ଜର୍ମାନୀ: ବିଏମଡବ୍ଲୁ ଆତଙ୍କ । ଭିଡକୁ ମାଡିଗଲା କାର୍ । ସୋମବାର ବିଳମ୍ବିତ ରାତିରେ ଉତ୍ତର ଜର୍ମାନୀର ହାନୋଭର ନିକଟ ନ୍ୟୁଷ୍ଟାଡ ଆମ୍ ରୁବେନବର୍ଗଠାରେ ଏକ କାର୍ ଜାଣିଶୁଣି ଲୋକଙ୍କ ଭିଡ ଭିତରକୁ ମାଡିଯାଇଛି । ଘଟଣାରେ ୫ଜଣଙ୍କ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ମେଡିକାଲରେ ଭତ୍ତି ର୍ କରାଯାଇଛି । ଏହା ଏକ ଉଦ୍ଦେଶ୍ୟମୂଳକ ଆକ୍ରମଣ ବୋଲି ପୋଲିସ ସନ୍ଦେହ କରୁଛି । ଟ୍ରାଫିକ୍ ଯାଂଚ ବେଳେ କାର୍ଟି ଦ୍ରୁତ ଗତିରେ ମାଡିଯାଉଥିବା ଦେଖିଥିଲେ ଟ୍ରାଫିକ ପୋଲିସ । କାରଟିକୁ ଅଟକାଇବାକୁ ଚେଷ୍ଟା କରି ପୋଲିସ ଗୁଳି ଚାଳନା ବି କରିଥିଲା । ହେଲେ ସନ୍ଦିଗ୍ଧ ବ୍ୟକ୍ତି ଗାଡିକୁ ଭିଡରେ ପଶାଇ ନିଜେ ଗାଡିରୁ ଓହ୍ଲାଇ ଭିଡରେ କେଉଁଠି ଲୁଚିଯାଇଥିବା ପୋଲିସ କହିଛି । ଆକ୍ରମଣକାରୀଙ୍କୁ ଧରିବାକୁ ପୋଲିସର ଖୋଜାଖୋଜି ଜାରି ହୋଇଛି । ହେଲିକପ୍ଟର ଓ ତାଲିମପ୍ରାପ୍ତ କୁକୁରର ସହାୟତା ନିଆଯାଉଛି । କିନ୍ତୁ ଏବେସୁଦ୍ଧା କେହି ଗିରଫ ହୋଇନାହାନ୍ତି ।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଘଟଣାରେ ଜଡିତ ବ୍ୟକ୍ତିମାନେ ପରସ୍ପରକୁ ଜାଣିଥିଲେ । ଏହା ଏକ ଆକସ୍ମିକ ଘଟଣା ନୁହେଁ ବରଂ ଏହି ଗୋଷ୍ଠୀକୁ ଜାଣିଶୁଣି ଟାର୍ଗେଟ କରାଯାଇଥିଲା । ତେବେ ଘଟଣା ପଛର କାରଣ କଣ ଓ ଏହା ପଛରେ କାହାର ହାତ ଅଛି, ତାର ତଦନ୍ତ ଚାଲିଛି । ଯେଉଁ ସ୍ଥାନରେ ଏହି ଘଟଣାଟି ଘଟିଛି, ତାହା ପୋଲିସର ସିଧାସଳଖ ଅକ୍ତିଆରରେ ରହିଛି । ନିକଟରେ ଟ୍ରାଫିକ ପୋଷ୍ଟ ଏବଂ ଅନବରତ ସେଠାରେ ପାଟ୍ରୋଲିଂ ଜାରି ରୁହେ । ଏସବୁ ଭିତରେ ଏପରି କାର୍ ମାଡିଯିବା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛିା ପ୍ରମାଣ ସଂଗ୍ରହ ଓ ତଦନ୍ତ ପ୍ରକ୍ରିୟା ପାଇଁ ପୋଲିସ ପୁରା ଅଂଚଳକୁ କର୍ଡନ କରିଥିଲା । ଅନେକ ସଶସ୍ତ୍ର ପୋଲିସ ବାହିନୀ ଏଥିରେ ସାମିଲ ଥିଲେ ।

