ନୂଆପଡ଼ା: ଭକ୍ତିର ଜୁଆର, ପରମ୍ପରାର ମହକ, ଆଉ ମାଙ୍କ ଦର୍ଶନ ପାଇଁ ଲାଗିଛି ଅସମ୍ଭାଳ ଭିଡ । ଗଣତନ୍ତ୍ର ଯୁଗରେ ବି ରହିଛି ରାଜାରାଜୁଡା ଅମଳର ପରମ୍ପରା । ଢୋଲ ମହୁରୀ ତାସା ଆଉ ନିଶାନର ଗୁଞ୍ଜରଣରେ ପ୍ରକମ୍ପିତ ହେଉଚି ନୂଆପଡା ଜିଲ୍ଲାର ଖଡିଆଳ ସହର । ମାଙ୍କୁ ଦର୍ଶନ କରିବା ପାଇଁ ଚାରିଆଡେ ଭକ୍ତିମୟ ପରିବେଶ । ଖଡିଆଳରେ ଚାଲିଥିବା ପ୍ରସିଦ୍ଧ ଛତର ଯାତ୍ରାରେ ମାଙ୍କୁ ଦର୍ଶନ କରି ଭକ୍ତମାନେ ଆଶିଷ ଲାଭ କରୁଛନ୍ତି ।
ପଶ୍ଚିମ ଓଡିଶାର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାରେ ଖଡିଆଳର ସ୍ୱତନ୍ତ୍ର ପରିଚୟ ରହିଛି । ଇଷ୍ଟଦେବୀ ମା ସମଲେଶ୍ୱରୀ ଓ ଗଡଦେବୀ ମା ରକ୍ତାମ୍ବରୀଙ୍କ ପୂଜା ରାଜାରାଜୁଡା ଅମଳରୁ ହୋଇଆସୁଛି । ନବରାତ୍ରୀର ୯ ଦିନ ପୂଜା ପରେ ବିଜୟା ଦଶମୀରେ ଦୁଇ ଦେବୀଙ୍କ ଛତର ବାହାରିଥାଏ । ଧଳା ଓ ଲାଲ ରଙ୍ଗରେ ସଜ୍ଜିତ ଛତରକୁ ସେବାୟତ ଓ ବାଡିବାଳାମାନେ ସୁରକ୍ଷା ଦେଇ ସହର ପରିକ୍ରମା କରାଇଥାନ୍ତି । ଦୁଇ ଛତର ଏକା ସମୟରେ ସହର ପରିକ୍ରମା କରୁଥିଲେ ମଧ୍ୟ କେବେ କେହି ଆମନାସାମନା ହୁଅନ୍ତି ନାହିଁ ବୋଲି କୁହାଯାଏ । କେବଳ ନୂଆପଡା ନୁହେଁ ପଡୋଶୀ କଳାହାଣ୍ଡି ଜିଲ୍ଲା ସମେତ ଛତିଶଗଡରୁ ମଧ୍ୟ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥାଏ ।
ସମୟ ବଦଳିଛି, ଶାସନ ମଧ୍ୟ ବଦଳିଛି । ହେଲେ ବଦଳିନି ଆସ୍ଥା, ମଳିନ ପଡିନି ପରମ୍ପରା । ମା ସମଲେଶ୍ୱରୀ ଓ ମା ରକ୍ତାମ୍ବରୀଙ୍କ ଯୋଡି ଛତର ଯାତ୍ରା ଆଜି ବି ଖଡିଆଳର ଐତିହ୍ୟ ରାଜକୀୟ ପରମ୍ପରା ଓ ସାଂସ୍କୃତିକ ଅସ୍ମିତାର ଜୀବନ୍ତ ପ୍ରତୀକ ବୋଲି କୁହାଯାଏ ।

