ନୂଆଦିଲ୍ଲୀ: ଚଳିତ ବର୍ଷ ଦିଲ୍ଲୀର ରାମଲୀଳା ଉତ୍ସବରେ ଏକ ଅନନ୍ୟ ଏବଂ ଚର୍ଚ୍ଚିତ ଦୃଶ୍ୟ ଦେଖିବାକୁ ମିଳିବ। ପାରମ୍ପରିକ ଭାବେ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ ପୁତ୍ତଳିକା ଦାହ କରାଯାଉଥିବା ବେଳେ ଏଥର ସେମାନଙ୍କ ସହିତ ଏକ ୩୦ ଫୁଟ୍ ଉଚ୍ଚତାର ‘କକ୍ରୋଚ୍’ ବା ଅସରପା ପ୍ରତିମୂର୍ତ୍ତି ରେ ମଧ୍ୟ ଅଗ୍ନିସଂଯୋଗ କରାଯିବ। ଦିଲ୍ଲୀର ପିତମପୁରାସ୍ଥିତ ‘ଶ୍ରୀ କେଶବ ରାମଲୀଳା କମିଟି’ ପକ୍ଷରୁ ଏହି ନିଆରା ପଦକ୍ଷେପ ନିଆଯାଇଛି।ଆୟୋଜକଙ୍କ କହିବାନୁଯାୟୀ, କକ୍ରୋଚ୍ ପ୍ରାକୃତିକ ଭାବେ ଅଳିଆ, ଆବର୍ଜନା ଏବଂ ଅପରିଷ୍କାରର ପ୍ରତୀକ ଅଟେ। ‘ସ୍ୱଚ୍ଛ ଭାରତ’ ଏବଂ ‘ସ୍ୱଚ୍ଛ ଦିଲ୍ଲୀ’ ଅଭିଯାନକୁ ପ୍ରୋତ୍ସାହିତ କରିବା ସହ ସମାଜରୁ ପ୍ରଦୂଷଣ, ମଇଳା ଓ ଅଶୁଦ୍ଧତାକୁ ଦୂର କରିବାର ସଙ୍କେତ ଦେବା ପାଇଁ ଏହାକୁ ପୋଡ଼ାଯିବ। ରାମଲୀଳା ସମୟରେ ଏହି କକ୍ରୋଚ୍କୁ ରାବଣର ସେନାରେ ଜଣେ ‘ଅସୁର’ ଭାବେ ଚିତ୍ରିତ କରାଯିବ ବୋଲି ସୂଚନା ମିଳିଛି।
କମିଟିର ସଭାପତି ତଥା ବିଜେପି ବିଧାୟକ ଅଶୋକ ଗୋଏଲ୍ ସ୍ପଷ୍ଟ କରିଛନ୍ତି ଯେ ଏହି ପୁତ୍ତଳିକା ଦାହ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। ଖଳ ଶକ୍ତି ଉପରେ ଶୁଭ ଶକ୍ତିର ବିଜୟ ଏବଂ ପରିମଳର ଗୁରୁତ୍ୱ ବୁଝାଇବା ହିଁ ଏହାର ମୂଳ ଲକ୍ଷ୍ୟ।
ତେବେ ରାଜଧାନୀ ଦିଲ୍ଲୀରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ନେଇ ଏହି ନିଷ୍ପତ୍ତିକୁ ନେଇ ବେଶ୍ ଚର୍ଚ୍ଚା ଜୋର ଧରିଛି। ‘କକ୍ରୋଚ୍ ଜନତା ପାର୍ଟି’ ଦ୍ୱାରା ନିର୍ବାଚନ ଆୟୋଗ ଏବଂ ସରକାରଙ୍କ ବିରୋଧରେ ଚାଲିଥିବା ବିକ୍ଷୋଭ ଓ ଆନ୍ଦୋଳନ ପୃଷ୍ଠଭୂମିରେ ଏପରି ପ୍ରତିକୃତି ସ୍ଥାପନ କରାଯାଉଥିବାରୁ ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜଧାନୀରେ ପରିବେଶ ସ୍ୱଚ୍ଛତା ଓ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଆୟୋଜିତ ଏହି ପ୍ରୟାସ ଦର୍ଶକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ ପାଲଟିବ।

