ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏଲ୍. ମୁରୁଗାନ (L. Murugan) ଆଜି, ୧୩ ଅକ୍ଟୋବର ୨୦୨୬ରେ ନିଜ ମନ୍ତ୍ରୀ ପଦ ଏବଂ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ମଧ୍ୟ ରାଷ୍ଟ୍ର ପାହ୍ୟା ଦାୟିତ୍ବରେ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି।
ନିଜ ଇସ୍ତଫା ପତ୍ରରେ ସେ ନେଇଥିବା ନିଷ୍ପତ୍ତିର ମୁଖ୍ୟ କାରଣ ଦର୍ଶାଇଛନ୍ତି। ସେ ଜଣାଇଛନ୍ତି ଯେ ସେ ମୂଳ ସ୍ତରରୁ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି କାମ କରିବାକୁ ଚାହାଁନ୍ତି। ଆଗାମୀ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ଭାରତୀୟ ଜନତା ପାର୍ଟି (BJP) ର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସେ ସମ୍ପୂର୍ଣ୍ଣ ସମୟ ଦେବାକୁ ଏହି ପଦକ୍ଷେପ ନେଇଛନ୍ତି।
ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ (X) ରେ ଲେଖିଛନ୍ତି, “ରାଷ୍ଟ୍ର ସର୍ବୋପରି, ତା’ପରେ ପାର୍ଟି, ଏବଂ ସବୁଠାରୁ ଶେଷରେ ନିଜ ସ୍ୱାର୍ଥ” ଏବେ ମୁଁ ପୁଣି ତୃଣମୂଳ ସ୍ତରକୁ ଫେରିବାକୁ ଚାହୁଁଛି, ମୋ କାର୍ୟ୍ୟକର୍ତ୍ତାମାନଙ୍କ ସହ ଠିଆ ହେବାକୁ ଚାହୁଁଛି ଏବଂ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜେପିକୁ ଆହୁରି ମଜବୁତ କରିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିବାକୁ ଚାହୁଁଛି। ସେ ଦଳ ପ୍ରତି ପ୍ରତିବଦ୍ଧତା ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ତାଙ୍କର ଏହି ହଠାତ ଇସ୍ତଫା ପରେ ପ୍ରଧାନମନ୍ତ୍ରୀଙ୍କ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ (Cabinet Reshuffle) ହେବାର ସମ୍ଭାବନାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ୨୦୨୯ ଲୋକସଭା ନିର୍ବାଚନକୁ ନଜରରେ ରଖି ବିଜେପି ତାମିଲନାଡୁରେ ନିଜ ସଂଗଠନକୁ ମଜବୁତ କରିବାର ରଣନୀତି ଉପରେ କାମ କରୁଥିବା କୁହାଯାଉଛି। ମୁରୁଗନଙ୍କୁ ସାଂଗଠନିକ ଓ ରାଜନୈତିକ ଦାୟିତ୍ୱ ସହ ରାଜ୍ୟ ରାଜନୀତିରେ ସକ୍ରିୟ ଭୂମିକା ଦେବା ପାଇଁ ପ୍ରସ୍ତୁତି ଚାଲିଥିବା ମଧ୍ୟ ଚର୍ଚ୍ଚା ହେଉଛି। ତାମିଲନାଡୁ ବିଜେପିର ନେତୃତ୍ୱ ନେଇସାରିଥିବା ମୁରୁଗନଙ୍କୁ ରାଜ୍ୟରେ ପାର୍ଟିର ଏକ ପ୍ରମୁଖ ଦଳିତ ଚେହେରା ଭାବେ ଦେଖାଯାଏ।
ଏଲ୍. ମୁରୁଗନ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା। ସେ ଜୁଲାଇ ୨୦୨୧ରୁ ଜୁନ ୨୦୨୪ ପର୍ୟ୍ୟନ୍ତ ମତ୍ସ୍ୟଚାଷ, ପଶୁପାଳନ ଓ ଡେୟରି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ ୨୦୧୭ରୁ ୨୦୨୦ ପର୍ୟ୍ୟନ୍ତ ଜାତୀୟ ଅନୁସୂଚିତ ଜାତି ଆୟୋଗର ଉପାଧ୍ୟକ୍ଷ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ।

