ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ପ୍ରାୟ ସମସ୍ତ ପ୍ରସ୍ତୁତି ସରିଛି। ଆସନ୍ତାକାଲି ପୂର୍ବାହ୍ନରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିବ। ବାପଟଲା ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୨୫ରୁ ୧୩୫ କିମି ରହିବ। ଝଟ୍କା ପବନର ବେଗ ୧୫୦ କିମି ପର୍ଯ୍ୟନ୍ତ ରହିବ। ତେଣୁ ଏହି ପବନରେ ବଡ଼ କ୍ଷତି ଘଟିବାର ସମ୍ଭାବନା ରହିଛି। ଏହାକୁ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି ।
୮ଟି ଜିଲ୍ଲାରେ ପ୍ରାୟ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି। କିଛି ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇଛି । ବିପର୍ଯ୍ୟୟର ମୁକାବିଲା ପାଇଁ ୪୮ଟି ଓଡ୍ରାଫ୍, ୮ଟି ଏନ୍ଡିଆର୍ଏଫ୍ ଏବଂ ୨୨୫ଟି ଅଗ୍ନିଶମ ଟିମ୍ ମୁତୟନ ଥିବା ସୂଚନା ମିଳିଛି। ଝଟ୍କା ପବନ ଯୋଗୁଁ ରେଳ, ବିମାନ, ସଡ଼କ ପଥରେ ଯାତାୟାତ ପ୍ରଭାବିତ ହେବ। ବଡ଼ ଗଛ ଭାଙ୍ଗିବ, ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହେବ। ଦକ୍ଷିଣ ଓଡ଼ିଶାରେ ୬୦ରୁ ୮୦ କିମି ପର୍ଯ୍ୟନ୍ତ ପବନ ବହିବ। ଉତ୍ତର ଓଡ଼ିଶାରେ ୪୦ରୁ ୫୦ କିମି ବେଗରେ ପବନ ବହିବ।
ସେପଟେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ରହିଛି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନେବା ଉପରେ ଗୁରୁତ୍ୱ ଦିଆଯାଉଛି। କେବଳ ବାତ୍ୟା ନୁହେଁ, ସମ୍ଭାବ୍ୟ ଭୂସ୍ଖଳନକୁ ନେଇ ମଧ୍ୟ ସରକାର ସତର୍କ ରହିଛନ୍ତି। ଗଜପତି ଜିଲ୍ଲାର ୧୨୫ଟି ସମ୍ବେଦନଶୀଳ ସ୍ଥାନ ଉପରେ ପ୍ରଶାସନ ନଜର ରଖିଛି। ବିପଦ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରାଯାଉଛି । ତେବେ ବାତ୍ୟାର ଗତିପଥ ଓ ପ୍ରଭାବକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଲୋକଙ୍କୁ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଉଛି ।

