Latest Odisha News

BREAKING NEWS

ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…

ଭୁବନେଶ୍ୱର: ବଙ୍ଗୋପସାଗରରେ ତିନି ଦିନ ପରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ଏହାର ପ୍ରଭାବ କ’ଣ ହେବ, ତାହା ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ମଙ୍ଗଳବାର ଦିନ ସୂଚନା ଦେଇଛି।

ଥାଇଲ୍ୟାଣ୍ଡ ଉପସାଗର ଏବଂ ଥାଇଲ୍ୟାଣ୍ଡ ଓ ମିଆଁମାରର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଅକ୍ଟୋବର ୨୧ ତାରିଖ ବୁଧବାର ସକାଳ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ପ୍ରବେଶ କରିବାର ସମ୍ଭାବନା ରହିଛି।

ଏହା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ଏହାର ପ୍ରଭାବରେ ଅକ୍ଟୋବର ୨୩ ତାରିଖ ଆଖପାଖରେ ଦକ୍ଷିଣ-ପୂର୍ବ ତଥା ଏହାର ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆହୁରି ଘନୀଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।

ଅନ୍ୟପକ୍ଷରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟ ପାଇଁ ପାଣିପାଗ ବିଭାଗ ଉକ୍ତ ଦୁଇ ଜିଲ୍ଲା ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରିଛି।

ସେହିପରି ଅକ୍ଟୋବର ୨୧ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି।

ଅକ୍ଟୋବର ୨୧ ରୁ ୨୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ଥିବାବେଳେ ଅକ୍ଟୋବର ୨୭ ତାରିଖରେ କିଛି ଜିଲ୍ଲାରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

Leave A Reply

Your email address will not be published.