ଗୁରୁଗ୍ରାମ: ଧର୍ମଘଟ ପାଇଁ ଗୁରୁଗ୍ରାମରେ ୧୬ଘଂଟିଆ ପାୱାର କଟ୍ । ଅନ୍ଧାରରେ ଘର, ଶୁଖିଲା ନଳ, ବନ୍ଦ କାରଖାନା । ବେସରକାରୀ ବିଦ୍ୟୁତ କମ୍ପାନୀକୁ ଲାଇସେନ୍ସ ପ୍ରଦାନ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି କର୍ମଚାରୀ । ହରିୟାଣାର ୪୦ହଜାର ବିଦ୍ୟୁତ୍ କର୍ମଚାରୀ ଏକାଠି ହୋଇ ଲଗାତର ୩ଦିନ ହେବ ଧର୍ମଘଟରେ କରୁଛନ୍ତି । ପ୍ରଭାବରେ ଗୁରୁଗ୍ରାମରେ ୧୬ଘଂଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ନା ଘରେ ବିଦ୍ୟୁତ୍ ଅଛି, ନା ପାଣି । ୧୬ଘଂଟାରୁ ଅଧିକ ସମୟ ଧରି ସାଧାରଣ ଲୋକ ଦହଗଂଜ ହେଉଛନ୍ତି । ବିଦ୍ୟୁତ୍ ଓ ପାଣି ବିନା ହଜାର ହଜାର ପରିବାର ହନ୍ତସନ୍ତ ହେଲେଣି । ପ୍ରାୟ ୧୮ହଜାର ଉତ୍ପାଦନ ୟୁନିଟ୍ ବାଧାପ୍ରାପ୍ତ ହେଉଛି । ଏବଂ ଗୁରୁବାର ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କ ଆନ୍ଦୋଳନକୁ ୩ଦିନ ବିତିଥିବା ବେଳେ ବିଦ୍ୟୁତ ଯୋଗାଣ ବ୍ୟାହତ ହେବାରୁ ସ୍ଥାନୀୟବାସୀ ଏବେ ପ୍ରତିବାଦର ରାସ୍ତା ବାଛି ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ହରିୟାଣା ବିଦ୍ୟୁତ ନିୟାମକ ଆୟୋଗ ଦ୍ୱାରା ଗୁରୁଗ୍ରାମ ଏବଂ ନୁହ୍ ପାଇଁ ଏକ ଘରୋଇ କମ୍ପାନୀ ଇଲେଭେନ୍ ପାୱାରକୁ ସମାନ୍ତରାଳ ବିଦ୍ୟୁତ୍ ବଂଟନ ଲାଇସେନ୍ସ ପ୍ରାଦନ କରିବାର ନିଷ୍ପତ୍ତିର ପ୍ରତିବାଦରେ ଡାକରା ଦିଆଯାଇଥିବା ଧର୍ମଘଟ ବୁଧବାର ରାତିରୁ ଯୋଗାଣକୁ ପ୍ରଭାବିତ କରିବା ଆରମ୍ଭ କରିଛି । ଗୁରୁବାର ସୁଦ୍ଧା ପାୱାର କଟ୍ ବିଭିନ୍ନ କଲୋନି ଶିଳ୍ପାଂଚଳ ଓ ଗ୍ରାମାଚଳରେ ଅସୁବିଧା ସୃଷ୍ଟି କରିଥିଲା । ଫଳରେ ଲୋକେ ବିଦ୍ୟୁତ୍ ବିଭାଗ ଏବଂ ହେଲ୍ପଲାଇନକୁ ଫୋନ୍ କରି ପଚାରି ବୁଝିବାକୁ ଚେଷ୍ଟା କରିଥିଲେ ତାହା ଫେଲ୍ ମାରିଥିଲା । ବିଦ୍ୟୁତ୍ ନଥିବାରୁ ସ୍ଥାନୀୟ ଅଂଚଳରେ ପାଣି ମଧ୍ୟ ବନ୍ଦ ହୋଇଗଲା । ଘରୋଇ ମୋଟର ଲଗାଇ ପାଣି ପାଇବା ମଧ୍ୟ ଅସମ୍ଭବ ହୋଇଗଲା । କିଛି ଘରେ ଟ୍ୟାଙ୍କରରେ ପାଣି ଷ୍ଟକ୍ ଥିବାରୁ ଚଳିଗଲା, ହେଲେ କିଛି ଘରେ କିଛି ଘଂଟା ହିଁ ପାଣି ମ୍ୟାନେଜ୍ ହୋଇପାରିଲା । ଶିଳ୍ପ ମାନଙ୍କରେ ଡିଜେଲ ଜେନେରେଟର ଯୋଗୁ ଅସ୍ଥାୟୀ ଭାବେ କିଛି ସମୟରେ କାମ ଚଳିଗଲା । ଏମିତିକି ପ୍ରଥମ ୧୨ ଘଂଟାରେ ପ୍ରାୟ ୩ହଜାର ଅଭିଯୋଗ ଆସିଥିଲା ଏବଂ ହେଲ୍ପଲାଇନ ନମ୍ବରରେ ୫ହଜାର କଲ୍ ଆସିଥିବା ସୂଚନା ରହିଛି । ହେଲେ ସ୍ଥାନୀୟ ଲୋକ ସ୍ଥାନୀୟ ବିଦ୍ୟୁତ୍ ସରବରାହ ଅଫିସ ବିରୋଧରେ ବିରୋଧ କରିଥିଲେ ।
ପ୍ରାୟ ୮.୫ ବିଦ୍ୟୁତ ଗ୍ରାହକ ଥିବା ଗୁରଗ୍ରାମରେ ବ୍ୟାପକ ବିଭ୍ରାଟ ଦେଖାଦେଇଛିି । ପ୍ରାୟ ୫୦ ହଜାରରୁ ଅଧିକ ଘର ଏଥି ପାଇଁ ପ୍ରଭାବିତ ହୋଇଥିଲେ । ଏହି ଆନ୍ଦୋଳନ ଫରିଦାବାଦ ଓ ନୁହ୍କୁ ମଧ୍ୟ ପ୍ରଭାବିତ କରିଥିଲା । ଯେଉଁଠାରେ ଆବାସିକ ଅଂଚଳ ଏବଂ ଶିଳ୍ପ ୟୁନିଟ ଗୁଡିକରେ ବିଦ୍ୟୁତ୍ କାଟ୍ ହୋଇଥିବା ରିପୋର୍ଟ ହୋଇଥିଲା । ଦାବି ପୂରଣ ନହେଲେ ଅକ୍ଟୋବର ୨୪ ପରେ ମଧ୍ୟ କାମ ବନ୍ଦ ରହିବ ବୋଲି ୟୁନିୟନ ଚେତାବନୀ ଦେଇଛି । ସରକାର ଲାଇସେନ୍ସକୁ ନେଇ ଆଇନଗତ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ବିବାଦର ସମାଧାନ ନହେବା ଯାଏ କାମ ସ୍ୱାଭାବିକ ନହେବା ଯାଏ ଉପଭୋକ୍ତାମାନେ ନିୟାମକ ସଂସ୍ଥାର ନିଷ୍ପତ୍ତି କର୍ମଚାରୀଙ୍କ ବିରୋଧ ଏବଂ ସେବା ବ୍ୟବସ୍ଥାକୁ ପୁନଃସ୍ଥାପିତ କରିବାକୁ ରାଜ୍ୟ ସରକାରଙ୍କ ପ୍ରୟାସ ମଧ୍ୟରେ ଫସି ରହିଛନ୍ତି ।

