ଗୁଜୁରାଟ : ଗୁଜୁରାଟ ସରକାର ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ସାଂସଦ ୟୁସୁଫ୍ ପଠାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ବଡୋଦରା ସହରର ତାନ୍ଦଲଜା ଅଞ୍ଚଳରେ ଥିବା ଏକ ୯୭୮ ବର୍ଗମିଟର ପରିମିତ ବିବାଦୀୟ ପ୍ଲଟ୍ କୁ ୟୁସୁଫ୍ ପଠାନଙ୍କୁ ଆବଣ୍ଟନ କରିବା ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି। ଏହି ସମ୍ପୂର୍ଣ୍ଣ ପ୍ଲଟ୍ର ଆନୁମାନିକ ମୂଲ୍ୟ ପ୍ରାୟ ୨୦.୫୩ କୋଟି ଟଙ୍କା ହେବ ବୋଲି ବୋର୍ଡ ଆକଳନ କରିଛି।
ସରକାରଙ୍କ ପ୍ରସ୍ତାବ ଅନୁଯାୟୀ, ୟୁସୁଫ୍ ପଠାନଙ୍କୁ ଏହି ଜମିରୁ ୫୦୦ ବର୍ଗମିଟର ଜମି ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ ଏବଂ ବାକି ୪୭୮ ବର୍ଗମିଟର ଜମି ୫୫ ପ୍ରତିଶତ ମୂଲ୍ୟରେ ବା ରିହାତିମୂଳକ ଦରରେ ହସ୍ତାନ୍ତର କରାଯିବ। ୨୦୧୨ ମସିହାରୁ ଏହି ଜମିକୁ ନେଇ ବିବାଦ ଚାଲିଆସୁଥିଲା। ବଡୋଦରା ମ୍ୟୁନିସିପାଲ୍ କର୍ପୋରେସନ୍ ପକ୍ଷରୁ ଏହାକୁ ବେଆଇନ ଦଖଲ ବୋଲି ଦର୍ଶାଇ ନୋଟିସ୍ ଜାରି କରାଯାଇଥିଲା ଏବଂ ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା।
ତେବେ ୟୁସୁଫ୍ ପଠାନ ତୃଣମୂଳ କଂଗ୍ରେସ (ଟିଏମସି) ଛାଡ଼ିବା ଏବଂ ଏନ୍ଡିଏ ଆଡ଼କୁ ଢଳିବା ପରେ, ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ ଅବଦାନକୁ ସମ୍ମାନ ଜଣାଇ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ବଡୋଦରା ମ୍ୟୁନିସିପାଲ୍ କର୍ପୋରେସନ୍ର ଷ୍ଟାଣ୍ଡିଂ କମିଟିରେ ଏହି ପ୍ରସ୍ତାବ ଆଗତ ହୋଇଛି, ଯାହାର ଅନୁମୋଦନ ମିଳିବା ପରେ ଆବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ଏହି ନିଷ୍ପତ୍ତିକୁ ନେଇ ଏବେ ରାଜନୈତିକ ମହଲରେ ବ୍ୟାପକ ଚର୍ଚ୍ଚା ହେଉଛି।

