Latest Odisha News

BREAKING NEWS

Kolkata Stampede Odisha Alert: କୋଲକାତା ଦଳାଚକଟା ଦେଖି ଓଡ଼ିଶା ପୋଲିସ ମନରେ ଛନକା! ଆଗୁଆ ଭିଡ଼ିଲେ ଅଣ୍ଟା, ପୂଜା ମଣ୍ଡପରେ କଡ଼ା ସୁରକ୍ଷା…

ଭୁବନେଶ୍ବର: କୋଲକାତାର ଦୁର୍ଗାପୂଜା ମଣ୍ଡପରେ ଦଳାଚକଟା ଘଟଣା ପରେ ଏବେ ଓଡ଼ିଶା ପୋଲିସର ଚିନ୍ତା ବଢ଼ିଛି। ପୂଜା ମଣ୍ଡପରେ ଭକ୍ତଙ୍କ ପ୍ରବଳ ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ, ଯେପରି କୌଣସି ଅଘଟଣ ନଘଟେ, ସେଥିପାଇଁ ଆଗୁଆ ପ୍ରସ୍ତୁତି ଜୋରଦାର କରିଛି ପୋଲିସ ପ୍ରଶାସନ।

କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ କହିଛନ୍ତି, ଦୁର୍ଗାପୂଜା ପାଇଁ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆବଶ୍ୟକ ପଦକ୍ଷେପ ନିଆଯାଇଛି। କେନ୍ଦ୍ରାଞ୍ଚଳ ଅଧୀନରେ ଥିବା ୭ଟି ଜିଲ୍ଲା, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧାରେ ପୂଜା ପାଳନ ହେଉଥିବାରୁ ସବୁ ଜିଲ୍ଲାକୁ ସମ୍ବେଦନଶୀଳ ଭାବେ ନିଆଯାଇଛି। ବିଶେଷକରି କଟକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ଭିଡ଼ ନିୟନ୍ତ୍ରଣ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଏଥିପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ପୂର୍ବରୁ ବୈଠକ ହୋଇଥିବା ବେଳେ କେନ୍ଦ୍ରାଞ୍ଚଳର ସମସ୍ତ ଏସ୍‌ପିଙ୍କ ସହ ମଧ୍ୟ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା ହୋଇଛି। ପୂଜା ମଣ୍ଡପକୁ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କୁ ଟ୍ରାଫିକ୍ ନିୟମ ମାନିବାକୁ ପୋଲିସ ଅନୁରୋଧ କରିଛି। ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖାଯିବା ସହ ମୋବାଇଲ୍ ଓ ଅନ୍ୟ ସାମଗ୍ରୀ ଛିନ୍‌ତାଇ ଏବଂ ମହିଳାଙ୍କୁ ଅସଦାଚରଣ ରୋକିବା ପାଇଁ ସ୍ୱତନ୍ତ୍ର ଟିମ୍ ମୁତୟନ କରାଯାଇଛି।

ସେପଟେ ଭୁବନେଶ୍ୱର-କଟକ ପୋଲିସ କମିଶନର ଏସ୍‌. ଦେବ ଦତ୍ତ ସିଂହ କହିଛନ୍ତି, ସୁରକ୍ଷା ପ୍ରସ୍ତୁତି ନେଇ ଏକାଧିକ ବୈଠକ ହୋଇଛି। କେବଳ ପୋଲିସ ଉପରେ ନିର୍ଭର ନକରି ଲୋକେ ନିଜେ ମଧ୍ୟ ସତର୍କ ରହିବା ଦରକାର। ଭିଡ଼ ଭିତରେ ନିଜ ସହ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଟ୍ରାଫିକ୍ ଓ ସୁରକ୍ଷା ନିୟମ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି।

କୋଲକାତାର ଘଟଣା ପରେ ଓଡ଼ିଶାରେ ଯେପରି ପୂଜା ଦର୍ଶନ ସମୟରେ କୌଣସି ଅଘଟଣ ନଘଟେ, ସେଥିପାଇଁ ପୋଲିସର ଆଗୁଆ ପ୍ରସ୍ତୁତି ଓ ସତର୍କତା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି।

Leave A Reply

Your email address will not be published.