ଭୁବନେଶ୍ୱର: ରମାଦେବୀରେ ରାତି ୨ଟା ଯାଏ ହାଇଡ୍ରାମା। ରାତି ଅଢେଇଟାରେ ବାହାରିଲା ଇଲେକ୍ସନ ରେଜଲ୍ଟ। ସସପେନ୍ସ ଭିତରେ ବାଜି ମାରିନେଲା BCJD। ରମାଦେବୀ (ଆର୍ଡି) ମହିଳା ବିଶ୍ୱବିଦ୍ୟାଳୟରେ ୮ ବର୍ଷ ପରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ଦଳର ପ୍ରାର୍ଥୀମାନେ ବୃହତ୍ ବିଜୟ ଲାଭ କରିଛନ୍ତି ।
ସଭାପତି, ସମ୍ପାଦକ ଠାରୁ ଆରମ୍ଭ କରି ଅଧିକାଂଶ ପଦରେ ବିଜୟୀ ହୋଇଛନ୍ତି । ବିସିଜେଡି ସମର୍ଥିତ ପ୍ରାର୍ଥୀ ସୋନାଲି ବେହେରା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ସାଇଅର୍ପିତା ମହାପାତ୍ର (ବିସିଜେଡି ସମର୍ଥିତ), ଲକ୍ଷ୍ମୀପ୍ରିୟା ବିଶ୍ୱାଳ ସାଧାରଣ ସମ୍ପାଦକ, ସୁଦେଷ୍ଣା ଖୁଣ୍ଟିଆ ଯୁଗ୍ମ ସାଧାରଣ ସମ୍ପାଦକ, ଅଙ୍କିତା ମଲ୍ଲିକ କ୍ରୀଡ଼ା ସମ୍ପାଦକ, ରୂପାଲି ପାଣି ନାଟ୍ୟ ସମ୍ପାଦକ, ପ୍ରୀତିସ୍ମିତା ବାରିକ ସାଇନ୍ସ ସୋସାଇଟି ସମ୍ପାଦକ, ସମୀକ୍ଷା ସୁମନ ଡିଏସ୍ଏ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।
ଛାତ୍ର ସଂସଦ ଭୋଟ୍ ନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ହାଇଡ୍ରାମା ଚାଲିଥିଲା। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କ୍ୟାମ୍ପସ ଉଠିଲା ପଡ଼ିଲା। ବୋମା ମାଡ଼, ଠେଲାପେଲା, ଗାଳିଗୁଲଜ, ହୋହାରେ କମ୍ପିଥିଲା ବିଶ୍ୱବିଦ୍ୟାଳୟ ଚୌହଦୀ। ଦିନ ଉତ୍ତେଜନା ଥମିବା ଆଗରୁ ସନ୍ଧ୍ୟାରେ ଭୋଟ୍ ଗଣତିକୁ ନେଇ ଏମିତି ବିବାଦ ଉଠିଲା ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ଥିତି ଅଣାୟତ୍ତ ହୋଇପଡ଼ିଲା। ପ୍ରବଳ ସଂଘର୍ଷ ଭିତରେ ରାତି ଅଧରେ ବୋମା ମାଡ଼ରେ ଥରିଲା କ୍ୟାମ୍ପସ ଚୌହଦୀ। ପୋଲିସ ନାକେଦମ ହୋଇଥିଲା। ଦଙ୍ଗା ନିୟନ୍ତ୍ରଣକାରୀ ଗାଡ଼ି ବି ପହଞ୍ଚିଲା। ଦିନ ୨ଟାରୁ ମତଦାନ ସରିଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫଳାଫଳ ଘୋଷଣା ହୋଇପାରିନଥିଲା। ଶେଷରେ ରାତି ଅଧରେ ବାହାରିଲା ରେଜଲ୍ଟ, ବାଜି ମାରିନେଲା BCJD।

