Latest Odisha News

BREAKING NEWS

ବାଂଲାଦେଶର ଏକ ହିନ୍ଦୁ ମନ୍ଦିର ପରିସରରେ ଗୋମାଂସ ଖିଚିଡି ଭୋଜିକୁ ନେଇ ବିବାଦ

ନୂଆଦିଲ୍ଲୀ: ବାଂଲାଦେଶର ରାଜଧାନୀ ଢାକାରେ ଥିବା ଜଗନ୍ନାଥ ବିଶ୍ୱବିଦ୍ୟାଳୟର ଏକ ମନ୍ଦିର ନିକଟରେ ଗୋମାଂସ ଖିଚିଡି ପ୍ରସ୍ତୁତ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାମ ଧରୁନାହିଁ।

ବିଶ୍ୱବିଦ୍ୟାଳୟର ଇସଲାମିକ୍ ଇତିହାସ ଛାତ୍ରଙ୍କ ଏକ ଗୋଷ୍ଠୀ ଶୁକ୍ରବାର (ଅକ୍ଟୋବର ୧୬ ତାରିଖ) କ୍ୟାମ୍ପସରେ ଏକ ଗୋମାଂସ ଭୋଜି ଆୟୋଜନ କରିବାର ଘୋଷଣା କରିଥିଲେ।

ବିବାଦ ଅକ୍ଟୋବର ୧୨ରେ ଆରମ୍ଭ ହୋଇଥିଲା। ଇସଲାମିକ୍ ଇତିହାସ ଏବଂ ସଂସ୍କୃତି ବିଭାଗର ଛାତ୍ରମାନେ ବିଶ୍ୱବିଦ୍ୟାଳୟ ନିକଟରେ ଗୋମାଂସ ଖିଚିଡିର ଭୋଜି ଆୟୋଜନ କରିଥିଲେ।ହିନ୍ଦୁ ଛାତ୍ରମାନେ ଏହାକୁ ବିରୋଧ କରିଥିଲେ, ଏହା ସେମାନଙ୍କ ଧାର୍ମିକ ଭାବନାକୁ ଆଘାତ କରିଥିବା କହିଥିଲେ।

ଜଗନ୍ନାଥ ବିଶ୍ୱବିଦ୍ୟାଳୟ ସେଣ୍ଟ୍ରାଲ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଜୟ ସାହା ଗଣମାଧ୍ୟମକୁ କହିଛନ୍ତି ଯେ, ଗୋମାଂସ ରାନ୍ଧିବା ବିଷୟରେ ଜାଣିବା ପରେ ଛାତ୍ରମାନେ ଆୟୋଜକଙ୍କ ସହ କଥା ହୋଇଥିଲେ। ମନ୍ଦିର ନିକଟରେ ଥିବାରୁ ଆୟୋଜକ ମାନଙ୍କୁ ସ୍ଥାନ ପରିବର୍ତ୍ତନ କରିବାକୁ କୁହାଯାଇଥିଲା। ଏନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପ୍ରଫେସର ମହମ୍ମଦ ଆଜମ ଖାନ ହସ୍ତକ୍ଷେପ କରି ପରିସ୍ଥିତିକୁ ଶାନ୍ତ କରିଥିଲେ। ପରେ ଭୋଜିକୁ ମନ୍ଦିରରୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା। ଆୟୋଜକମାନେ କହିଥିଲେ ଯେ, ସେମାନଙ୍କର କାହାର ଧାର୍ମିକ ଭାବନାକୁ ଆଘାତ ଦେବାର କୌଣସି ଉଦ୍ଦେଶ୍ୟ ନାହିଁ।

୧୨ ଅକ୍ଟୋବର ଘଟଣାର ପରେ, ଜଗନ୍ନାଥ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏକ ନୋଟିସ ଜାରି କରି ଛାତ୍ର, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ କ୍ୟାମ୍ପସରେ ପଶୁ ହତ୍ୟା ନ କରିବାକୁ ଅନୁରୋଧ କରିଥିଲା। ଏଥିସହିତ ପ୍ରଶାସନ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାର ଆବଶ୍ୟକତା ଉଲ୍ଲେଖ କରିଛି।

ଏହି ନୋଟିସ ପରେ କିଛି ଛାତ୍ର ଆପତ୍ତି କରିଥିଲେ ଏବଂ ଗୋମାଂସ ଭୋଜି ପାଳନ କରିବାର ଅଧିକାର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଦାବି କରିଥିଲେ। ଅପରପକ୍ଷରେ ବିଶ୍ୱବିଦ୍ୟାଳୟର ସ୍ପଷ୍ଟୀକରଣ ସତ୍ତ୍ୱେ ବିବାଦ ଥମିନଥିଲା।

 

Leave A Reply

Your email address will not be published.