Latest Odisha News

BREAKING NEWS

ଆଜି ଓଡ଼ିଶା ଆସିବେ ନବନିଯୁକ୍ତ ରାଜ୍ୟପାଳ, ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ…

ଭୁବନେଶ୍ୱର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ ଆଜି ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସେ ଆସନ୍ତାକାଲି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ବ୍ରଜ ମୋହନ ରାମ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦରରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ପୂର୍ବାହ୍ନ ୧୧:୩୦ରେ ବାହାରିବେ। ଏହାପରେ ଅପରାହ୍ନ ୧୨:୩୦ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯିବ।

ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ନବନିଯୁକ୍ତ ରାଜ୍ୟପାଳଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି।

ପରେ ସେ ସଡ଼କ ପଥରେ ପୁରୀ ଅଭିମୁଖେ ଯାତ୍ରା କରିବେ।ଅପରାହ୍ନ ୨:୪୦ରେ ପୁରୀସ୍ଥିତ ‘ଲୋକ ଭବନ’ରେ ପହଞ୍ଚିବେ। ସନ୍ଧ୍ୟା ୫:୩୦ରେ ସେ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ଅପରପକ୍ଷରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କ ଆଗମନ ଏବଂ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

Leave A Reply

Your email address will not be published.