୟନ୍ତ ବଢ଼ାଇ ପାରେ । ଏହାର ପ୍ରଭାବ ଏହା ହୁଏ ଯେ ସ୍ପର୍ମର ସଂଖ୍ୟା ଏବଂ ଫର୍ଟିଲିଟି ଉପରେ ନକାରାତ୍ମକ ପ୍ରଭାବ ପଡ଼େ । ସେହିପରି ପକେଟରେ ମୋବାଇଲ୍ ରଖିଲେ ସେଥିରୁ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ରେଡିଏସନ୍ ବାହାରିଥାଏ, ଯାହା ଶୁକ୍ରାଣୁର ଗୁଣବତ୍ତାକୁ ମଧ୍ୟ ପ୍ରଭାବିତ କରିପାରେ । ପବମେଡରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୦୮ ମସିହାରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଥିଲା ଯେ ଲାପଟପ୍ କମ୍ପ୍ୟୁଟରର ବ୍ୟବହାର ଫଳରେ ଅଣ୍ଡକୋଷର ତାପମାତ୍ରା ବୃଦ୍ଧି ପାଇଥାଏ । ଏହାପରେ ୨୦୧୦ରେ ମଧ୍ୟ ଏକ ଅଧ୍ୟୟନ କରାଯାଇଥିଲା ଏବଂ ସେଥିରେ ମଧ୍ୟ ସମାନ ପରିଣାମ ସାମ୍ନାକୁ ଆସିଥିଲା । ମୋବାଇଲ୍ ଫୋନ୍ ନେଇ ମଧ୍ୟ ଅନେକ ଅଧ୍ୟୟନ କରାଯାଇଛି । ଫର୍ଟିଲିଟି ଯାଞ୍ଚ କରୁଥିବା ୩୬୧ ଜଣ ପୁରୁଷଙ୍କୁ ନେଇ କରାଯାଇଥିବା ଏକ ପରୀକ୍ଷାରୁ ଜଣାପଡ଼ିଲା ଯେ ଦୀର୍ଘ ସମୟ ପର୍ୟ୍ୟନ୍ତ ମୋବାଇଲ୍ ଫୋନ୍ ସଂସ୍ପର୍ଶରେ ରହୁଥିବା ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା, ଗତିଶୀଳତା ଏବଂ ଗୁଣବତ୍ତାରେ ହ୍ରାସ ପାଇଥିବାର ଦେଖାଯାଇଛି ।

