Low-Pressure System: ଅକ୍ଟୋବର ଶେଷରେ ପୁଣି ବାତ୍ୟା ଭୟ? ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ସିଷ୍ଟମ୍! ୨୫ ପରେ ଆଉ ଏକ ଲଘୁଚାପ!
ଭୁବନେଶ୍ୱର: ଅକ୍ଟୋବର ମାସ ଶେଷ ଆଡ଼କୁ ବଙ୍ଗୋପସାଗରରେ ପାଣିପାଗରେ ପରିବର୍ତ୍ତନ ହେବାର ସଙ୍କେତ ମିଳୁଛି। ଆସନ୍ତା ୨୨ରୁ ୨୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପରେ ୨୫ କିମ୍ବା ୨୬ ତାରିଖ ଆଡ଼କୁ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ଏହାର ତୀବ୍ରତା କେତେ ରହିବ ଏବଂ କେଉଁ ଦିଗକୁ ଗତି କରିବ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟତା ମିଳିନାହିଁ । ତଥାପି ଏନେଇ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରିଛି ।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଅକ୍ଟୋବର ୨୧ରୁ ୨୩ ମଧ୍ୟରେ ଏକ ପୂର୍ବାଳୀୟ ବାୟୁପ୍ରବାହ ମାଲାକ୍କା ପ୍ରଣାଳୀ ଅତିକ୍ରମ କରି ଆଣ୍ଡାମାନ ସାଗରରେ ପ୍ରବେଶ କରିପାରେ। ଏହାର ପ୍ରଭାବରେ ୨୩ରୁ ୨୫ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ଆଶା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ସଂଗଠିତ ହୋଇପାରେ।
ECMWF ଏବଂ NCUM ପାଣିପାଗ ମଡେଲ୍ ଅନୁସାରେ, ଅକ୍ଟୋବର ୨୭ରୁ ୨୯ ମଧ୍ୟରେ ଏହି ପ୍ରଣାଳୀ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ। କିଛି ଆକଳନରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ମଧ୍ୟ ଦେଖାଯାଉଛି। ଅନ୍ୟପକ୍ଷରେ GFS ମଡେଲ୍ ଏହା ତୁଳନାତ୍ମକ ଭାବେ ଦୁର୍ବଳ ରହିବା ଏବଂ ଅଧିକ ଦକ୍ଷିଣ ଦିଗରେ ବିକଶିତ ହେବାର ସଙ୍କେତ ଦେଉଛି।
କିଛି ମଡେଲ୍ରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଏବଂ ସମ୍ଭାବ୍ୟ ଭାବେ ଦକ୍ଷିଣ ଓଡ଼ିଶା ଆଡ଼କୁ ଗତି କରିପାରେ ବୋଲି ଆକଳନ କରାଯାଇଛି। ଆଗାମୀ ଦିନରେ ପାଣିପାଗ ପରିସ୍ଥିତି ସ୍ପଷ୍ଟ ହେଲେ ଅଧିକ ତଥ୍ୟ ମିଳିପାରିବ। ସମୁଦ୍ର ପୃଷ୍ଠର ତାପମାତ୍ରା ଅଧିକ ରହିବା ଘୂର୍ଣ୍ଣିବଳୟ ଓ ଲଘୁଚାପର ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିପାରେ। ଏହି କାରଣରୁ ବାତ୍ୟା ସମ୍ଭାବନାକୁ ନେଇ ଚର୍ଚ୍ଚା ବଢ଼ିଛି। କିନ୍ତୁ ବିଭିନ୍ନ ମଡେଲ୍ର ଆକଳନ ଏକାପରି ନଥିବାରୁ ବର୍ତ୍ତମାନ ଏହାକୁ ନିଶ୍ଚିତ ବାତ୍ୟା ବୋଲି କହିହେବ ନାହିଁ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୨୦ରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୧ ତାରିଖରେ ମାଲକାନଗିରିର କେତେକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ସେହିପରି ୨୨ ତାରିଖରେ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।
ବିଶେଷଜ୍ଞଙ୍କ ମତରେ, ଲଘୁଚାପ ସୃଷ୍ଟି ହେବା ସମୟରେ ଏହା ଓଡ଼ିଶାଠାରୁ ଦୂରରେ ରହିପାରେ। ତେଣୁ କୁମାର ପୂର୍ଣ୍ଣିମା ସମୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ତଥାପି ପରିସ୍ଥିତି ବଦଳିଲେ ପୂର୍ବାନୁମାନରେ ପରିବର୍ତ୍ତନ ହୋଇପାରେ।
ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଚାଷୀମାନେ ଆଗୁଆ ପ୍ରସ୍ତୁତି ନେବା ଜରୁରୀ। ପାକଳ ଧାନ, ଡାଲି ଓ ଅନ୍ୟ ଫସଲ କଟା ହୋଇଥିଲେ ସେଗୁଡ଼ିକୁ ଶୀଘ୍ର ସୁରକ୍ଷିତ ଓ ଶୁଖିଲା ସ୍ଥାନକୁ ନେଇଯିବା ଉଚିତ। ଖୋଲା ଜମିରେ କଟା ଧାନ ରଖିବାକୁ ଏଡ଼ାଇବା ସହ ଆବଶ୍ୟକ ହେଲେ ପାଲରେ ଘୋଡ଼ାଇ ଉଚ୍ଚ ସ୍ଥାନରେ ରଖିବା ଦରକାର। ପନିପରିବା ଚାରା, ନର୍ସରୀ ଓ ନୂଆ ରୋପଣ ହୋଇଥିବା ଫସଲରେ ଜଳ ନିଷ୍କାସନ ବ୍ୟବସ୍ଥା ଠିକ୍ ରଖିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ନଥିବା ସମୟରେ ଫସଲରେ ସାର ଓ କୀଟନାଶକ ପ୍ରୟୋଗ କରିବା ଏବଂ ଭାରି ବର୍ଷାର ସମ୍ଭାବନା ଥିଲେ ଏହାକୁ ସ୍ଥଗିତ ରଖିବା ଉଚିତ। କଦଳୀ, ଅମୃତ ଭଣ୍ଡା ଭଳି ହାଲୁକା ଗଛ ଗୁଡିକୁ ଖୁଣ୍ଟିରେ ବାନ୍ଧି ସୁରକ୍ଷିତ କରିବା, ଦୁର୍ବଳ ଡାଳ କାଟିବା ଏବଂ ପଶୁମାନଙ୍କୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନରେ ରଖିବା ମଧ୍ୟ ଜରୁରୀ।
ଏଥିସହିତ ସମୁଦ୍ରକୂଳ ଅଞ୍ଚଳର ମତ୍ସ୍ୟଜୀବୀମାନେ ପରବର୍ତ୍ତୀ ସରକାରୀ ପାଣିପାଗ ସୂଚନା ଅନୁସରଣ କରିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଉଚିତ। ସମୁଦ୍ରକୁ ଯିବା ସମ୍ପର୍କରେ ସରକାରୀ ନିର୍ଦ୍ଦେଶ ଓ ସତର୍କ ସୂଚନାକୁ ପ୍ରାଥମିକତା ଦେବା ଆବଶ୍ୟକ।

